୨୪ ବର୍ଷର ଦାବି ପୂରଣ କଲେ ଅତାବିରା ବିଧାୟକ
୨୪ ବର୍ଷର ଦାବି ପୂରଣ କଲେ ଅତାବିରା ବିଧାୟକ
ସତୀଜୋର ଉପରେ ହେବ ଅତ୍ୟାଧୁନିକ ବ୍ରିଜ
୪ କୋଟି ୧୦ ଲକ୍ଷ ୭୧ ହଜାର ଟଙ୍କାରେ ନିର୍ମାଣ ହେବ ପ୍ରକଳ୍ପ
ଅତାବିରା, ୬/୧୦(ସଂସ୍କୃତି ମିଡ଼ିଆ)
ଦୀର୍ଘ ୨୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅତାବିରା ନିର୍ବାଚନମଣ୍ଡଳୀର ତାଳପଦରଟିକ୍ରା-ଦୁଲମପୁର ରାସ୍ତାର ସତୀଜୋର ନାଳ ଉପରେ ନିର୍ମାଣ ହେବ ଅତ୍ୟାଧୁନିକ ବ୍ରିଜ। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ବ୍ରିଜ ସହ ତାଳପଦରଟିକ୍ରାରୁ ଦୁଲମପୁର ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ଉନ୍ନତୀକରଣ କରାଯିବ।

ମଙ୍ଗଳବାର ପୂଜାର୍ଚ୍ଚନା ପରେ ବ୍ରିଜ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ପ୍ରାୟ ୪ କୋଟି ୧୦ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ବରଗଡ଼ ଆରଡି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଏହାଦ୍ୱାରା ବର୍ଷା ଦିନରେ ସତୀଜୋରରେ ବନ୍ୟାଜଳ ଯୋଗୁଁ ଯାତାୟାତରେ ଦେଖାଦେଉଥିବା ସମସ୍ୟା ଦୂର ହେବ। ଲୋକଙ୍କୁ ପ୍ରାୟ ୭ କିଲୋମିଟର ବୁଲି ଯାତାୟାତ କରିବାକୁ ପଡ଼ିବ ନାହିଁ।
ଏହି ବ୍ରିଜ ନିର୍ମାଣ ହେଲେ ଚକୁଳି, ଦୁଲମପୁର, କୁମେଲସିଂହା, ଗୋଡ଼ଭଗା, ଟମ୍ପରସରା ଓ କାଦୋବାହାଲ ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ। ଦୀର୍ଘ ୨୪ ବର୍ଷ ଧରି ଅଞ୍ଚଳବାସୀ ଏହି ସ୍ଥାନରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ। ଏବେ ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ତାଳପଦରଟିକ୍ରାରୁ ଦୁଲମପୁର ପର୍ଯ୍ୟନ୍ତ ରାସ୍ତାକୁ ପକ୍କା କରାଯିବ। ଏଥିପାଇଁ ୩ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବିଧାୟକ ମହାନନ୍ଦ କହିଛନ୍ତି। ବ୍ରିଜ ଓ ରାସ୍ତା ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଲୋକଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ହେବ।

ଏହି ଅବସରରେ ତାଳପଦରଟିକ୍ରା କଲ୍ୟାଣ ମଣ୍ଡପଠାରେ ସି.ଏଚ୍. ସତ୍ୟନାରାୟଣଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚାଷୀ ନେତା ବୀରେନ୍ଦ୍ର କର, ମଣ୍ଡଳ ସଭାପତି ପୁଷ୍ପକ ଗାଈଗାରିଆ, କୃଷ୍ଣଚନ୍ଦ୍ର ସାଥୁଆ, ନିରୋଜ ବାରିକ, ବିକାଶ ଗଡ଼ତିଆ, ଆର୍. କୃପା ରାଓ ଓ ଜି.ବି. ରାଓ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ତ୍ରିଲୋଚନ ନାଏକ ସଭା ପରିଚାଳନା କରିଥିବା ବେଳେ ଜି. ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
