ଲରମ୍ଭା କଲେଜରେ ଏବିଭିପି ପ୍ରାର୍ଥୀଙ୍କ ମୁଣ୍ଡରେ ସୁନା କଳସ, ଶେଫାଳୀ ସଭାପତି ସହ ହରିଶସାଧାରଣ ସମ୍ପାଦକ
ଅତାବିରା,୧୫/୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି l
ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା କଲେଜର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ, ସହବନ୍ଧିତ ସଂଘ ଓ ବିଭିନ୍ନ ସଂଗଠନର ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। କଲେଜ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶେଫାଳୀ ନାଏକ ଛାତ୍ର ସଂସଦର ସଭାପତି, ହରିଶ କୁମାର ସାହୁ ସାଧାରଣ ସମ୍ପାଦକ ଏବଂ ସୋଡେ ଭେନୁ ହର୍ଷ ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଭାବେ ଆଜି ହୋଇଥିବା ନିର୍ବାଚନ ରେ ନିର୍ବାଚିତ ହୋଇଛନ୍ତି।
ସେହିପରି ଉପସଭାପତି ପଦବୀରେ ରିକନ ପ୍ରଧାନ, ଡ୍ରାମାଟିକ୍ ଆସୋସିଏସନ୍ ସମ୍ପାଦକ ଭାବେ ବିନୟ ଦୀପ, ଛାତ୍ର କମନ୍ ରୁମ୍ (ପୁରୁଷ) ସମ୍ପାଦକ ଭାବେ ଚିନ୍ମୟ କୁମାର ସାହୁ ଏବଂ ଛାତ୍ରୀ କମନ୍ ରୁମ୍ (ମହିଳା) ସମ୍ପାଦକ ଭାବେ କୁନ୍ତୀ ଭୋସାଗର, ସୋସିଆଲ୍ ସର୍ଭିସ୍ ଗିଲ୍ଡ ସମ୍ପାଦକ ଭାବେ ସଚିନ ହରିପାଲ, କଲେଜ ମାଗାଜିନ୍ ପାଇଁ ଛାତ୍ର ପ୍ରତିନିଧି ଭାବେ ଚନ୍ଦ୍ରଶେଖର କୁମ୍ଭାର ଏବଂ ବ୍ରଜମୋହନ ସାହିତ୍ୟ ସଂସଦ ସମ୍ପାଦକ ଭାବେ ରତନ ଭୁଏ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
୧୨୬୧ ଜଣ ଭୋଟର ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୯୬୯ ଜଣ ନଜର ନିଜ ମତଦାନ କରିଥିଲେ l ସଭାପତି ପଦରେ ଏବିଭିପିର ଶେଫାଳୀ ନାଏକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମାନସ ରଞ୍ଜନ ଦାଶ ଙ୍କୁ ୪୯ ଗୋଟି ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ l ସେହିପରି ସାଧାରଣ ସମ୍ପାଦକ ପଦବୀରେ ଏବିଭିପି ସମର୍ଥିତ ପ୍ରାର୍ଥୀ ହରିଶ କୁମାର ସାହୁ ୪୯୧ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ସୁମିତ ପ୍ରଧାନ ୪୫୫ ପାଇ ପରାଜିତ ହୋଇଛନ୍ତି l ଅନ୍ୟ ପକ୍ଷେ କ୍ରୀଡ଼ା ସଂସଦ ସମ୍ପାଦକ ପଦବୀରେ ସେହି ଏବିଭିପିର ସୋଡେ ଭେନୁ ହର୍ଷ ତାଙ୍କ ନିକଟତମ ପ୍ରାର୍ଥୀ ଭାର୍ଗବ ଭୋସାଗରଙ୍କୁ ସର୍ବାଧିକ ୧୬୮ ଭୋଟ ବ୍ୟବଧାନ ରେ ହରାଇ ହର୍ଷ ବିଜୟୀ ହୋଇଛନ୍ତି l ଫଳରେ ଲରମ୍ଭା କଲେଜ ଛାତ୍ର ସଂସଦ ପାଇଁ ହୋଇଥିବା ଆଜିର ନିର୍ବାଚନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ସମର୍ଥିତ ପ୍ରାର୍ଥୀ ବାଜିମାତ କରିଛନ୍ତି l ଫଳାଫଳ ପ୍ରକାଶ ପରେ ଏବିଭିପି ସମର୍ଥିତ ବିଜୟୀ ପ୍ରାର୍ଥୀ ଲରମ୍ଭା ରେ ବିଜୟ ଉତ୍ସବ ପାଳନ କରିଛନ୍ତି l
ଲରମ୍ଭା କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋରଞ୍ଜନ ତ୍ରିପାଠୀ, ନିର୍ବାଚନ ପର୍ଯ୍ୟବେକ୍ଷକ ଗୁରୁଦେବ କୁଶଳ ଏବଂ ଗୋପାଳ ନାଏକ ନିର୍ବାଚନ ପରିଚାଳନା କରିଥିଲେ l ଆସନ୍ତାକାଲି ଶୁକ୍ରବାର ପୂର୍ବାହ୍ନ ୧୧ ସମୟରେ ବିଜୟୀ ପ୍ରାର୍ଥୀ ମାନେ ଶପଥ ପାଠ କରିବେ ବୋଲି ନିର୍ବାଚନ ଅଧିକାରୀ ମନୋରଞ୍ଜନ ତ୍ରିପାଠୀ ଜଣାଇଛନ୍ତି l
