ଆଜି ରାଜ୍ୟପାଳଙ୍କ ଅତାବିରା ଗସ୍ତ
ଅତାବିରା, ୧୦/୧୦ (ସଂସ୍କୃତି ମିଡ଼ିଆ ): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରି ବାବୁ କମ୍ଭମପତି ରବିବାର ବରଗଡ଼ ଜିଲ୍ଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଅତାବିରାବାସୀଙ୍କ ସହ ଭାବ ବିନିମୟ କରିବା ସହ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବେ।
ରାଜ୍ୟପାଳ ସକାଳ ୧୦ଟାରେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପରେ ଆୟୋଜିତ କୋଶଳ ଆନ୍ଧ୍ର ସାଂସ୍କୃତିକ ଅନୁଷ୍ଠାନର ୨୨ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି ଅବସରରେ ସେ ଅନୁଷ୍ଠାନର ସାଂସ୍କୃତିକ ପରମ୍ପରା, କଳା ଓ ସାହିତ୍ୟର ବିକାଶ ନେଇ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିବେ।
ପରେ ଅପରାହ୍ନ ୩ଟାରେ ରାଜ୍ୟପାଳ ଅତାବିରା ବ୍ଲକ୍ର ଲରାସରା ପଞ୍ଚାୟତ ଅନ୍ତର୍ଗତ ନୂଆଁଖଇରପାଲିସ୍ଥିତ କୋଶଳ ସ୍କୁଲରେ ପହଞ୍ଚିବେ। ସେଠାରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ’ ଅଧୀନରେ ଏସ୍ଟିଇଏମ୍ ଲାବ୍ ଏବଂ ଏରୋମୋଡେଲିଂ ଟ୍ରେନିଂ ସେଣ୍ଟରର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଲାବ୍ ଓ ଟ୍ରେନିଂ ସେଣ୍ଟର ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ପ୍ରତି ଆଗ୍ରହ ବଢ଼ିବା ସହ ଏରୋମୋଡେଲିଂ ଭଳି ଆଧୁନିକ ଶିକ୍ଷାଭିତ୍ତିକ କାର୍ଯ୍ୟକଳାପରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀ-ଶିକ୍ଷକ ଏବଂ ସମବେତ ଶିକ୍ଷାପ୍ରେମୀଙ୍କୁ ଉଦ୍ବୋଧନ ଦେବେ। ରାଜ୍ୟପାଳଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି। ଏହି ଗସ୍ତ ଅତାବିରାର ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରକୁ ନୂଆ ପରିଚୟ ଦେବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।
