ଶିବା ହତ୍ୟାକାଣ୍ଡ, ୨ ଅଭିଯୁକ୍ତ ଗିରଫ

0

ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଛୁରାମାଡ଼ରେ ଯୁବକ ମୃତ, ଦୁଇ ଅଭିଯୁକ୍ତ ଗିରଫ

ଅତାବିରା, ୨୦।୧୦ (ସଂସ୍କୃତି ମିଡ଼ିଆ): ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଅତାବିରା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ମୃତକ ହେଲେ ଅତାବିରା ବସ୍ତିର ଶିବା ବିଶ୍ୱାଳ। ଏହି ଘଟଣାରେ ଅତାବିରା ପୋଲିସ ଦୁଇ ଅଭିଯୁକ୍ତ ଦୀପକ ପଞ୍ଚମ (୨୨) ଓ ସାହିଲ ଡୁଙ୍ଗୁରୀ (୨୧)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପକଙ୍କଠାରୁ ଗୋଟିଏ ଛୁରି ଜବତ କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅତାବିରା ବସ୍ତିର ସୂର୍ଯ୍ୟକାନ୍ତି ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଦୀପକ ପଞ୍ଚମ ଓ ଅନ୍ୟ ଜଣେ ଯୁବକ ତାଙ୍କ ପୁଅ ଶିବାଙ୍କୁ ଘରୁ ଡାକି ନେଇଥିଲେ। ରାତି ପ୍ରାୟ ୧୦ଟାରେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ଏବଂ ମୃତଦେହ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ଅତାବିରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ, ମୃତକ ଶିବା ଓ ଅଭିଯୁକ୍ତମାନେ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ରାତି ପ୍ରାୟ ୮ଟାରେ ସେମାନେ ଏକାଠି ଭୋଇପୁରା ଯାଇ ଫେରୁଥିବା ସମୟରେ ଅତାବିରା-ଭୋଇପୁରା ବ୍ରିଜ୍‌ ନିକଟରେ ଦୀପକ ଶିବାଙ୍କୁ ପୂର୍ବରୁ ଧାର ଦେଇଥିବା ୪ ହଜାର ୫୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଶିବା ଦୀପକ ଓ ତାଙ୍କ ମାଆଙ୍କୁ ଗାଳିଗୁଲଜ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପକ ଶିବାଙ୍କୁ ଏକ ଛୁରିରେ ଏକାଧିକ ଥର ଆକ୍ରମଣ କରିଥିବା ଜଣାପଡ଼ିଛି। ଏହାପରେ ଦୀପକ ଓ ସାହିଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ଛାନଭିନ କରି ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ଏହି ଘଟଣାରେ ଅତାବିରା ଥାନା ପୋଲିସ କେସ୍‌ ନଂ ୪୩୭, ତାରିଖ ୧୯।୧୦।୨୦୨୬, ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୦୩(୧)/୩(୫) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!