ବରଗଡ଼ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ରାଷ୍ଟ୍ରୀୟ ଏକତା ଦିବସ ପାଳନ, ବରଗଡ଼ ପୋଲିସର ଅଭିନବ ପ୍ରୟାସ। ଏକତାର ବାର୍ତ୍ତା ସହ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ।
ବରଗଡ଼, ୩୧/୧୦(ସଂସ୍କୃତି ମିଡ଼ିଆ)-ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ବରଗଡ଼ ପୋଲିସ ପକ୍ଷରୁ ନିଆଯାଇଛି ଏକ ଅଭିନବ ପ୍ରୟାସ। ବରଗଡ଼ ଗାର୍ଲ୍ସ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଏକତା, ସାମାଜିକ ସଦ୍ଭାବନା ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଦିଆଯାଇଛି। କାର୍ଯ୍ୟକ୍ରମରେ ବରଗଡ଼ କ୍ରାଇମ୍ ଥାନା ଅଧିକାରୀ ଶଶିକାନ୍ତ ରାଉତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ମୂଲ୍ୟବାନ ପରାମର୍ଶ। ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା ସହ ଯୁବପିଢ଼ି ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ରାଉତ।
ରାଷ୍ଟ୍ରୀୟ ଏକତାର ଭାବନାକୁ ଆହୁରି ମଜଭୁତ କରିବା ସହ ସମାଜରେ ଭାଇଚାରା ଓ ସଦ୍ଭାବନାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟ। ଏଥିପାଇଁ ବରଗଡ଼ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
ବରଗଡ଼ ଗାର୍ଲ୍ସ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରାଇମ୍ ଥାନା ଅଧିକାରୀ ଶଶିକାନ୍ତ ରାଉତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏକତା ଓ ସାମାଜିକ ଦାୟିତ୍ୱବୋଧର ମହତ୍ତ୍ୱ ବୁଝାଇଥିଲେ। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଏକ ନୂତନ ତଥା ସୁସ୍ଥ ସମାଜ ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ନିଶା ସେବନ ଭଳି କୁଅଭ୍ୟାସକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଶ୍ରୀ ରାଉତ। ନିଶା କେବଳ ଜଣେ ବ୍ୟକ୍ତିର ଭବିଷ୍ୟତକୁ ନଷ୍ଟ କରେ ନାହିଁ, ବରଂ ପରିବାର ଓ ସମାଜ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥାଏ। ତେଣୁ ଛାତ୍ରଛାତ୍ରୀମାନେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଜରୁରୀ ବୋଲି ସେ ବାର୍ତ୍ତା ଦେଇଥିଲେ।
ରାଷ୍ଟ୍ରୀୟ ଏକତା ଦିବସରେ ବରଗଡ଼ ପୋଲିସର ଏଭଳି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ସାମାଜିକ ଦାୟିତ୍ୱବୋଧ ଓ ନିଶାମୁକ୍ତ ସମାଜ ଗଠନର ଚେତନା ସୃଷ୍ଟି କରିବାର ଏକ ଉଦ୍ୟମ।
