ବିଜେଡ଼ି ରାଜ୍ୟରେ ମିଛୁଆ ଙ୍କ ଚାଟଶାଳୀ ଖୋଲିଛି, ସତ୍ୟବ୍ରତ

0

ବରଗଡ଼ ୮/୫(ସଂସ୍କୃତି ମିଡ଼ିଆ )ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ପବିତ୍ର ଜନ୍ମମାଟି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସନିୟତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସ ଘାତକତା ପରଖି ସାରିଛି ।୨୦୧୬ ମସିହାରେ ମୋଦି ବରଗଡ଼ ମାଟିରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲୋକାର୍ପଣ କରିଥିଲେ ।ଆଜି ପର୍ଯ୍ୟନ୍ତ ଓଡ଼ିଶାର ୫୦.୦୩ ଲକ୍ଷ ଚାଷୀ ୬୬୮୬.୪୦ କୋଟି ଟଙ୍କାର ବୀମା ସହାୟତା ରାଶି ପାଇ ସାରିଛନ୍ତି । ଅନ୍ୟ ପକ୍ଷରେ ସେହି ୨୦୧୬ ରେ ମୁଖମନ୍ତ୍ରୀ ସୋହେଲା ଠାରେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ । କୌଣସି ଚାଷୀଙ୍କୁ ଏହି ବୋନସ ଦିଆଯାଇନାହିଁ । ସେହିପରି ପଦ୍ମପୁର ଜିଲ୍ଲା ଘୋଷଣା ପୁରଣ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି । ଗତ ନିର୍ବାଚନରେ ବିଜେପୁର ର ଦାୟିତ୍ୱ ସେ ନେବେ ବୋଲି ନବୀନ ବାବୁ ଘୋଷଣା କରିଥିଲେ କିନ୍ତୁ ୨ଟି ନିର୍ବାଚନ ମଣ୍ଡଳୀରୁ ଜିତି ସରିବା ପରେ ସେ ବିଜେପୁର ଆସନ ତ୍ୟାଗ କରିଥିଲେ । ସେ ବିଜେପୁର ରେ ଗୋଟିଏ ମଧ୍ୟ ରାତି ବିତାଇଲେ ନାହିଁ । ଏହା ପଶ୍ଚିମ ଓଡ଼ିଶା ପ୍ରତି ନବୀନ ବାବୁଙ୍କ ବିଶ୍ୱାସ ଘାତକତା ର ଅନ୍ୟତମ ଉଦାହରଣ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ବରଗଡ଼ ର ଏକ ହୋଟେଲ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।

ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ସରକାର ଘୋଷଣା ହେଲେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରାଯିବ , କଟନୀ ଛଟଣି ବନ୍ଦ ହେବ । ମହିଳା ମାନଙ୍କୁ ୫୦୦୦୦ ଟଙ୍କାର ବ୍ୟୟ ଭାଉଚର ଯୋଗେଇ ଦିଆଯିବ । ପଶ୍ଚିମ ଓଡ଼ିଶାରେ ୩ଟି ମେଗା ଟେକ୍ସ ଟାଇଲ ପାର୍କ ପ୍ରତିଷ୍ଠା କରାଯିବ ।ବରଗଡ଼ ସ୍ଥିତ ବରପାଲି ଠାରେ ଏକ ବିଶ୍ୱ ସ୍ତରୀୟ ଗଙ୍ଗାଧର ମେହେର କଳା ଓ ସଂସ୍କୃତି ଗବେଷଣା କେନ୍ଦ୍ର ନିର୍ମାଣ ହେବ ।ସେଠାରେ ସମ୍ବଲପୁରୀ କଳା, ସଂସ୍କୃତି ଓ ସାହିତ୍ୟର ଗବେଷଣା କୁ ପ୍ରୋତ୍ସାହନ ଦିଆଯିବ। ଧନୁଯାତ୍ରା ମହୋତ୍ସବ କୁ ବିଶ୍ୱ ସାଂସ୍କୃତିକ ଐତିହ ରେ ତାଲିକାଭୁକ୍ତ କରାଯାଇ ସେଠାରେ ପ୍ରଦର୍ଶନ କରୁଥିବା ପ୍ରତ୍ୟେକ କଳାକାର କୁ ୧୦୦୦୦ ଟଙ୍କା ସମ୍ମାନ ରାଶି ଦିଆଯିବ । କେନ୍ଦୁପତ୍ର ତୋଳାଳୀ ଙ୍କ ମଜୁରୀ ଓ ବୋନସ ବୃଦ୍ଧି ହେବ । ବରଗଡ଼ ଜିଲ୍ଲାର ଅନ୍ୟତମ ସୁପୁତ୍ର ଶହୀଦ ବୀର ମାଧୋ ସିଂ ଙ୍କ ସ୍ମୃତିରେ ଏକ ବୃତ୍ତି ପ୍ରଦାନ କରାଯିବ ।ଅଧାରୁ ପାଠ ଛାଡୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କୁ ନିୟମିତ କରିବା ପାଇଁ ଏହି ବୃତ୍ତିରେ ପ୍ରତି ଛାତ୍ର ଛାତ୍ରୀ ଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ । ବୁଣାକାର ଙ୍କୁ ୩୦୦୦ ରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯିବ । ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ,ବିଧବା ଓ ଅସହାୟ ଭତ୍ତା ୩୦୦୦ ରୁ ୩୫୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ଖାଲି ପଦପଦବୀ ସ୍ୱଛତାର ସହ ପୁରଣ କରାଯିବ ଏବଂ ଅଧିକ ୨ ଲକ୍ଷ ପଦ ପଦବୀ ସୃଷ୍ଟି କରି ବେକାରୀ ସମସ୍ୟାର ସମାଧାନ ନିମନ୍ତେ ଉଦ୍ୟମ କରାଯିବ ।

ସେହିପରି ଓଡ଼ିଶାର ଶାସନ କ୍ଷମତାକୁ ଆସିଲେ ପୁରୀ ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ଖୋଲାଯିବ ଓ ସେଥିରେ ଥିବା ମହାପ୍ରଭୁ ଙ୍କ ସମ୍ପତ୍ତିର ସବିଶେଷ ଅଡିଟ କରାଯିବ । ରତ୍ନ ଭଣ୍ଡାର ଚାବି ହଯିବା ପ୍ରହସନ ର ଉଚ୍ଚ ସ୍ତରୀୟ ତଦନ୍ତ ହେବ । ମନ୍ଦିରର ଚାରି ଦ୍ୱାର ଖୋଲାଯାଇ ଭକ୍ତ ମାନଙ୍କ କ୍ଳେଶ କୁ ଦୂର କରାଯିବ ବୋଲି ବିଜେପିର ସଂକଳ୍ପ ପତ୍ରକୁ ଉଧୃତ କରି ଶ୍ରୀ ପଣ୍ଡା ଘୋଷଣା କରିଥିଲେ ।

ଶିଶୁଙ୍କ ପୃଷ୍ଟି ହୀନତା ଓ ମହିଳାଙ୍କ ରକ୍ତ ହୀନତା ଦୃଷ୍ଟିରୁ ବରଗଡ଼ ଅନେକ ପଛରେ ପଡ଼ିଥିବାରୁ ଶ୍ରୀ ପଣ୍ଡା କ୍ଷୋଭ ପ୍ରକାଶ କରିଥିଲେ । ବୟସ ତୁଳନାରେ କମ ଉଚ୍ଚତା ଥିବା ଶିଶୁଙ୍କ ସଂଖ୍ୟା ଓଡ଼ିଶାରେ ୩୪.୦୧ ପ୍ରତିଶତ ଥିଲାବେଳେ ବରଗଡ଼ ଜିଲ୍ଲାରେ ତାହା ୩୯.୧୦ ପ୍ରତିଶତ। ଉଚ୍ଚତା ଅନୁଶାରେ କମ ଓଜନ ଥିବା ଶିଶୁଙ୍କ ଅନୁପାତ ରାଜ୍ୟରେ ୨୦.୦୪ ପ୍ରତିଶତ ଥିଲାବେଳେ ବରଗଡ଼ରେ ତାହା ୨୪.୨୦ ପ୍ରତିଶତ । ଓଡ଼ିଶାରେ ୫୧ ପ୍ରତିଶତ ମହିଳା ରକ୍ତହୀନତା ଭୋଗୁଥିଲା ବେଳେ ବରଗଡ଼ରେ ତାହା ୬୮.୫୦ ପ୍ରତିଶତ । ୨୫ ବର୍ଷର ଶାସନ ସତ୍ତ୍ୱେ ପୁଷ୍ଟିହୀନତା ର ଏହି ଚିତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରି ଆସନ୍ତା ନିର୍ବାଚନ ରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ନିମନ୍ତେ ଶ୍ରୀ ପଣ୍ଡା ଆହ୍ବାନ ଜଣାଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ କାର୍ୟ୍ଯକାରୀ ସଭାପତି ଡା ଅରୁପା ନନ୍ଦ ସାହୁ , ଲୋକସଭା ସଂଯୋଜକ ସୁରେଶ୍ଵର ଶତପଥୀ, ଲୋକସଭା ପ୍ରଭାରୀ ସବିତା ନନ୍ଦ, ମିଡ଼ିଆ ସଂଯୋଜକ ଅଶୋକ ପଣ୍ଡା, ଜାତୀୟ ପରିଷଦ ସଦସ୍ୟ ସୌରୀ ଚରଣ ବାରିକ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ ନାରାୟଣ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, ଜିଲ୍ଲା ପ୍ରବକ୍ତା ନବ କିଶୋର ପାଣିଗ୍ରାହୀ , ମିଡ଼ିଆ ସହ ସଂଯୋଜକ ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!