ସ୍ଵଭାଵ କବି ଗଙ୍ଗାଧର ମେହେର ଥିଲେ ଜଣେ କାଳଜୟୀ ସ୍ରଷ୍ଟା
ସ୍ଵଭାଵ କବି ଗଙ୍ଗାଧର ମେହେର ଥିଲେ ଜଣେ କାଳଜୟୀ ସ୍ରଷ୍ଟା
ଲରମ୍ଭା ମହାବିଦ୍ୟାଳୟରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ଅତାବିରା, ୫/୯(ସଂସ୍କୃତି ମିଡ଼ିଆ)- ସ୍ବଭାବ କବି ଗଙ୍ଗାଧର ମେହେର ଜଣେ କାଳଜୟୀ ସ୍ରଷ୍ଟା। ତାଙ୍କ ସାହିତ୍ୟ ସୃଷ୍ଟି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହ ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ନୂଆ ଦିଗ ଦେଇଛି। ଏଭଳି ଜଣେ ମହାନ ସାରସ୍ବତ ସାଧକଙ୍କ ଜୟନ୍ତୀ ଅବସରରେ ଶନିବାର ଲରମ୍ଭା ମହାବିଦ୍ୟାଳୟ ପରିସର ସାହିତ୍ୟମୟ ହୋଇଉଠିଥିଲା।
ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟଠାରେ ଶନିବାର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ଓଡ଼ିଆ ଭାଷାତତ୍ତ୍ୱବିତ୍ ଡ. ଶ୍ୟାମ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଶାନ୍ତିଲତା ବାରିକ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସ୍ବଭାବ କବି ଗଙ୍ଗାଧର ମେହେର ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ବ୍ରଜମୋହନଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସଭାରେ ବକ୍ତାମାନେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଏବଂ ମହାବିଦ୍ୟାଳୟର ପ୍ରତିଷ୍ଠାତା ବ୍ରଜମୋହନଙ୍କ ସହ ତାଙ୍କ ପତ୍ରାଳାପ ସମ୍ପର୍କରେ ଆଲୋଚନା କରିଥିଲେ। ଗଙ୍ଗାଧରଙ୍କ ସୃଜନଶୀଳତା, ସାହିତ୍ୟ ପ୍ରତି ନିଷ୍ଠା ଓ ସମାଜ ପ୍ରତି ତାଙ୍କ ଦାୟିତ୍ବବୋଧ ଆଜିର ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମତପ୍ରକାଶ ପାଇଥିଲା।
ଏହି ଅବସରରେ ଓଡ଼ିଆ ବିଭାଗର ସକ୍ରିୟ ଭୂମିକା ସହ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ମେହେର ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ମହାନ ସ୍ରଷ୍ଟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଶେଷରେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।
