ଅତାବିରାରେ ଗୁରୁଦିବସ ପାଳିତ
ଅତାବିରାରେ ଗୁରୁଦିବସ ପାଳିତ
ମଣିଷ ତିଆରି କରୁଥିବା ଶିକ୍ଷକଙ୍କ ଅବଦାନ ଅତୁଳନୀୟ
ଅତାବିରା, ୫/୯(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଶନିବାର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିବସ ଅବସରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି l ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଳ ମଣିଷ ତିଆରି କରୁଥିବା ଶିକ୍ଷକ ସେମାନଙ୍କ କାର୍ଯ୍ୟ ଶୈଳୀ, ସୁଶିକ୍ଷା ପ୍ରଦାନ, ଛୋଟ ଶିଶୁରୁ ଆରମ୍ଭ କରି ଭଲ ମଣିଷ ଗଠନ କରୁଥିବାରୁ ସେହି ଗୁରୁ ମାନଙ୍କୁ ନମସ୍ୟ କରି ଏଥି ସକାଶେ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ସାଂସଦ ଶ୍ରୀ ପୁରୋହିତ ମତ ବ୍ୟକ୍ତ କରିଥିଲେ l

୧୯୬୪ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ଅନୁସଙ୍ଗିକ ଅବ୍ୟବସ୍ଥା ଦେଖି ସାଂସଦ କ୍ଷୋଭ ପ୍ରକାଶ କରିଥିଲେ l ତୁରନ୍ତ ତାଙ୍କ ସାଂସଦ ଫଣ୍ଡରୁ ଆର୍ଥିକ ଅନୁଦାନ ଦେବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଫଣ୍ଡରୁ ୨୦ ଲକ୍ଷ ଟଙ୍କାରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ l ଗୁରୁ ଦିବସ ଅବସରରେ ଏକ ଛାତ୍ରୀଛାତ୍ରମାନେ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ଗୀତ ପରିବେଷଣ କରିଥିଲେ l ସେହିପରି ସ୍ଥାନୀୟ ଦୁର୍ଗା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଅତାବିରା ତରଫରୁ ବ୍ଲକ୍ ସ୍ତରୀୟ ୫୧ତମ ଗୁରୁଦିବସ ସଂଘର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମଧ୍ୟ ମୁଖ୍ୟଅତିଥି ରୂପେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ସରୋଜ କୁମାର ଭୁଏ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ ଏବଂ କାର୍ତ୍ତିକ ବାଗ ମଞ୍ଚାସିନ ଥିଲେ ।

ସଂଘର ସହ ସମ୍ପାଦକ ଲୋକନାଥ ମହାନନ୍ଦ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ନନ୍ଦିଘୋଷ ଭୁଏ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିରାଣୀ ନନ୍ଦ,ମୀମାଂସା ଯୋଶୀ,ଯୋଗେଶ୍ୱରି ଦଂଶନା,ରଞ୍ଜୁଲତା ମିଶ୍ର ଏବଂ କଲ୍ୟାଣୀ ପତି ପ୍ରମୁଖ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରେ ଅବସର ଗ୍ରହଣ କରିଥିବା ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର,ଉପଢୌକନ ଏବଂ ଫୁଳମାଳ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତା ସହ ପୂର୍ବ ବର୍ଷ ମାନଙ୍କରେ ଅବସର ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଫୁଲ ଚନ୍ଦନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ନିମନ୍ତ୍ରିତ ଅତିଥି ବୃନ୍ଦ ଗୁରୁ ଶିଷ୍ୟ ଭାରତୀୟ ପରମ୍ପରା ଉପରେ ନିଜ ନିଜ ଅଭିଭାଷଣ ରଖିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସନ୍ତୋଷ କାଲୋ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ସହଯୋଗ କରିଥିଲେ ।
*ଅତାବିରା ବାଳିକା ହାଇସ୍କୁଲ ଗୁରୁଦିବସ ପାଳନ ମଞ୍ଚରୁ ଜୟ ପ୍ରକାଶ ବରାଇଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ…….*
