ବରଗଡ଼,୧୦।୫(ସଂସ୍କୃତି ମିଡ଼ିଆ ):ସକାଳ ପାଇଲେ ବରଗଡ଼ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ବରଗଡ଼ରେ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସନ୍ତାକାଲି ମେ 11 ଶନିବାର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି ମଧ୍ୟାହ୍ନ ୧୨ଟାରେ ପହଞ୍ଚି ତାଙ୍କ ଏହି ଗସ୍ତରେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲଗେଟ୍‌ ସନ୍ନିକଟ ବିକାଶ ଭିନଟେଜ୍‌ରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବେ । ଜିଲାରେ ଆସନ୍ତା ୨୦ତାରିଖ ମତଦାନ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ତେବେ ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ସୁରକ୍ଷିତ ଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବରଗଡ଼ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ହେଲିପ୍ୟାଡ଼, ସଭାସ୍ଥଳୀରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ ସହିତ ରୁଟ୍‌ ଲାଇନିଂ ଏବଂ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ୫ଏସପି, ୪ଅତିରିକ୍ତ ଏସପି, ୧୨ଡିଏସପି, ୨୭ଇନ୍ସପେକ୍ଟର, ୧୮୦ସବ୍‌ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର, ୨୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୪୦୦ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଥିବା ଏସପି ମୀନା ସୂଚନା ଦେଇଛନ୍ତି । ସେହିପରି ସଭାସ୍ଥଳୀ ପରିସର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରୋନ ଉଡ଼ାଣ ଉପରେ କଟକଣା ରହିଛି ।

ସୂଚନାଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ରର ସମ୍ବଲପୁର, ରେଙ୍ଗାଲି ଏବଂ ରେଢ଼ାଖୋଲର ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୬ ଫେବୃୟାରୀ ୨୧ତାରିଖ ପ୍ରଥମଥର ପାଇଁ ବରଗଡ଼ ଗସ୍ତରେ ଆସିଥିଲେ । ସେତେବେଳେ ସେ ବରଗଡ଼ରୁ ଦେଶର କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଘୋଷଣା କରିଥିଲେ। ତେବେ ଦୀର୍ଘ ୮ବର୍ଷ ବ୍ୟବଧାନରେ ମୋଦି ପୁଣି ବରଗଡ଼ ଗସ୍ତରେ ଆସୁଥିବା ଏବଂ ଅତି ନିକଟ ମେ 20 ଅର୍ଥାତ ଆଉ 10 ଦିନ ପରେ ସାଧାରଣ ନିର୍ବାଚନ ପାଇଁ ଜିଲାରେ ମତଦାନ ଥିବା ଯୋଗୁ ଏଥର କୃଷକଙ୍କ ପ୍ରତି ମୋଦିଙ୍କ କିଭଳି ଆଭିମୁଖ୍ୟ ରହିବ, ସେଥିପ୍ରତି ସଭିଙ୍କ ନଜର ରହିଛି ।


Leave a Reply

Your email address will not be published. Required fields are marked *

error: Content is protected !!