ଭଟଲି ରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ
ଭଟଲି, ୩୦।୭(ସଂସ୍କୃତି ମିଡ଼ିଆ )-ବାଘକୁ ଶକ୍ତି, ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟର ପ୍ରତୀକ ରୂପେ ବିବେଚନା କରାଯାଏ । ତେବେ ଏହାର ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି। ସେମାନଙ୍କ ସୁରକ୍ଷା ସକାଶେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଯୋଜନା ମାନ ପ୍ରସ୍ତୁତ ହେଉଛି । ସେଥିପାଇଁ ଦେଶରେ ଜୁଲାଇ ୨୯ ତାରିଖକୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳିତ କରାଯାଉଛି । ତେବେ ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଛାତ୍ରୀ ମାନଙ୍କ ମଧ୍ୟରେ ନନ୍ଦନକାନନ ଦ୍ଵାରା ପ୍ରସ୍ତୁତ ହୋଇଥିବା କୁଇଜ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଇଜ୍ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ମହାନନ୍ଦ ଏବଂ ସ୍ବପ୍ନା ସାହୁ ପରିଚାଳନା କରିଥିଲେ । ପରେ ଅନୁଷ୍ଠିତ ଉତ୍ସବରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭଟଲି ବନପାଲ ରାଜେନ୍ଦ୍ର ସିଂ ଏବଂ ବନରକ୍ଷୀ କକୟା ବେସନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାଘ୍ର ସଂରକ୍ଷଣର ଆବଶ୍ୟକତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ କୁନିକୁନି ପିଲାମାନେ ହିଁ ଜନସାଧାରଣଙ୍କୁ ସଚେତନ କରିବାର ପ୍ରକୃଷ୍ଠ ମାଧ୍ୟମ ହୋଇଥିବାରୁ ସେମାନେ ଆଗକୁ ଆସି ବନ୍ୟ ଜନ୍ତୁ ସଂରକ୍ଷଣ ପାଇଁ ଉଦ୍ୟମ କରିବେ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ନନ୍ଦନକାନନ ଜୁ ଅମ୍ବାସେଡୋର କ୍ଷଣିକା ପ୍ରସନ୍ନା ଷଡଙ୍ଗୀ ଅନ୍ୟ ଛାତ୍ରୀ ମାନଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରୀ ନନ୍ଦିନୀ ଭୁଏ ନିଜେ ବାଘ ରୂପରେ ନିଜକୁ ପ୍ରଦର୍ଶନ କରି ବିଲୁପ୍ତ ପ୍ରାୟ ଅବସ୍ଥାରେ ରହିଥିବା ବାଘ ସଂରକ୍ଷଣ ପ୍ରତି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

