ସାମୂହିକ ସ୍ୱାଧୀନତା ଦିବସ ପାଳନ ପାଇଁ ବୈଠକ
ଅତାବିରା, ୨୭/୭(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରାରେ ବହୁ ବର୍ଷ ହେଲା ବ୍ଲକସ୍ତରୀୟ ସାମୁହିକ ଭାବେ ସ୍ୱାଧୀନତା ଦିବସ ପାଳନ ହେଉ ନାହିଁ l ଏହାକୁ ନେଇ କୋଶଳ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି l ସଂଘର ଆହ୍ୱାନକ୍ରମେ ରବିବାର ଅତାବିରା ଓକିଲ ସଂଘ ପରିସରରେ ସ୍ଥାନୀୟ ସମସ୍ତ ଅନୁଷ୍ଠାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ କିଭଳି ସାମୁହିକ ଭାବେ ସ୍ୱାଧୀନତା ଦିବସ ପାଳନର ଆୟୋଜନ ହୋଇପାରିବ ସେନେଇ ସୋମବାର ସକାଳ ୧୧ ଟା ସମୟରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ବୈଠକରେ କୋଶଳ ଅବସରପ୍ରାପ୍ତ ସୈନିକ ସଂଘ ସମେତ ଓକିଲ ସଂଘ, ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ, ଭି.ଏସ. ଏସ କ୍ଳବ, ବଣିକ ସଂଘ, କୃଷକ ସଂଘ, ବରିଷ୍ଠ ନାଗରିକ ସଂଘ, ମାରୱାଡି ସମାଜ, ଜନ କଲ୍ୟାଣ କୁଳିତା ସମାଜ, କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘ, ଦୁର୍ଗା ମନ୍ଦିର କମିଟି, ଟ୍ରକ ମାଲିକ ସଂଘ, ମୁସଲିମ୍ କମିଟି, ଖବରଦାତା ସଂଘ ଆଦି ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
