ଜାଙ୍ଗେଡ ଠାରେ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ପୁସ୍ତକ ଉନ୍ମୋଚନ ଓ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବ

0

ଅତାବିରା,୧୯/୧୦(ସଂସ୍କୃତି ମିଡ଼ିଆ )-ପରିଚୟ ତଥା ଅର୍ଥାଭାବରୁ ଦିନେ କାଳର କରାଳ ଗର୍ଭରେ ଳୀନ ହୋଇଯାଇଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ ଗ୍ରାମର ସ୍ବର୍ଗତ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଆଜି ସକାଳ ଦିନ ୧୧ ଟା ସମୟରେ ଜାଙ୍ଗେଡ ମାର୍କେଟ ନିକଟରେ ଥିବା ନିଜ ବାସଭବନ ସମ୍ମୁଖରେ ବହୁ ଆଡ଼ମ୍ବରରେ ତାଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ କାବ୍ୟ କବିତା ଚଉତିଶା ଜଣାଣ କୁ ନେଇ ଏକ ପୁସ୍ତକ “ହଜ୍’ଲା ଧନ୍’କେ ଖୁଜଲା ମନ୍” ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ସଭାପତି ଭାବେ ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରାର ନାଟ୍ୟକାର ମନୋଜ ଭୋଇ, ମୁଖ୍ୟ ଅତିଥି ଲୋକ କବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ସମ୍ମାନିତ ଅତିଥି ଚଳଚିତ୍ର ଅଭିନେତ୍ରୀ ଡଃ ତପସ୍ୱୀନୀ ଗୁରୁ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଧର୍ମରାଜ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଭାଷା ସାହିତ୍ୟ ଗବେଷକ ତଥା ସଙ୍ଗଠକ ଉତ୍ପନ୍ନ କୁମାର ଭୋଇ, ସମୀକ୍ଷକ ଭାବେ ଭାଷା ସାହିତ୍ୟ ଗବେଷକ ତଥା ସଙ୍ଗଠକ ମୋହନ ସାହୁ,ସହ ସମୀକ୍ଷକ ଅଧ୍ୟାପକ ତଥା ଗବେଷକ ଲୋକ ସାହିତ୍ୟ ଡଃ ଅଜିତ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ସମସ୍ତ ଅତିଥି ଗଣଙ୍କୁ ଗିନି, ମୃଦଙ୍ଗ, ଘଣ୍ଟ ଶଂଖ, ହରିବୋଲ ହୁଳହୁଳି ତାଳେ ତାଳେ ପାଛୋଟି ଆଣି ପଦ୍ମଶ୍ରୀ ଲୋକ କବି ରତ୍ନ ଡକ୍ଟର ହଳଧର ନାଗ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ତପସ୍ୱୀନୀ ଗୁରୁଙ୍କ କରକମଲରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପନିକା ଡନସନାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା।ସମସ୍ତଙ୍କୁ ଅତିଥି ସତ୍କାର କରି ପାଦ ଧୋଇ ମଞ୍ଚକୁ ଆମନ୍ତ୍ରଣ ପରେ ମାଁ ସରସ୍ବତୀଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା।ପୁଷ୍ପଗୁଛ ଉତ୍ତରୀୟ ଦେବା ପରେ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ନାଟ୍ୟକାର ମନୋଜ ଭୋଇ । ସମସ୍ତ ଅତିଥିଗଣ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଜିବନୀ, ସାହିତ୍ୟ କୃତୀକୁ ବିଷଦ ଭାବେ ଆଲୋଚନା କରି ଭାଷା ସାହିତ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ମତ ବ୍ୟକ୍ତ କରିବା ସହ ଆଜିର ଦିନଟି ସମ୍ବଲପୁରୀ/କୋଶଲି ଭାଷା ସାହିତ୍ୟ ପାଇଁ ଏକ ଐତିହାସିକ ଦିନ ହୋଇ ରହିବ ଏବଂ ସମ୍ବଲପୁରୀ ସାହିତ୍ୟର ଇତିହାସ ରେ ପନିକା ଡନସନାଙ୍କ ନାମ ଚିରଦିନ ପାଇଁ ରହିବ ବୋଲି କହିଥିଲେ ଭାଷା ସାହିତ୍ୟ ଗବେଷକ ମୋହନ ସାହୁ ଏବଂ ଭାଷା ସଙ୍ଗଠକ ଉତ୍ପନ୍ନ କୁମାର ଭୋଇ।ପନିକା ଡନସନାଙ୍କ ପୁସ୍ତକ ଉପରେ ଚର୍ଚ୍ଚା କରି ତାଙ୍କ ଲେଖନୀ ଚାଳନା ଏବଂ ଶଦ୍ଦ ଚାତୁରି ଅତି ଚମତ୍କାର ବୋଲି ମତ ପ୍ରକାଶ କରିଥଲେ ଅଧ୍ୟାପକ ତଥା ଭାଷା ଗବେଷକ ଅଜିତ କୁମାର ନାଥ।ଏହି ପରି ଜଣେ ଅନନ୍ୟ ପ୍ରତିଭା କୁ ଲୋକଲୋଚନକୁ ଆଣିବା ପଛରେ ଆଞ୍ଚଳିକ ସାହିତ୍ୟ ପରିଷଦ ର ଯୁବକବି କିଶୋର ଚନ୍ଦ୍ର ପାତ୍ର ଏବଂ ଦୁର୍ଲ୍ଲଭ ଗଡତିଆଙ୍କୁ ସାଧୁବାଦ ଜଣେଇ ଥିଲେ ନାଟ୍ୟକାର ମନୋଜ ଭୋଇ ଏବଂ ପ୍ରତିମୂର୍ତ୍ତି ସ୍ଥାପନ କରି ଜଣେ ସୁପୁତ୍ର ର ପରିଚୟ ଦେଇଛନ୍ତି ବୋଲି ପଞ୍ଚମ ଡନସନାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ବରିଷ୍ଠ କବି ବୁଧୁ ମାଝୀ। ଗ୍ରାମର ଖେଦୁ ପ୍ରଧାନ , ଶେଷଦେବ ଭୁଏଙ୍କ ସହଯୋଗ ବିନା ଏସବୁ ଅସମ୍ଭବ ଥିଲା ବୋଲି କହନ୍ତି ଯୁବକବି କିଶୋର ଚନ୍ଦ୍ର ପାତ୍ର।ପନିକା ଡନସନାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା କାରିଗର ଅମୁଲ୍ୟ କୁମାର ଭୋଇ (କପାସିରା, ବରଗଡ଼) ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଏହି ପରି ନିଆରା କାର୍ଯ୍ୟକୁ ଅତି ଆଦର ସହକାରେ କରିଥିବାରୁ ପନିକା ଡନସନାଙ୍କ ପୁତ୍ର ପଞ୍ଚମ ଡନସନାଙ୍କ ସପରିବାର ବର୍ଗଙ୍କୁ ଙ୍କୁ ମଞ୍ଚ ଆମନ୍ତ୍ରଣ କରି ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।

ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ର ଉପଦେଷ୍ଟା ଶିକ୍ଷାବିତ ତଥା ସାମ୍ବାଦିକ କୈଳାସ ମହାରଣା, ଯୁବ ସାହିତ୍ୟିକ କବି କିଶୋର ଚନ୍ଦ୍ର ପାତ୍ର, ଶିକ୍ଷକ ତଥା ସାମାଜିକ କର୍ମି ଅମୃତ ବାରିକ, ବରିଷ୍ଠ କବି ବୁଧୁ ମାଝୀ, ସଞ୍ଜୁ ପ୍ରଧାନ,ଯୁବକବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରାଇଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ କବିତା ଆସରରେ ବିଶିଷ୍ଟ ସାହିତ୍ୟିକ ତଥା କବି କମଳ ଲୋଚନ ପଣ୍ଡା, ଧର୍ମରାଜ ପ୍ରଧାନ ,ବୁଧୁ ମାଝୀ, ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ, କିଶୋର ଚନ୍ଦ୍ର ପାତ୍ର ନିଜସ୍ଵ କବିତା ପାଠ କରି ଦର୍ଶକମାନଙ୍କ ମନକୁ ଜିଣି ନେଇଥିଲେ।ନାଟ୍ୟକାର ପ୍ରହଲ୍ଲାଦ ସେଠ୍, ଔପନ୍ୟାସିକ ତେଜରୁ ବାରିକ, କବି ତଥା ସମାଜସେବୀ ଉମେଶ ପ୍ରଧାନ,ଲକ୍ଷଣ ମଲ୍ଲିକ, ମୋହନ ମହାନନ୍ଦ, ସମ୍ବଲପୁରୀ ଗୁଛା ଅମାପାଲିର ଭାଷା ସାହିତ୍ୟର ପ୍ରଚାରକ ଯୁବକବି ମାନସ ରଞ୍ଜନ ଦାଶ ବହି ପସରା ଆଣିବା ସହ ଆଖ ପାଖ ଅଞ୍ଚଳରୁ ବହୁ ଭାଷା ପ୍ରେମୀ ସାହିତ୍ୟିକ ଏଥିରେ ଯୋଗ ଦେଇଥିଲେ।ଏହି ଅବସରରେ ଶିକ୍ଷକ ସୁଦାମ ଭୁଏଙ୍କ ପରିଚାଳନାରେ ଜାଙ୍ଗେଡ ଗ୍ରାମର କୁନି କୁନି ଛାତ୍ରଛାତ୍ରୀମାନେ ସ୍ୱର୍ଗତ ଆଶୁ କବି ତଥା ନାଟ୍ୟକାର ପନିକା ଡନସନାଙ୍କ ଭଜନ ତଥା ସଂଗୀତରେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ସମସ୍ତଙ୍କୁ ମାନପତ୍ର ଏବଂ ମୋମେଣ୍ଟୋ ଦେଇ ସମ୍ମାନୀତ କରାଯାଇଥିଲା।ଆଖ ପାଖ ଅଞ୍ଚଳରୁ ଆସି ଥିବା ସମସ୍ତ କବି , କଳାକାର, ଭାଷା ସାହିତ୍ୟ ପ୍ରେମୀ ଦର୍ଶକ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଆଞ୍ଚଳିକ ସାହିତ୍ୟ ପରିଷଦ ର ସଭାପତି ଦଶରଥ ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ। ପଞ୍ଚମ ଡନସନାଙ୍କ ପରିବାର, ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ସମେତ ଏହି କାର୍ଯ୍ୟକ୍ରମକୁ ସଫଲ କରାଇବାରେ ଜାଙ୍ଗେଡ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।


Leave a Reply

Your email address will not be published. Required fields are marked *

error: Content is protected !!