ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ ସମ୍ପାଦକ ଦମ୍ପତି
ଅତାବିରା, ୨୨/୧୦(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ୨୨ ତାରିଖ ବୁଧବାର ପୂର୍ବାହ୍ନ ୧୧ଟାରୁ ଉଭୟ ପତ୍ନୀ ପତି (ଦମ୍ପତି) ଧାରଣାରେ ବସିଛନ୍ତି l
ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଗତ ୧୯୬୯ ମସିହା ଜୁନ ୧୬ ତାରିଖରୁ ୨୦୧୧ ମାର୍ଚ୍ଚ ୩୧ ତାରିଖ ଯାଏଁ ଦୀର୍ଘ ୪୨ ବର୍ଷ ଅଭିଯୋଗକରି ଶ୍ରୀ ପଣ୍ଡା ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ l ସେ ଅଭିଯୋଗ କରିଛନ୍ତି ଯେ, ୧୯୭୪ ମସିହାରୁ ଆଜି ଯାଏଁ ବିଭିନ୍ନ ସମୟରେ ସମିତି ତାଙ୍କ ଉପରେ ଭିନ୍ନ ଭିନ୍ନ ଅନ୍ୟାୟ ତଥା ବେଆଇନ କାର୍ଯ୍ୟାନୁଷ୍ଠାନ ଦେଇ ପାରିବାରିକ, ସାମାଜିକ, ଆର୍ଥିକ, ଶାରୀରିକ, ବଳପୁର୍ବକ ଆକ୍ରୋଶମୂଳକ ଭାବେ ନିର୍ଯ୍ୟାତନା ଦେଇ ଆସିଛନ୍ତି l ଶ୍ରମ ଅଦାଲତ ମକର୍ଦ୍ଧମା ଉପରେ ଓଡ଼ିଶା ଉଚ୍ଚତମ ନ୍ୟାୟଲୟ ମକର୍ଦ୍ଧମା ନଂ ୧୦୬୬/୧୯୭୭ ଉପରେ ୧୫/୯/୧୯୮୧ ଅନୁସାରେ ଶ୍ରୀ ପଣ୍ଡା ଙ୍କୁ ୨୦/୫/୧୯୮୨ ତାରିଖରେ ପୁନଃ ଲରମ୍ଭା ପ୍ୟାକ୍ସରେ ନିଯୁକ୍ତି କରି ବକେୟା ଦରମା ପ୍ରଦାନ କରିବାକୁ ରାୟ ପ୍ରକାଶ ପାଇଥିଲା ବୋଲି ଅଭିଯୋଗକାରୀ କହିଛନ୍ତି l ତେବେ ଏ ସବୁ ହେବା ସତ୍ୱେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ବକେୟା ଦରମାକୁ ସମିତି ପକ୍ଷରୁ ସେଟେଲମେଣ୍ଟ କରିଦେବା ଏବଂ ନୂତନ ସ୍କେଲ ଅନୁସାରେ ଦରମା ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି l ଏ ନେଇ ଗତ ସେପ୍ଟେମ୍ବର ୧ ତାରିଖ ଲରମ୍ଭା ସଭାପତିଙ୍କ ସମେତ ଭୁବନେଶ୍ୱର ସମବାୟ ସମିତି ସମୂହ ନିବନ୍ଧକ, କମିଶନର, ଅଡିଟର ଜେନେରାଲ ଅଫ କୋଅପରେଟିଭ ସୋସାଇଟି ଓଡିଶା ଆଦି ବିଭିନ୍ନ ପ୍ରମୁଖ ଅଧିକାରୀଙ୍କୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦ ରେ ନ୍ୟାୟ ଦାବୀ କରି ୭ ଦଫା ଦାବୀ ସମ୍ବିଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ତେବେ ଏହା ସତ୍ୱେ ନ୍ୟାୟ ନ ମିଳିବାରୁ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ପୁନଃ ଏକ ପତ୍ର ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଖବରଦାତା ସମୂହ ଙ୍କୁ ପଠାଇ ଆଜି ବୁଧବାର ଅକ୍ଟୋବର ମାସ ୨୨ ତାରିଖରୁ ଧର୍ମପତ୍ନୀ ତରଙ୍ଗିଣୀ ପଣ୍ଡାଙ୍କ ସହ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ବାରଣ୍ଡାରେ ଅହୋରାତ୍ର ଧାରଣା ଦେବାକୁ ଅଭିଯୋଗକାରୀ ସନ୍ତୋଷ କୁମାର ପଣ୍ଡା ଲିଖିତ ଭାବେ ଜଣାଇ ଧାରଣାରେ ବସିଛନ୍ତି l ଏ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଡିଭିଜନ ପତ୍ର ସଂଖ୍ୟା ୧୧୬୮୯/୦୯/୧୦/୨୦୨୫ ଅନୁସାରେ ବରଗଡ଼ ଜିଲାପାଳ ଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି l ଇତି ମଧ୍ୟରେ ଲରମ୍ଭା ପ୍ୟାକ୍ସ ରେ ସଦସ୍ୟଙ୍କୁ ନେଇ ଏକ ବୈଠକ ବସି ଏହା ଉପରେ ଆଲୋଚନା ହୋଇଥିବା ଜଣାପଡିଛି l
ଶ୍ରୀ ପଣ୍ଡାଙ୍କ ଧାରଣାକୁ ଲରମ୍ଭା ବରିଷ୍ଠ ନାଗରିକ ସଂଘ ସମର୍ଥନ କରି ଧାରଣସ୍ଥଳରେ ବହୂ ସଦସ୍ୟ ରହିଛନ୍ତି l
