ନଭେମ୍ବର ୧୫ ରୁ ୭ ଦିନ ଧରି ସମ୍ବଲପୁର ମହୋତ୍ସବ-୨୦୨୫
ସମ୍ବଲପୁର:ତା.୨୧/୧୦ (ସଂସ୍କୃତି ମିଡିଆ)ଆସନ୍ତା ନଭେମ୍ବର ୧୫ ତାରିଖରୁ ୨୧ ତାରିଖ ସାତ ଦିନ ଧରି ହେବ ‘ସମ୍ବଲପୁର ମହୋତ୍ସବ-୨୦୨୫’। ଏହା ସହିତ ମନ୍ହରି ହାଟ୍, ସମ୍ବଲପୁରୀ ଖାନାପିନା, ମୀନା ବଜାର୍, ଷ୍ଟଲ୍ ଓ ବିଭିନ୍ନ ପ୍ରଦର୍ଶନୀ ୧୫ ନଭେମ୍ବର ରୁ ୩୦ ନଭେମ୍ବର ଷୋହଳ ଦିନ ଧରି ଚାଲିବ। ଏଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ସ୍ଥାନୀୟ ବିର୍ସା ମୁଣ୍ଡା କଲ୍ୟାଣ ମଣ୍ଡପଠାରେ ରବିବାର ସନ୍ଧ୍ୟାରେ ଏକ ବୈଠକ ବସି ମହୋତ୍ସବ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହୋତ୍ସବ ପାଇଁ ଉପଦେଷ୍ଟା ମଣ୍ଡଳୀ, କାର୍ଯ୍ୟକାରୀ ସମିତି ଓ ବିଭିନ୍ନ ସବ୍ କମିଟୀ ପାଇଁ ଆବାହକ ମଣ୍ଡଳୀ ଗଠନ ହୋଇଛି। ଏଥିରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରୁ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ରତ୍ନଭୂଷଣ ପୃଷେଠ୍ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଆୟୋଜନ କମିଟିର ପ୍ରସ୍ତୁତି ବୈଠକ। ଏଥିପାଇଁ ପ୍ରାୟ ୪୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ଇଂ.ସୁଶାନ୍ତ ଗୁରୁ, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ରତ୍ନ ଭୂଷଣ ପୃଷେଠ୍, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳର ପୂର୍ବତନ କୁଳପତି ପ୍ରଫେସର ସାଧୁଚରଣ ପଣ୍ଡା ପ୍ରମୂଖ ରହିଥିବା ବେଳେ ଆଗାମୀ ଦିନରେ ଏଥିରେ ଅନ୍ୟାନ୍ୟ ଉପଦେଷ୍ଟା ସଦସ୍ୟଙ୍କୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାରୀ ସମିତିର ବରିଷ୍ଠ ସଦସ୍ୟ ଭାବରେ ପ୍ରଫେସର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସଂସ୍କୃତି ରତ୍ନ କାର୍ତ୍ତିକ ବହିଦାର, ସାଧକଶ୍ରୀ ସଦାନନ୍ଦ ପଣ୍ଡା, ପ୍ରାକ୍ତନ ବୀମା ପ୍ରଶାସକ ପ୍ରସନ୍ନ ଆଚାର୍ଯ୍ୟ, ବେତାର ପ୍ରଶାସକ କ୍ଷେତ୍ରମଣି ବିଭାର, ପ୍ରାଣୀ ବିଭାଗ ପ୍ରଶାସକ ଡ଼.ପ୍ରଦୀପ କୁମାର ସେଠ୍, ଶ୍ରୀମତି ଦୀପାଳି ଚୌଧୂରୀ, ସୁବ୍ରତ ବିର୍ତ୍ତିଆ, ଚାଷୀନେତା ଦେବେନ୍ଦ୍ର ପ୍ରଧାନ, ସମାଜସେବୀ ଶିବ ପ୍ରଧାନ, ସମୀର ବାବୁ, ସୁଧୀର ରଂଜନ ବହିଦାର, ଅମୂଲ୍ୟ ମିଶ୍ର ଓ ସୁଶାନ୍ତ ପୂରୋହିତ, ଶିକ୍ଷାବିତ ମୂରାରୀ ପ୍ରସାଦ ଗୁରୁ ପ୍ରମୂଖ ରହିଥିବା ବେଳେ ଡ. ସପନ ମିଶ୍ର ସଂଯୋଜକର ଦାୟିତ୍ବ ନିର୍ବାହ କରିବେ। ମହୋତ୍ସବ ପରିଚାଳନା ପାଇଁ ବିଭିନ୍ନ ସବ କମିଟିରେ ଗୀତ-ସଂଗୀତ ପାଇଁ ବିଶିଷ୍ଟ ଗାୟକ ରବିନ୍ଦ୍ର ପଣ୍ଡା ଓ ଗାୟକ ରାଜ୍କୁମାର ଜାଲ୍, ଧରଣୀଧର ନାଥ ରହିଛନ୍ତି। ଭାଷା-ସାହିତ୍ୟ-କବିତା ପାଠ ସବ୍ କମିଟୀ ପାଇଁ ମାନସ ଷଡ଼ଙ୍ଗୀ, ସ୍ମରଣିକା (ସୋରରଖା) ପାଇଁ ସୋମଦତ୍ତ ପ୍ରଧାନ, ସାଂସ୍କୃତିକ ଦଳ ଚୟନ ପାଇଁ ଗୁରୁ ରଂଜନ ସାହୁଙ୍କ ତତ୍ତ୍ଵାବଧାନରେ ଗୁରୁ ଦୁର୍ଗା ପ୍ରସାଦ ଦାଶ, ଗୁରୁ ଆଲୋକ ପଣ୍ଡା, ଖାଦ୍ୟ ଓ ରହଣୀ ପାଇଁ ଅନୂଜ ଜେନାଙ୍କ ସହ ସୁଧାସିନ୍ଧୁ ଖୁଣ୍ଟିଆ, ସ୍ୱଚ୍ଛତା ପାଇଁ ସମାଜସେବୀ ସୌରୀନାରାୟଣ ପାଣିଗ୍ରାହୀ, ଚିତ୍ରାଙ୍କନ,ହସ୍ତକଳା ଓ ମୃତ୍ତିକା କଳା ପାଇଁ କଳାକାର ଏଲ୍. ଏନ. ପୂଝାରୀ ଓ ଉଦ୍ଘୋଷଣାରେ ଭବତୋଷ ବିଶି ରହିଛନ୍ତି। ଚଳିତ ବର୍ଷ ସମ୍ବଲପୁର ମହୋତ୍ସବରେ ଲୁପ୍ତପ୍ରାୟ ଲୋକକଳା ସହ ଆଦିବାସୀ, ସାଂପ୍ରତିକ ଗୀତ ନୂତ୍ୟ ପ୍ରଦର୍ଶନ କରାଯିବ। ‘ସୁଆଦ୍ ସମ୍ବଲ୍ପୁରୀ’ ସ୍ବତନ୍ତ୍ର ଭାବେ ପଶ୍ଚିମାଂଚଳର ସ୍ବକୀୟ ଖାଦ୍ୟ ପ୍ରଦର୍ଶନୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସୁବ୍ରତ ବିର୍ତ୍ତିଆ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ କଳାକାର, ଭାଷା-ସାହିତ୍ୟିକ, ନାଟ୍ୟକାର, ଚିନ୍ତା ନାୟକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ମଞ୍ଚରେ ଠିଆ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ସମାଜସେବୀ ସଂସ୍କୃତି ରତ୍ନ କାର୍ତ୍ତିକ ବହିଦାର ପଶ୍ଚିମାଞ୍ଚଳର ସାଢ଼େ ଦଶଟି ଜିଲ୍ଲାର ଅସ୍ମିତାକୁ ନେଇ ଏହି ମହୋତ୍ସବ ମାଧ୍ୟମରେ ପ୍ରତିଫଳନ କରିବାକୁ ଅନୁରୋଧ କରିଥିଲେ। ବୀମା ପ୍ରଶାସକ ପ୍ରସନ୍ନ ଆଚାର୍ଯ୍ୟ ଏକତା ସୂତ୍ରରେ ଆମକୁ ସଂସ୍କୃତି ଯୋଡ଼େ ବୋଲି କହିଥିଲେ। ନୃତ୍ୟଗୁରୁ ରଂଜନ ସାହୁ ମତ ଦେଇଥିଲେ, ବିକଶିତ ସମ୍ବଲପୁରୀ ନୃତ୍ୟର ପ୍ରକୃତ ମଞ୍ଚ ହେଉଛି ସମ୍ବଲପୁର ମହୋତ୍ସବ। ନୃତ୍ୟଗୀତରେ ପରୀକ୍ଷାନିରୀକ୍ଷା କରି ଆମକୁ ନୂତନ କଳାତ୍ମକ ଅଭିବ୍ୟକ୍ତିକୁ ମଞ୍ଚସ୍ଥ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥାଏ। ଗୁରୁ ଆଲୋକ ପଣ୍ଡା କହିଥିଲେ ଯେ ଆମେ ସମ୍ବଲପୁର ମହୋତ୍ସବରେ ନୂତନ ପ୍ରୟୋଗ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇଥାଉ। ଏହି କ୍ରମରେ ଏ ବର୍ଷ ଆଗକୁ ବଢ଼ିବାକୁ ହେବ। ଗାୟକ ଓ କବି ମାନସ କୁମାର ଷଡ଼ଙ୍ଗୀଙ୍କ ମତରେ ବିକଶିତ ସମ୍ବଲପୁରୀ ନୃତ୍ୟ ସହ ତାର ଗ୍ରାମୀଣ ଓ ପ୍ରକୃତୀ ପ୍ରକରଣକୁ ଲୋକ ଲୋଚନକୁ ଆଣିବା ଉଚିତ। ନୃତ୍ୟାଙ୍ଗନା ଦୀପାଳୀ ଚୌଧୁରୀ ମୃତ୍ତିକା କଳାରେ ସମ୍ବଲପୁରୀ କଳା କୃତି ତିଆରି ପାଇଁ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତାର ଦାୟିତ୍ବ ନେବାକୁ ସହମତି ପ୍ରକାଶ କରିଥିଲେ। ଏହା ସହିତ ସେ ମଂଚର କାର୍ଯ୍ୟକ୍ରମରେ ଅନୁଶାସନ ଉପରେ ଜୋର୍ ଦେବାକୁ କହିଥିଲେ। ପ୍ରଫେସର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ସେମିନାରରେ ଅଧିକ ଶ୍ରୋତାଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ସୁଚିନ୍ତିତ ମତାମତ ଦେଇଥିଲେ। ବେତାର ପ୍ରଶାସକ ଓ ସାହିତ୍ୟିକ କ୍ଷେତ୍ରମଣି ବିଭାର କାର୍ଯ୍ୟକ୍ରମରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସମାଜସେବୀ ଓ ଚାଷୀନେତା ଦେବେନ୍ଦ୍ର ପ୍ରଧାନ ଲୁପ୍ତପ୍ରାୟ ଲୋକ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକର ପ୍ରଦର୍ଶନୀ କରିବାକୁ ପ୍ରସ୍ତାବ ଦେଇଥିଲେ। କଳାକାର ଏଲ୍.ଏନ୍.ପୂଝାରୀ ଓ କଳାକାର ସ୍ପନ୍ଦନ ବେହେରା ସମସ୍ତ ଡିଜିଟାଲ୍ କ୍ରିଏଟର୍ସଙ୍କୁ ସମ୍ବଲପୁର ମହୋତ୍ସବ ପାଇଁ କଣ୍ଟେଣ୍ଟ୍ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ସମସ୍ତଙ୍କୁ ମହୋତ୍ସବର ଆୟୋଜନ କମିଟି ତରଫରୁ ମୂଖ୍ୟ ମଞ୍ଚରେ ସମ୍ମାନିତ କରିବାକୁ ପ୍ରସ୍ତାବ ରଖିଥିଲେ।
