ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଶିଶୁ ବଜାର 

0

ଗୋଡଭଗା:ତା.୨୪/୧୦(ସଂସ୍କୃତି ମିଡିଆ) ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ଉତ୍ସାହ ଉଦ୍ଦୀପନା ମଧ୍ୟରେ ପ୍ରଥମ ଥର ପାଇଁ ବାର୍ଷିକ ଶିଶୁ ବଜାର ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ଏହି ଅଭିନବ ବଜାରରେ ଘରକରଣାରୁ ନେଇ ପନିପରିବା, ମୃତ୍ତିକା ତିଆରି ନିତିଦିନିଆ ବ୍ୟବହୃତ ସାମଗ୍ରୀ, ଘର ତିଆରି ଖାଦ୍ୟ, ଶିଶୁ ଖେଳନା, ଗର୍‌ମାଗରମ ଗୁପ୍‌ଚୁପ୍, ଦହିବରା, ଜଳଖିଆ, ଲୁପ୍ତପ୍ରାୟ ଆରିଶା ପିଠା, ପୁସ୍ତକ ଦୋକାନ, ସମ୍ବଲପୁରୀ ଶାଢ଼ୀ, ଶିଶୁ ଉପଯୋଗୀ ଖେଳନା,ଫୁଲଫଳ ଚାରା ନର୍ସରୀ, ମ‌ହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସାମଗ୍ରୀ ଆଦି ବିକ୍ରୟ ହେଉଥିଲା। ମୂଖ୍ୟତଃ ଅଳ୍ପ ଦରରେ ବିକ୍ରୟ ହେଉଥିବା ଲୁପ୍ତପ୍ରାୟ ପାରମ୍ପରିକ ଘରୋଇ ଖାଦ୍ୟ, ଗୃହପୋଯୋଗୀ ଉପକରଣ ଆଦି ଦ୍ରବ୍ୟ କିଣି ଲୋକେ ନାହିଁ ନଥିବା ଖୁସି ଅନୁଭବ କରୁଥିଲେ। ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ସିଡିପିଓ ଉର୍ମିଳା ପରିଡ଼ା ପଦାର୍ପଣ ପୂର୍ବକ ଶୁଭ ଉଦ୍‌ଘାଟନ କରି ଏପ୍ରକାର ଏକ ଅନନ୍ୟ ଶିଶୁ ବଜାର ନିଜ ପାଇଁଁ ଅଭୂଲା ସ୍ମୃତି ରୂପେ ଚିରଦିନ ପାଇଁ ମନେ ରହିବ ବୋଲି କହିଥିଲେ। ବିଦ୍ୟାଳୟର ପରିଚାଳନା ସଭାପତି ପ୍ରଦୀପ କର୍ଣ୍ଣଙ୍କ ଅନୁସାରେ ଆୟୋଜିତ ଏହି ଶିଶୁ ବଜାର ଛାତ୍ରଛାତ୍ରୀମାନଙ୍କୁ ବଜାରର କ୍ରେତା-ବିକ୍ରେତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ବାଣିଜ୍ୟିକ ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରାପ୍ତ ହେବା ସାଙ୍ଗକୁ ନିଜ ପରିବାରର ଆର୍ଥିକ ଅବସ୍ଥା ସହ ବେଶ୍ ପରିଚିତ ହେବେ ବୋଲି ଆଶା ପୋଷଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳଙ୍କ ସହ ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀମାନଙ୍କ ତତ୍ତ୍ୱାବଧାନରେ ଓ ସକ୍ରୀୟ ସହଯୋଗରେ ଶିଶୁ ବଜାର ସର୍ବଦା ଚିରସ୍ମରଣୀୟ ହୋଇରହିବ ବୋଲି ଉପସ୍ଥିତ ଥିବା ସହସ୍ରାଧିକ ପିତାମାତା ଓ ସ୍ଥାନୀୟ ଅଞ୍ଚଳବାସୀ ଆଶା ପୋଷଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!