ବରଗଡ଼ ରୋଡ଼ ରେଳୱେ ଷ୍ଟେସନରେ ବହୁ ବିଧ ସମସ୍ୟା ଉପରେ ଆଲୋକପାତ କଲେ ପ୍ରଦୀପ ଦେବତା

0

ବରଗଡ଼, ୨୬/୩(ସଂସ୍କୃତି ମିଡ଼ିଆ )-ବରଗଡ଼ ରୋଡ଼ ହେଉଛି ପୂର୍ବତଟ ରେଳପଥର ଏକ ଚିର-ଅବହେଳିତ ରେଳଷ୍ଟେସନ। ଏହା ସମ୍ବଲପୁର-ଟିଟିଲାଗଡ ସେକ୍ସନରେ ଅବସ୍ଥିତ। ଏହି ସେକ୍ସନ ଦେଇ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଯିବା ପାଇଁ କୌଣସି ସକାଳୁଆ ଇଣ୍ଟରସିଟି କିମ୍ବା ଦିଲ୍ଲୀ ଓ ପ୍ରୟାଗରାଜ ଯିବା ପାଇଁ କୌଣସି ଟ୍ରେନ ନାହିଁ।

ସମ୍ବଲପୁର-ଟିଟିଲାଗଡ ସେକ୍ସନ ୧୯୬୩ ରୁ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର-ଅନୁଗୋଳ ସେକ୍ସନ ୧୯୯୯ ରୁ ଆରମ୍ଭ ହୋଇଛି। ୩୬ ବର୍ଷ ପରେ ଆରମ୍ଭ ହୋଇଥିଲେ ସୁଦ୍ଧା ଉକ୍ତ ସେକ୍ସନ ଦେଇ ଭୁବନେଶ୍ୱର ପାଇଁ ଦୁଇଟି ସକାଳୁଆ ଇଣ୍ଟରସିଟି, ଦିଲ୍ଲୀ ପାଇଁ ତିନୋଟି ଟ୍ରେନ ତଥା ପ୍ରୟାଗରାଜ ପାଇଁ ଦୁଇଟି ଟ୍ରେନ୍ ଚାଲୁଛି। ବରଗଡ଼ ଓ ବଲାଙ୍ଗୀରର ଜନସାଧାରଣଙ୍କୁ ଏଥିପାଇଁ ସମ୍ବଲପୁର କିମ୍ବା ଟିଟିଲାଗଡକୁ ଯାଇ ଟ୍ରେନ ଧରିବାକୁ ପଡୁଛି।

ଏହି ଦୁଇଟି ଟ୍ରେନ ଚଳାଇବା ପାଇଁ ଲୋକଙ୍କ ଦାବିକୁ ବିଭିନ୍ନ ବାହାନା ଦେଖାଇ ରେଳବାଇ ଦ୍ଵାରା ବାରମ୍ବାର ଅଗ୍ରାହ୍ୟ କରାଯାଉଛି। ଲାଇନ୍ ଦୋହରୀକରଣ ପରେ ଏହି ସୁବିଧା ଦିଆଯିବ ବୋଲି ପ୍ରଥମେ କହୁଥିଲେ, ପରେ ପିଟ ଲାଇନ୍ ନ ଥିବାରୁ ଏହା ସମ୍ଭବ ନୁହେଁ ବୋଲି କହୁଛନ୍ତି।

ପିଟ ଲାଇନ୍ ବାହାନାକୁ ଏଡ଼ାଇବା ପାଇଁ ବରଗଡ଼ ରେଳ ଉପଭୋକ୍ତା ସଂଘ ଦୁଇଟି ବିକଳ୍ପ ପ୍ରସ୍ତାବ ମଧ୍ୟ ଦେଇଥିଲା। ପ୍ରଥମତଃ, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଦୁଇ ରେକ୍ ବିଶିଷ୍ଟ ଟ୍ରେନ ରୂପେ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ପୁରୀରେ ୱାସିଙ୍ଗ କରିବା ଏବଂ ଦ୍ୱିତୀୟରେ ବଲାଙ୍ଗୀରରୁ ଭୁବନେଶ୍ୱର ସକାଳୁଆ ଇଣ୍ଟରସିଟି ଚଳାଇ ଭୁବନେଶ୍ୱରରେ ୱାସିଙ୍ଗ କରିବା।

ଏପରିକି, ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସହିତ ସଂଘର କର୍ମକର୍ତ୍ତାମାନେ ଭୁବନେଶ୍ୱରରେ ପୂର୍ବତଟ ମହା-ପ୍ରବନ୍ଧକଙ୍କ ସହିତ ସାକ୍ଷାତ କରି ଏହି ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ତୁ, ଫଳ କିଛି ନାହିଁ। ବରଗଡ଼ ସାଂସଦ ଶ୍ରୀଯୁକ୍ତ ପୁରୋହିତ ସଂସଦରେ ମଧ୍ୟ ଭୁବନେଶ୍ୱରକୁ ସକାଳୁଆ ଇଣ୍ଟରସିଟି ବିଷୟରେ ପ୍ରଶ୍ନ କରିଥିଲେ।

ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏକ ସାଧାରଣ କାର୍ଯ୍ୟକୁ କରିବା ପାଇଁ ରେଳ ବିଭାଗ ଏପରିକି ସାଂସଦଙ୍କ ଅନୁରୋଧକୁ ମଧ୍ୟ ଅଣଦେଖା କରିବା ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ ନୁହେଁ।

ଏବେ ସାଂସଦ ଶ୍ରୀଯୁକ୍ତ ପୁରୋହିତ ରେଳମନ୍ତ୍ରୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ରେଳସମସ୍ୟାକୁ ନେଇ ୯ ଦଫା ସମ୍ବଳିତ ଏକ ପତ୍ର ଲେଖିଛନ୍ତି। ସେଥିରେ ମୁଖ୍ୟତଃ ବ୍ରଜରାଜନଗର ତଥା ଝାରସୁଗୁଡ଼ା ଜିଲ୍ଲାର ଅନ୍ୟାନ୍ୟ ରେଳ ସମସ୍ୟା ବିଷୟରେ ଲେଖିଛନ୍ତି। ଏହାଛଡ଼ା ଇସ୍ପାତ୍ ଏକ୍ସପ୍ରେସର ଅସାଧାରଣ ୧୨/୧୮ ଘଣ୍ଟା ବିଳମ୍ବରେ ଚାଲିବା, ବରଗଡ଼-ନୂଆପଡା ରେଳଲାଇନ୍ ର ପ୍ରଗତିରେ କ୍ଷୀପ୍ରତା ଆଣିବା ତଥା ବରପାଲିରେ କେତେକ ଟ୍ରେନର ରହଣୀ ସମ୍ବନ୍ଧରେ ଲେଖିଛନ୍ତି। ଜଣେ ସାଂସଦ ରୂପରେ ସେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପନ୍ନ କରିଛନ୍ତି। କିନ୍ତୁ, ଏହି ପତ୍ରରେ ଭୁବନେଶ୍ୱରକୁ ସକାଳୁଆ ଇଣ୍ଟରସିଟି ବିଷୟରେ ଗୋଟିଏ ଧାଡ଼ି ଲେଖିଥିଲେ ଭଲ ହୋଇଥାନ୍ତା ବୋଲି ବରଗଡ଼ ବାସୀଙ୍କ ଧାରଣା। ଅନ୍ୟ ପକ୍ଷେ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!