ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ନିରନ୍ତର ସହ ଉଲ୍ଲେଖନୀୟ ଅବଦାନ ପାଇଁ ସଂକଳ୍ପ ପରିବାର ସମ୍ବର୍ଦ୍ଧିତ
ବରଗଡ଼, ୧୪/୬(ସଂସ୍କୃତି ମିଡ଼ିଆ)-ସଂକଳ୍ପ ପରିବାର ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ଆଜି ଜୁନ୍ ୧୪, ‘ବିଶ୍ୱ ରକ୍ତଦାତା ଦିବସ’ର ଏହି ପବିତ୍ର ଅବସରରେ ବରଗଡ଼ ସଂକଳ୍ପ_ପରିବାର କୁ ସମାଜସେବା ତଥା ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ନିରନ୍ତର ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଏବଂ ଓଡ଼ିଶା ବ୍ଲଡ୍ ସେଣ୍ଟର ତରଫରୁ ଆଜି ସଂକଳ୍ପ ପରିବାରକୁ ସମ୍ମାନିତ କରାଯାଇଛି। ଏହି ସମ୍ମାନ କେବଳ ଏକ ଅନୁଷ୍ଠାନର ନୁହେଁ, ବରଂ ଏହା ସଂକଳ୍ପ ପରିବାରର ସମସ୍ତ ନିଷ୍ଠାପର ସଦସ୍ୟ, ସ୍ୱେଚ୍ଛାସେବୀ ଓ ମହାନ୍ ରକ୍ତଦାତା ଭାଇ ଭଉଣୀମାନଙ୍କର ଅକ୍ଲାନ୍ତ ପରିଶ୍ରମ, ସମର୍ପଣ ଏବଂ ମାନବସେବା ପ୍ରତି ଥିବା ନିଃସ୍ୱାର୍ଥପର ଅଙ୍ଗୀକାରର ପ୍ରକୃତ ସ୍ୱୀକୃତି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ପରିବାର ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି । ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ରବିବାର ବରଗଡ଼ଠାରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ସବୁଠାରୁ ପ୍ରେରଣାଦାୟକ କଥା ହେଲା ଯେ, ଏହି ସଭାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ସମାଜର କଲ୍ୟାଣ ନିମନ୍ତେ ନିଜେ ନିୟମିତ ରକ୍ତଦାନ କରିବା ଓ ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଏକତ୍ରିତ ହୋଇ ଶପଥ ପାଠ କରିଥିଲେ।
ମନେରଖନ୍ତୁ, ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ବାହାରି ନାହିଁ କିମ୍ବା ରକ୍ତକୁ କୌଣସି କାରଖାନାରେ ତିଆରି କରାଯାଇ ପାରିବ ନାହିଁ। ମଣିଷର ରକ୍ତ କେବଳ ଜଣେ ମଣିଷ ହିଁ ଦେଇପାରିବ। ସମାଜରେ ଅନେକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଗୁଜବ, ରକ୍ତଦାନ କଲେ ଶରୀର କଦାପି ଦୁର୍ବଳ ହୁଏ ନାହିଁ, ବରଂ ଏହା ଶରୀରରେ ନୂତନ ରକ୍ତ କଣିକା ସୃଷ୍ଟି କରିବାରେ ସାହାଯ୍ୟ କରେ ଏବଂ ଆମକୁ ଅଧିକ ସୁସ୍ଥ ରଖେ। ଆସନ୍ତୁ, ଆଜିର ଏହି ପବିତ୍ର ଦିନରେ ଆମେ ସମସ୍ତେ ମିଳିମିଶି ଏକ ଦୃଢ଼ ସଂକଳ୍ପ ନେବା ଯେ ଆମ ସମାଜରେ ରକ୍ତ ଅଭାବରୁ ଯେପରି କାହାରି ମୂଲ୍ୟବାନ ଜୀବନ ନଯାଏ, ସେଥିପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିବା ବୋଲି କୁହାଯାଇଛି । ଆପଣଙ୍କ ଦ୍ୱାରା ଦିଆଯାଇଥିବା ବୁନ୍ଦାଏ ରକ୍ତ କୌଣସି ଏକ ପରିବାରର ଲିଭିଯାଉଥିବା ଆଶାର ଦୀପକୁ ପୁଣିଥରେ ଜଳାଇ ପାରିବ। ଜଣେ ଅଜଣା ମୁମୂର୍ଷୁ ରୋଗୀ ମୁହଁରେ ହସ ଫୁଟାଇ ପାରିବ। ଆସନ୍ତୁ ସମସ୍ତେ ରକ୍ତ ଦେବା ,ରକ୍ତ ଅଭାବକୁ ଦୂର କରିବା ବୋଲି ବରଗଡ଼ ସଂକଳ୍ପ ପରିବାର ପକ୍ଷରୁ କୁହାଯାଇଛି l
