ପଶ୍ଚିମ ଓଡ଼ିଶା ସୁନାରି ସମାଜର ପ୍ରଥମ ଯୁବ ସଭାପତି ବିକ୍ରମ କେଶରୀ ସରାପଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ସୁନାରି ସମାଜକୁ କାନ୍ଦାଇ ଚାଲିଗଲେ ବିକ୍ରମ କେଶରୀ ସରାପ

ଅତାବିରାରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭା

@ପଶ୍ଚିମ ଓଡ଼ିଶା ସୁନାରି ସମାଜର ପ୍ରଥମ ଯୁବ ସଭାପତି ବିକ୍ରମ କେଶରୀ ସରାପଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

@୧୦ ଜିଲ୍ଲାରୁ ଯୋଗଦେଲେ ସମାଜର କର୍ମକର୍ତ୍ତା

ଅତାବିରା,୧୫/୭(ସଂସ୍କୃତି ମିଡ଼ିଆ)-ପଶ୍ଚିମ ଓଡ଼ିଶା ସୁନାରି ସମାଜର ପ୍ରଥମ ଯୁବ ସଭାପତି ତଥା ଅତାବିରା ବ୍ଲକ ଲରମ୍ଭା ନିବାସୀ ବିକ୍ରମ କେଶରୀ ସରାପ(୩୭) ଓରଫ ଭିକି ଙ୍କ କର୍କଟ ରୋଗରେ ଗତ ଜୁଲାଇ ୨ ତାରିଖରେ ଅକାଳ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ସ୍ବର୍ଗତ ଭିକି ଙ୍କ ବିୟୋଗରେ ବୁଧବାର ଅତାବିରା ବ୍ଲକର ଲାଦରପାଲିସ୍ଥିତ ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପରେ ପଶ୍ଚିମ ଓଡ଼ିଶା ସୁନାରି ସମାଜ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

 

ସମାଜର ସଭାପତି ଗୌନ୍ତିଆ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ସମାଜର ପଦାଧିକାରୀ, କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ସରାପଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିରବ ପ୍ରାର୍ଥନା କରିଥିଲେ। ଏହାପରେ ଆୟୋଜିତ ସ୍ମୃତିଚାରଣ ସଭାରେ ବକ୍ତାମାନେ ତାଙ୍କ ସଂଗଠନ ଦକ୍ଷତା, ସରଳ ବ୍ୟକ୍ତିତ୍ୱ ଓ ସମାଜ ପ୍ରତି ନିଷ୍ଠାକୁ ସ୍ମରଣ କରିଥିଲେ।

 

ବକ୍ତାମାନେ କହିଥିଲେ, ଅଳ୍ପ ବୟସରେ ବିକ୍ରମ କେଶରୀ ସରାପ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ସୁନାରି ସମାଜକୁ ଏକ ସୂତ୍ରରେ ବାନ୍ଧି ସଂଗଠନକୁ ସୁଦୃଢ଼ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ। ତାଙ୍କ ନେତୃତ୍ୱ ଓ ସମାଜସେବା ପ୍ରତି ସମର୍ପଣ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ମତ ପ୍ରକାଶ କରିବା ସହ ଭିକିଙ୍କ ପିତା ଅବସରପ୍ରାପ୍ତ ଶିକ୍ଷକ ଭରତ ସରାପ ଏବଂ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏଥିରେ ସମାଜର ମହିଳା ସଭାନେତ୍ରୀ ଶାନ୍ତି ସରାପ, ରଶ୍ମିତା ସରାପ, ଶିକ୍ଷକ ବିନୟ କୁମାର ନାୟକ, ସୁନ୍ଦରଗଡ଼ର ନେପାଳ ଚନ୍ଦ୍ର ସାହୁ ଓ ପଦ୍ମଲୋଚନ ସରାପ, କଳାହାଣ୍ଡିର ମୁକେଶ ସରାପ ଓ ମଳୟ ସରାପ, ବରଗଡ଼ ଓକିଲ ଭୀଷ୍ମଦେବ ସରାପ ପ୍ରମୁଖ ଭିକିଙ୍କ ସ୍ମୃତି ଚାରଣ କରିଥିଲେ l

ଶେଷରେ ସ୍ୱର୍ଗତ ସରାପଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!