ସରକାରୀ କଲେଜ ଦାବି ସହ ପ୍ରଦ୍ୟୁଷଣ ନିରାକରଣ ଓ ସ୍ଥାନୀୟ ନିଯୁକ୍ତି ଦାବି ନେଇ ବ୍ୟାପକ ଆନ୍ଦୋଳନ ହେବ
ଝାରସୁଗୁଡା, ୯/୧ (ସଂସ୍କୃତି ମିଡିଆ ବ୍ୟୁରୋ) ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡା ପକ୍ଷରୁ ଆଜି କ୍ରିୟାନୁଷ୍ଠାନ କମିଟି ଓ ଉପଦେଷ୍ଟା କମିଟି ର ଏକ ମିଳିତ ବୈଠକ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବସ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ସୁଭାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ରେ ଗୋଟିଏ ମଧ୍ୟ ସରକାରୀ କଲେଜ ନଥିବା ଦୁଃଖର ବିଷୟ, ସେହିପରି ଜିଲ୍ଲା ରେ ଉଚ୍ଚତର ଶିକ୍ଷା ପାଇଁ ପିଜି ନା ବି.ଇ.ଡି ପାଠ୍ୟକ୍ରମ ନାହିଁ। ଏହାର ପ୍ରତିକ୍ରିୟା ସ୍ୱରୂପ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ଲଢେଇ ଝାରସୁଗୁଡା ଜନସାଧାରଣଙ୍କ ପାଖରେ ଅଛପା ନାହିଁ। ଦୀର୍ଘ ତିନି ବର୍ଷର ଏହି ଆନ୍ଦୋଳନକୁ ସରକାର ଅଣଦେଖା କରିଥିବାରୁ ସାମ୍ମୁଖ୍ୟ ବର୍ତ୍ତମାନ ଲଢେଇକୁ ତୀବ୍ରତର କରିବାର ନିଷ୍ପତ୍ତି ନେଇଛି। ଏଲ.ଏନ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨୦ ତାରିଖ ପରେ ସରକାରୀ କଲେଜ ଓ ପିଜି ତଥା ବିଇଡି ପାଠ୍ୟକ୍ରମ ଦାବୀରେ ଶିକ୍ଷା ଗ୍ରହଣ ବର୍ଜନ ଓ ଏଲ ଏନ କଲେଜ ବନ୍ଦ କାର୍ଯ୍ୟକ୍ରମକୁ ସାମ୍ମୁଖ୍ୟ ସମର୍ଥନ କରିବାର ସଂକଳ୍ପ ପାରିତ ହୋଇଥିବା ବେଳେ ଏଥି ସହ ଜିଲ୍ଲାରେ ପ୍ରଦ୍ୟୁଷଣ ନିରାକରଣ ଓ ସ୍ଥାନୀୟ ନିଯୁକ୍ତି ଦାବିକୁ ଜନ ଆନ୍ଦୋଳନର ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଛି ।ଜିଲ୍ଲାରେ ଶିକ୍ଷାର ଦୂରାବସ୍ଥା ଓ ଏହାର ସମାଧାନ ଶୀର୍ଷକ ଏକ ଆଲୋଚନା ଚକ୍ର କରାଯାଇ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ଜନପ୍ରତିନିଧି ଏବଂ ଜନ ସାଧାରଣଙ୍କର ମତ ଗ୍ରହଣ କରାଯିବାର ନିଷ୍ପତି ନିଆଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଯଦି ସରକାର ଏଲ ଏନ କଲେଜ କୁ ସରକାରୀ ମାନ୍ୟତା ନ ଦିଅନ୍ତି ତେବେ ସାମ୍ମୁଖ୍ୟର ନେତୃତ୍ବରେ ଜିଲ୍ଲା ବ୍ୟାପି ବନ୍ଦ ଘୋଷଣା କରାଯିବ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ମୁଖ୍ୟ କେନ୍ଦ୍ରୀୟ ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ, ସହ ସଂଯୋଜକ ଅସିମ ପଟେଲ, ଜିଲ୍ଲା ସଂଯୋଜକ ରବି ରୋହିଦାସ, ଝସକେତନ ଉଗର, ବଳରାମ ରୋହିଦାସ, ମନୀଷ ମାଝୀ, ସାମ୍ମୁଖ୍ୟ ଉପଦେଷ୍ଟା ରତ୍ନାକର ପ୍ରଧାନଙ୍କ ସହ ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ଆଦିବାସୀ ନେତା ପ୍ରଭାକର ଓରାମ, ବିଜୟ ଦାସ, ସାରଙ୍ଗଧର ମିଶ୍ର, ବିନୋଦ ବିହାରୀ ବାଗ, ପ୍ରମୁଖ ଉପସ୍ଥିତ ଥିଲେ l
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)