ବଣୁଆ ହାତୀ ଆତଙ୍କ; ଲୋକେ ଭୟଭୀତ
ଗୋଡଭଗା:ତା.୧୫/୧୨(ସଂସ୍କୃତି ମିଡିଆ ବ୍ୟୁରୋ) ଗତକାଲି ରାତି ପ୍ରାୟ ସାଢେ ଏଗାର ଆଡକୁ ୧୫/୧୬ ଜଣିଆ ଦଳେ ବଣୁଆ ହାତୀ ଚିପିଲିମା ଆଡୁ ଗୋଡ଼ଭଗା ଅଞ୍ଚଳକୁ ଆସୁଥିବାର ଖବର ପାଇ ବିଦ୍ୟୁତ ବିଭାଗ ଲାଇନ୍ କାଟିଦେଇଥିଲେ। ସାଧାରଣରେ ପ୍ରକାଶ ପାଉଛି ଯେ ଉକ୍ତ ହାତୀପଲ ଚିପିଲିମା, ସାହାଜବାହାଲ, କଳାମାଟି, ବାବୁବନ୍ଧ, ଯୋଗୀପାଲି, ମାଉଲିଭାଗ, ନିଲାଇପାଲି, ଲହଣ୍ଡା ଦେଇ ବାରପାହାଡ ଜିରୋ ପଏଣ୍ଟ୍ ଆଡକୁ ଅଗ୍ରସର ହୋଇଥିଲେ। ଲହଣ୍ଡା ଉପର କଣ୍ଟା(ପୋଖରୀ) ନିକଟରେ ହାତୀ ପଦଚିହ୍ନ ପଡିଥିବା ଲୋକେ ଆଲୋଚନା କରୁଛନ୍ତି। ସେମାନେ ଆସିବା ବାଟରେ ମାଉଲିଭାଗ ଗ୍ରାମର କେତେକ ଚାଷୀଙ୍କ ଧାନ କ୍ଷେତ ନଷ୍ଟଭ୍ରଷ୍ଟ କରିଥିବାର ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ ରେଢାଖୋଲ ଅଭୟାରଣ୍ୟରୁ ବାରପାହାଡ ଜଙ୍ଗଲକୁ ଉଲୁଣ୍ଡା, ଚିପିଲିମା ଦେଇ ହାତୀମାନଙ୍କ ଏକ ନିର୍ଦ୍ଦିଷ୍ଟ ଚଲାପଥ ରହିଥିବାର ଅନୁମାନ କରାଯାଏ। ତିନି ବର୍ଷ ତଳେ ଠିକ୍ ଏମିତି ଶୀତ ଦିନରେ ଏହି ଅଞ୍ଚଳରେ ଏକ ହାତୀପଲକୁ ଠାବ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି। ବନ ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷପ ନେବାକୁ ଦାବି ହେଉଛି। ଅବଶ୍ୟ ଲୋକେ ଭୟଭୀତ ଅବସ୍ଥାରେ ଥିବାର ଜଣାଯାଏ।