କଟକର ସାରଳା ସାହିତ୍ଯ ସଂସଦ ପକ୍ଷରୁ ଗଙ୍ଗାଧର ମେହେର ସମ୍ମାନରେ ସମ୍ମାନିତ ହେଲେ କବୀ ପ୍ରବାସିନୀ ହୋତା

0

ବରଗଡ଼,15/12-(ସଂସ୍କୃତି ମିଡ଼ିଆ ବ୍ୟୁରୋ )-କଟକର ଓଡିଶାର ସର୍ବ ପୁରାତନ ତଥା ସର୍ବପରିଚିତ ସାହିତ୍ଯାନୁଷ୍ଠାନ ସାରଳା ସାହିତ୍ଯ ସଂସଦର ଏକ ସ୍ବତନ୍ତ୍ର ସାରସ୍ବତ ଆସରରେ ସାରଳା ଭବନଠାରେ ବରଗଡରୁ କବୀ ପ୍ରବାସିନୀ ହୋତାଙ୍କୁ ଗଙ୍ଗାଧର ମେହେର ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତାଙ୍କ ସମେତ ଆଉ ଚାରିଜଣ ପ୍ରତିଭାଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ – ବରିଷ୍ଠ ଔପନ୍ୟାସିକ ଶରତ ଚନ୍ଦ୍ର ବସନ୍ତିଆ ( ମାୟାଧର ମାନସିଂହ ସାରସ୍ଵତ ସମ୍ମାନ) , ସାମ୍ବାଦିକ ଦେବୁ ଚାଟାର୍ଜୀ(କୁଜିବର ପତ୍ର ସମ୍ମାନ), କବି ଗୌତମ ଜେନା(ରାଧାମୋହନ ଗଡ଼ନାୟକ ସାରସ୍ଵତ ସମ୍ମାନ) ଏବଂ କଥାଶିଳ୍ପୀ ଇଂ ଅଜୟ ମହାପାତ୍ର ( ସୁରେନ୍ଦ୍ର ମହାନ୍ତି ସାରସ୍ଵତ ସମ୍ମାନ) । ସାରଳା ସାହିତ୍ଯ ସଂସଦର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ଜଷ୍ଟିସ ଡକ୍ଟର ମଦନମୋହନ ଦାସ, ମୁଖ୍ଯ ବକ୍ତା ରୂପେ ପ୍ରଫେସର ସତ୍ଯନାରାୟଣ ପଣ୍ଡା, ସମ୍ମାନିତ ଅତିଥି ରୂପେ ଓଡିଶା ସାହିତ୍ଯ ଏକାଡେମୀର ଉପସଭାପତି ଡ ସଂଗ୍ରାମ ଜେନା ଏବଂଡା ନିରଞ୍ଜନ ତ୍ରିପାଠୀ , ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ । ସାହିତ୍ଯର ଧର୍ମ କିଭଳି ହେବା ଉଚିତ ଏ ବିଷୟରେ ମୁଖ୍ଯ ବକ୍ତା ପ୍ରଫେସର ପଣ୍ଡା ବିଶଦ ଏବଂ ରୁଚିକର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସାହିତ୍ଯ ପାଇଁ ସମାଲୋଚନାର ମହତ୍ତ୍ବ ଉପରେ ମୁଖ୍ଯ ଅତିଥି ଜଷ୍ଟିସ ଦାସ ତାଙ୍କର ବକ୍ତବ୍ଯ ରଖିଥିଲେ । ସାହିତ୍ଯକାରର ଲେଖାରେ ସାମୂହିକ ଜୀବନ ଯନ୍ତ୍ରଣା ଏବଂ ସମସ୍ଯାର ପ୍ରତିଫଳନ ହେବା ଉଚିତ ବୋଲି ସମ୍ମାନିତ ଅତିଥି ଡ.ଜେନା ପ୍ରକାଶ କରିଥିଲେ । ଲକ୍ଷ୍ମୀପୁରାଣ ପରି ସାମାନ୍ଯ କିଛି ପୃଷ୍ଠାର ଚଟିବହି କାଳଜୟୀ ବିଦ୍ରୋହର ସ୍ବାକ୍ଷର ବହନ କରିଥିବା କଥା ଡା ମହାନ୍ତି ଯୁକ୍ତିଛଳରେ ପ୍ରକାଶ କରିଥିଲେ । ଚୌଧୁରୀ ସତ୍ଯ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଲକ୍ଷ୍ମୀପ୍ରକାଶ ମହାପାତ୍ର । ପ୍ରତିଭାର ଅନ୍ବେଷଣ କରି ତାଙ୍କୁ ସମ୍ମାନିତ କରିବାରେ ସାରଳା ସାହିତ୍ଯ ସଂସଦର ଉଦ୍ଯମ ଅନ୍ଯ ସମସ୍ତ ସାହିତ୍ଯାନୁଷ୍ଠାନ ମାନଙ୍କଠୁ ନିଆରା । କାରଣ ପ୍ରତିଭାର ଅନ୍ବେଷଣ ଏବଂ ପରଖ କରି ଅପରିଚିତ ପ୍ରତିଭାମାନଙ୍କୁ ଏହି ଅନୁଷ୍ଠାନ ସ୍ବୀକୃତି ଦେଉଥିବା କଥା ସମସ୍ତ ଅତିଥି ସ୍ବୀକାର କରିଥିଲେ । ଆଗାମୀ ଦିନରେ ଲୁକ୍କାୟିତ ପ୍ରତିଭାମାନଙ୍କର ଅନ୍ବେଷଣର ଏହି ଧାରା ବଜାୟ ରହିବ ବୋଲି ସଂସଦର ସଭାପତି ଇଂ ପ୍ରଭାକର ସ୍ବାଇଁ ପ୍ରକାଶ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!