ନାହିଁ ନାହିଁ ରେ ଚାଲିଛି କାଦୋବାହଲ ସ୍ବାସ୍ଥ୍ୟକେନ୍ଦ୍ର, ସ୍ଥାୟୀ ଡ଼ାକ୍ତର ନଦେଲେ ଆନ୍ଦୋଳନ ଚେତାବନୀ

0

ସରଣ୍ଡା, 6/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାୟୀ ଡ଼ାକ୍ତର ଦିଆନଗଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସହ ମଙ୍ଗଳବାର ଅଞ୍ଚଳର ସଚେତନ ନାଗରିକ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମସ୍ତ ନାଗରିକଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା କଥା ସରକାର କହୁଛନ୍ତି । ସ୍ବାସ୍ଥ୍ୟ ବିଭାଗକୁ ୫ଟି ଅଧିନରେ ନେଇ ଗତିଶୀଳ କରାଯିବା କଥା କାନ୍ଥରେ ଲେଖାଯାଇଛି । ମାତ୍ର ଅତାବିରା ବ୍ଲକର ଅନେକ ସ୍ବାସ୍ଥ୍ୟ କେନ୍ଦ୍ରରେ କେଉଁଠି ଡାକ୍ତର ତ କେଉଁଠି କର୍ମଚାରୀର ଅଭାବ ଦେଖିବାକୁ ମିଳୁଛି । ପୁଣି କେଉଁଠାରେ ଅସ୍ବାସ୍ଥ୍ୟ କର ପରିବେଶରେ ରୋଗୀସେବା କରାଯାଉଥିବାର ଦେଖିବାକୁ ମିଳୁଛି । ଅତାବିରା ବ୍ଲକ କାଦୋବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହାର ଉଦାହରଣ ଅଟେ । ଏଠାରେ ସ୍ଥାୟୀ ଡାକ୍ତର ନାହାଁନ୍ତି । କେବଳ ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟକେନ୍ଦ୍ରଟି ଚାଲିଛି । ଏଠାରେ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ,ଏଟେଣ୍ଡେଣ୍ଟ, ସୁଇପର ବି ନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀଙ୍କ ଦାବୀ ପରେ ଜଣେ ଡ଼ାକ୍ତର ଡେପୁଟେସନରେ ଆସିଥିଲେ l ମାତ୍ର ସେ ମଧ୍ୟ ୨ମାସ ହେବ ଆସୁନାହାଁନ୍ତି । ଦୀର୍ଘ ୫ବର୍ଷ ହେବ ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭ ହୋଇଥିଲେ ମଧ୍ୟ ସବୁବେଳେ ଡାକ୍ତରଖାନାଟି ନାନା ସମସ୍ୟା ଦେଇ ଗତି କରୁଥିବା ଜନସାଧାରଣ କହୁଛନ୍ତି । କାଦୋବାହାଲ, ଟୁକୁରା, ଝିଲିମିଣ୍ଡା,ସହିତ ଭେଡେନ ବ୍ଲକର ଦେଶ ଭଟଲି ଏବଂ ଧନକଉଡ଼ା ବ୍ଲକର କରଡୋଲା ପଞ୍ଚାୟତର ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ସାମାନ୍ୟ ରୋଗ ପାଇଁ ବୁର୍ଲାକୁ ଡ଼ାକ୍ତରଖାନକୁ ପଠାଯାଉଛି । ଅତୀତରେ ଗ୍ରାମବାସୀ ଉପରୋକ୍ତ ସମସ୍ୟା ସମ୍ପର୍କରେ ବରଗଡ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ଏବଂ ସ୍ଥାୟୀ ଡ଼ାକ୍ତର ଦେବା ପାଇଁ ଦାବୀ କରିଥିଲେ । ଏଦିଗରେ ଧ୍ୟାନ ଦେବେ ବୋଲି ସେଠାରୁ ପ୍ରତିଶ୍ରୁତି ମିଳିଥିଲା ମାତ୍ର କେବଳ ଜଣେ ଡ଼ାକ୍ତରଙ୍କୁ ଡେପୁଟେସନରେ ପଠାଇ ସେ ମଧ୍ୟ ଚୁପ ରହିଯାଇଥିବା ଗ୍ରାମବାସୀ କ୍ଷୋଭ ସହ ପ୍ରକାଶ କରିଛନ୍ତି । ଅତିଶିଘ୍ର ଡ଼ାକ୍ତର ସହିତ ଅନ୍ୟାନ୍ୟ କର୍ମଚାରୀ ଦିଆନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏଥିରେ ଦେବେନ୍ଦ୍ର କର୍ଣ୍ଣ, ସୁମନ୍ତ ସାହୁ, କୁନା ପତି, ସୁମନ୍ତ ପ୍ରଧାନ, ଉମାଶଙ୍କର ଭୋସାଗର, ତୁଳସୀ ବଲ୍ଲଭ ଦାଶ, ରମାକାନ୍ତ କର୍ଣ୍ଣ, ଶୁଭମ ପ୍ରଧାନ, ସୂରଜ ଖେତି, ରବୀ ସାହୁ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!