ବରଗଡ଼ ଧନୁଯାତ୍ରା ଷଷ୍ଠ ଦିବସ : ମଥୁରାରେ ରଙ୍ଗସଭା, ନ୍ୟାୟ ବିଚାର -ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଓ ବସ୍ତ୍ରହରଣ

0

ବରଗଡ଼ /ମଥୁରା ନଗରୀ, ( ସଂସ୍କୃତି ମିଡ଼ିଆ )-ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଷଷ୍ଠ ଦିନରେ ପହଂଚିଥିବା ବେଳେ ମହାରାଜା କଂସଙ୍କ ଦ୍ୱାରା ବେନିଭାଇଙ୍କୁ ହତ୍ୟା କରିବା ପାଇଁ ଆୟୋଜିତ ହୋଇଥିଲା ରଙ୍ଗସଭା । କରଦ ରାଜାମାନେ ରଙ୍ଗସଭାରେ ଯୋଗ ଦେଇ କିପରି କୃଷ୍ଣବଲରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କୁ ସାହାର୍ଯ୍ୟ କରିବେ ସେ ନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଅନ୍ୟ ପକ୍ଷରେ ଛଳନାରେ ବେନିଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଧନୁଯାତ୍ରା ଆୟୋଜନ କରିବାକୁ ନାରଦ ପରାମର୍ଶ ଦେଇଥିଲେ ବରଗଡ ଧନୁଯାତ୍ରାର ଷଷ୍ଠ ଦିବସରେ । ଅପରପକ୍ଷେ ଗୋପପୁରରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଏବଂ ଗୋପାଙ୍ଗନା ମାନଙ୍କ ବସ୍ତ୍ରହରଣ ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା ।

ଆଜି ଥିଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିବସ । ଗୋପପୁରରେ ଚନ୍ଦ୍ରକଳା ପରି ବଢ଼ୁଥିବା କୃଷ୍ଣବଲରାମ ବେନୀଭାଇଙ୍କୁ ହତ୍ୟା କରିବା ପାଇଁ ମହରାଜା କଂସ ଚିନ୍ତିତ ହୋଇପଡିଛନ୍ତି । ମହାରାଜା କଂସ ଦ୍ୱାରା ପ୍ରେରିତ ଷଣ୍ଡା, ବକା, ଧେନୁକା, ସକଟା , ଅଘା,ତୃଣାବର୍ତ ପରି ରାକ୍ଷସ ଏବଂ ପୁତୁନା ଭଳିଆ ରାକ୍ଷସୀ କୃଷ୍ଣ ବଲରାମଙ୍କ ହାତରେ ବଧ ହେବା ପରେ କଂସ ମର୍ମାହତ ହୋଇ ରଙ୍ଗସଭାର କରିଛନ୍ତି ଆୟୋଜନ । ଏହି ରଙ୍ଗସଭାକୁ ସମସ୍ତ କରଦ ରାଜାମାନଙ୍କୁ ନିମନ୍ତ୍ରୀତ କରିଥିବା ବେଳେ ଏଥିରେ ଶୋଣିତପୁରର ରାଜା ବାଣାସୁର, କରୀନ୍ଦ୍ର ରାଜା ପୌଣ୍ଡରକ, ମଣିକୁଣ୍ଡଳ ରାଜା ସୌଦାଶ, ଜ୍ୟୋତିଷପୁର ରାଜା ନାରାକସୁର , ମଗଧ ର ରାଜା ଜରାସନ୍ଧ, ଉଡଙ୍ଗ ରାଜା ବଜ୍ରନାଭ, କଠ୍ୱାର ରାଜା ମର୍କଟ ଦ୍ୱିବିନ୍ଦ, ସାକଲ୍ୟ ରାଜା ସାଲ୍ୱ, କଳିଙ୍ଗ ରାଜା ବଜ୍ରସେନ ତଥା ଚେଦି ରାଜା ଶିଶୁପାଳ ପରି ବୀର ଯୋଦ୍ଧା ଉପସ୍ଥିତ ଥିଲେ ।ରଙ୍ଗସଭାରେ ଏହି ଯୋଦ୍ଧା ମାନେ ଉପସ୍ଥିତ ରହି କୃଷ୍ଣ ବଳରାମ ଭଳି ସାମାନ୍ୟ ଶିଶୁକୁ ହତ୍ୟା କରିବା ପାଇଁ ନିଜ ନିଜର ସମର୍ଥନ ଘୋଷଣା କରି ସାମର୍ଥ୍ୟ ଅନୁଯାୟୀ କିଏ କେତେ ସଂଖ୍ୟାରେ ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଯୋଗେଇ ପାରିବେ ସେ ସମ୍ବନ୍ଧରେ ସୂଚନା ଦେଇ ଚିନ୍ତିତ ନ aହେବା ପାଇଁ ରାଜାଧିରାଜ ମହାରାଜା କଂସଙ୍କୁ ନିବେଦନ କରିଥିଲେ । ତେବେ ଏହି ସମୟରେ ଦରବାରରେ ଦେବର୍ଷି ନାରଦ ପ୍ରବେଶ କରି ବଳରେ ଶ୍ରୀକୃଷ୍ଣଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ , ଛଳରେ ମଥୁରା ନିମନ୍ତ୍ରଣ କରି ହତ୍ୟା କରିବା ପାଇଁ ପରାମର୍ଶ ଦେବା ପରେ କଂସାସୁର ଷଡ଼ଯନ୍ତ୍ର ପୂର୍ଣ୍ଣ ଧନୁଯାତ୍ରା ମହୋତ୍ସବର ଘୋଷଣା କରିଥିଲେ । ସୁସଜ୍ଜିତ ରଙ୍ଗସଭା ରେ ଆଜି ପଡ଼ୋଶୀ ରାଜାମାନଙ୍କ ଉପସ୍ଥିତି ଓ ଅଟ୍ଟହାସ୍ୟରେ ଉଛୁଳି ପଡ଼ୁଥିବା ବେଳେ ଅହଙ୍କାରରେ ଚୁର କଂସାସୁର ରାଜାମାନଙ୍କ ସମ୍ମାନାର୍ଥେ ସୁରା ଓ ସାକୀ ର ବନ୍ଦୋବସ୍ତ ପାଇଁ ମହାମନ୍ତ୍ରୀ ଶକ୍ରାଜୀତଙ୍କୁ ନିର୍ଦ୍ଦେଶ ଦେଇ କରଦ ରାଜାମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ବିପଣୀ ଖୋଲି ଦେଇଥିଲେ । ତେବେ ଏପଟେ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ମାମୁଁ କଂସ ଛଳନାର ଯାତ୍ରା ଧନୁଯାତ୍ରା ଆୟୋଜନ କରି ଭଣଜା କୃଷ୍ଣଙ୍କୁ ହତ୍ୟା କରିବ ବୋଲି ଯୋଜନା ପ୍ରସ୍ତୁତ କରିଥିଲା ।

ସେହିପରି ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା, ଗୋପାଙ୍ଗନା ମାନଙ୍କ ବସ୍ତ୍ରହରଣ ତଥା ମା ଯଶୋଦାଙ୍କ ହାତରେ ଦଧି ଖାଉଥିବା ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲା । ଧିରେ ଧିରେ ଭଗବାନ ଶ୍ରୀକୃଷ୍ଣ ଗୋପାଳ ବାଳକଙ୍କ ସହ ମିଶି ଗୋପପୁରରେ ଦୁଷ୍ଟାମୀ କରିବାକୁ ଲାଗିଛନ୍ତି । ଗୋପାଙ୍ଗନାମାନେ ପ୍ରସ୍ତୁତ କରିଥିବା ଦହି, ଲହୁଣି ଆଦି ଚୋରି କରି ସାଙ୍ଗସାଥିମାନଙ୍କ ସହିତ ବେନିଭ୍ରାତା ଚୋରୀ କରୁଥିବା ସମୟରେ ତାଙ୍କୁ ଆକଟ କରିବାକୁ ଯାଇ ହଟହଟା ହେଉଥିବା ଗୋପୀମାନଙ୍କ ଦୂରାବସ୍ଥା ଏକ ଅଦ୍ଭୁତପୂର୍ବ ସ୍ନେହ ବନ୍ଧନକୁ ଉଜାଗର କରିଛି । ଧନୁଯାତ୍ରାର ଷଷ୍ଠ ଦିନରେ ମଥୁରାରୁ ଦଧି ବିକ୍ରୀ କରି ଫେରି ଯମୁନା ନଦୀରେ ଗାଧୋଉଥିବା ରାଧା ଓ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରି କରିନେଇଛନ୍ତି ନଟଖଟିଆ କାହ୍ନା । ଆଉ ବହୁତ କାକୁତି ମିନତି ପରେ ଗୋପାଙ୍ଗନା ମାନଙ୍କୁ ବସ୍ତ୍ର ଫେରାଇଛନ୍ତି ଭଗବାନ ଶ୍ରୀକୃଷ୍ଣ ।

ଆଜି ମଥୁରା ନଗରୀ ର ଉଭୟ ରାଜ ଦରବାର ଓ ରଙ୍ଗ ମହଲ ରେ ମୃଣ୍ମୟୀ ଡେନ୍ସ ଏକାଡେମୀ , ଭବାନୀପାଟଣା, ନୀଳାଦ୍ରି ଗୋଟିପୁଅ ନୃତ୍ୟ ପରିଷଦ ,ପୁରୀ, ଶଙ୍କର ବର୍ମନ୍ ଓ ସେଥି , କଲିକତା, ଗାୟତ୍ରୀ କଲ୍ଚରାଲ ଏସୋସିଏସନ୍, ରାୟଗଡ଼ା,ଧର୍ମପୁତ୍ର କଳା ମଞ୍ଚ , ହରିୟାଣା, ପାୟଲ ଡେନ୍ସ ଗ୍ରୁପ , ହରିୟାଣା, ମାହାରୀ ନୃତ୍ୟ , ମମତା ଓ ସେଥି , ଭୁବନେଶ୍ୱର, ପଞ୍ଜାବ ଫୋକ ଆର୍ଟ ସେଣ୍ଟର୍, ,ସାଇ ସ୍ଵର୍ଣ୍ଣ କଳା ପରିଷଦ ,ବଲାଙ୍ଗୀର, ପ୍ରୀତି ଓ ସେଥି , ପଞ୍ଜାବ, ଦୁଲ ଦୁଳୀ କଳା ପରିଷଦ,ବରଗଡ, ସଙ୍ଗୀତ ସମିତି ,ପଦ୍ମପୁର ପ୍ରମୁଖ ଅନୁଷ୍ଠାନ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ସେହିପରି ଗୋପପୁର ରେ ପଦ୍ମିନୀ ସୁନା ଓ ସେଥି ଙ୍କ ସଞ୍ଚାର,ରେଶମ ସିଂହେଁନ ପାଲି ର ଚୁମକୁ ଚୁମା , ଜିଗ ଜାଗ,ହୀରାକୁଦ , ଢ଼ଲିଆଖସା ,ବରଗଡ , ଗୋଟିପୁଅ ନୃତ୍ୟ , ସାକ୍ଷୀଗୋପାଳ ର ସାଂସ୍କୃତିକ ଦଳ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମ

ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସରେ ମହାରାଜା କଂସଙ୍କ ନଗର ପରିଭ୍ରମଣ, ଧନୁଯାତ୍ରା ମହୋତ୍ସବ ପାଇଁ ଶ୍ରୀକୃଷ୍ଣ, ବଳରାମଙ୍କ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ, ରାଜଦରବାରରେ ନ୍ୟାୟ, ବିଚାର, ଦୁର୍ଗା ମନ୍ଦିରରେ ମହାରାଜା କଂସଙ୍କ ଦୁର୍ଗା ସ୍ତୁତି, ଗୋପପୁରରେ ଗୋପୀଙ୍କ ଦଧିବିକା, ରାଧାକୃଷ୍ଣଙ୍କ ନାବକେଳି, ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ନାଟ୍ୟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।


Leave a Reply

Your email address will not be published. Required fields are marked *

error: Content is protected !!