ମଥୁରାରେ କଂସଙ୍କ ଅତ୍ୟାଚାରରେ ଅତିଷ୍ଟ ମୁନିଋଷି ଦେଲେ ଅଭିଶାପ, ସେପଟେ କୃଷ୍ଣ ବଲରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୃଳ ବିଦାୟ

0

ବରଗଡ଼, 24/1(ସଂସ୍କୃତି ମିଡ଼ିଆ )-ବରଗଡ ଧନୁଯାତ୍ରା ନବମ ଦିନରେ ପହଂଚିଛି । ମଥୁରା ନଗରୀରେ ପ୍ରବଳ ପ୍ରତାପୀ କଂସଙ୍କ ରାଜତ୍ୱ ଚାଲିଥିବାବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ । ନନ୍ଦରାଜା ଓ ଯଶୋଦା ସମେତ ସମସ୍ତ ଗ୍ରାମବାସୀ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ବିଦାୟ ଦେଇଥିବାବେଳେ ଗୋପପୁର ଏବେ ହୋଇଯାଇଛି ସ୍ତବ୍ଧ । ଅପରପକ୍ଷେ ମହାରାଜା କଂସ ମଥୁରାର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରଛନ୍ତି । ଫଳରେ ଅତିଷ୍ଟ ମୁନିଋଷିମାନେ ମହାରାଜ କଂସଙ୍କୁ ଦେଇଛନ୍ତି ଅଭିଶାପ l

ବରଗଡ ଧନୁଯାତ୍ରାର ନବମ ଦିବସରେ ପହଂଚିଥିବାବେଳେ ଭଣଜା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଆୟୋଜନ କରିଛନ୍ତି ଛଳନା ଓ କପଟର ଯାତ୍ରା ଧନୁଯାତ୍ରା । ଆଉ କୃଷ୍ଣଙ୍କୁ ମଥୁରା ନଗରୀକୁ ନିମନ୍ତ୍ରଣ କରିବା ସକାଶେ କଂସଙ୍କ ଚିଟାଉ ନେଇ ପହଂଚିଥିଲେ ପୂର୍ବତନ ମନ୍ତ୍ରୀ ଅକୃର । ତେବେ କୃଷ୍ଣ ବଳରାମଙ୍କୁ ମଥୁରା ନେବା ପାଇଁ ନନ୍ଦରାଜାଠାରୁ ଅନୁମତି ନେବା ସମୟରେ ସମଗ୍ର ଗୋପପୁରରେ ଛାଇ ଯାଇଥିଲା ଶୋକାକୂଳ ପରିବେଶ । ମାତା ଯଶୋଦା ଓ ନନ୍ଦରାଜା ଠାରୁ କୃଷ୍ଣ ବଳରାମଙ୍କ ବିଦାୟ ଦୃଶ୍ୟରେ ସ୍ତବ୍ଧ ରହିଯାଇଥିଲେ ଗୋପପୁରବାସୀ ।

ଗୋପପୁର କୃଷ୍ଣବଲରାମଙ୍କ ଲୀଳାରେ ଯେତେ ଉତ୍ସବମୁଖରିତ ହୋଇ ପଡିଥିଲା ତାଠୁ ବଳି ପଡିଥିଲା ବିଦାୟ ବେଳର ଶୋକାକୁଳ ପରିବେଶ । କୃଷ୍ଣ ବଳରାମଙ୍କୁ ବିଦାୟ ଦେବା ସମୟରେ ଗ୍ରାମବାସୀ ଘର ସମ୍ମୁଖରେ ଧୂପ ଦୀପ ଦେଇ ପାଦ ଧୋଇ ବିଦାୟ ଦେଇଥିଲେ କୃଷ୍ଣବଲରାମଙ୍କୁ ଅକୃର ସହିତ ।

ଅନ୍ୟ ପକ୍ଷରେ କୃଷ୍ଣ ଧନୁଯାତ୍ରା ଦେଖି ଚାରି ଦିନ ପରେ ଗୋପପୁର ପ୍ରତ୍ୟାବର୍ତନ କରିବେ ବୋଲି ବରଜ ପତ୍ରରେ ଲେଖି ପ୍ରତିଶ୍ରୃତି ଦେଇଥିଲେ ରାଧାଙ୍କୁ । ସେହିପରି କୃଷ୍ଣ ବଲରାମଙ୍କ ସହ ଗୋପାଳ ବାଳକମାନେ ମଧ୍ୟ ମଥୁରା ନଗରୀରେ ଧନୁଯାତ୍ରା ଦେଖିବା ପାଇଁ ଜିଦ୍ ଧରି ବସି ରହିଥିଲେ । ପରେ ଅକୃର ଗୋପାଳ ବାଳକଙ୍କ କୃଷ୍ଣ ପ୍ରେମ ଦେଖି ସଙ୍ଗରେ ନେଇ ଯାଇଥିଲେ ମଥୁରାନଗରୀରେ ଅନୁଷ୍ଠିତ ଧନୁଯାତ୍ରା ଦେଖିବା ପାଇଁ । ତାପରେ କୃଷ୍ଣବଲରାମ ବେନୀଭାଇ ସମେତ ଗୋପାଳ ବାଳକମାନେ ମଥୁରା ନଗରୀରେ ପହଂଚି ବିଶ୍ରାମ ନେଇଛନ୍ତି ମଧୁବନ ତୋଟାରେ । ଅନ୍ୟ ପକ୍ଷରେ କୃଷ୍ଣବଳରାମଙ୍କ ବିଦାୟ ପରେ ସମଗ୍ର ଗୋପପୁର ଏହେ ଖାଁ ଖାଁ ଲାଗୁଥିବାବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇ ବେଶ ସୌଭାଗ୍ୟ ମନେ କରୁଛନ୍ତି ମଥୁରାବାସୀ ।

ମହାରାଜ କଂସଙ୍କ ଅତ୍ୟାଚାରରେ ଥରହର ମଥୁରା ନଗରୀ । ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହ ହାତୀ ପିଠିରେ ବସି ନଗର ଭ୍ରମଣରେ ବାହାରିଥିବାବେଳେ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ନବମ ଦିନରେ ମଥୁରାର ଆମ୍ରବନରେ କୃଷ୍ଣ ପ୍ରେମରେ ଧ୍ୟାନ ରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରିବା ସହ ବନ୍ଦୀ କରି ରଖିଥିଲେ କାଳକୋଠରୀରେ ।


Leave a Reply

Your email address will not be published. Required fields are marked *

error: Content is protected !!