ବିଦ୍ୟୁତ୍ ବିଭାଗର ଟାଲଟୁଳ ନୀତି, ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ
ଅତାବିରା, ୪/୬(ସଂସ୍କୃତି ମିଡ଼ିଆ)- ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି l ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ଓଡ଼ିଶା ସରକାରଙ୍କ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏଁ ଭାଷଣ ଦେଇ ଚାଲିଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ଼ ଜିଲା ସରଣ୍ଡା ଅଞ୍ଚଳରେ l ଏହି ସରଣ୍ଡା ଫ୍ରିଡ଼ରେ ବାରମ୍ବାର ବିଦ୍ୟୁତ ସରବରାହ ବିଛିନ୍ନ ହେଉଛି l ଗୁରୁବାର ଏହି ବିଦ୍ୟୁତ ବିଛିନ୍ନତା ଉଗ୍ର ରୂପ ନେଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୋଇପାଲି ଭୁଲିଆ ଛକ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫରମରରୁ ସରଣ୍ଡା ଅଞ୍ଚଳର ମହାପାତ୍ର ପଡ଼ା, ଗୌରପଡା, ମନ୍ଦିର ଛକ, ଭୁଲିଆଘର ଛକ ଆଦି ଅଞ୍ଚଳକୁ ବିଦ୍ୟୁତ ସଂଚାରଣ ହୋଇଥାଏ l ଏହି ୧୦୦ କିଲୋ ୱାଟ୍ ଟ୍ରେନଫମର ଉପରେ ୧୫୦ ଅଧିକ ଉପଭୋକ୍ତା ଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ନିର୍ଭର କରି ଆସୁଥିଲେ l ଏହି ଅଞ୍ଚଳରେ ଅଧିକ କିଲୋ ୱାଟ୍ ସମ୍ପର୍ଣ୍ଣ ଟ୍ରେନଫମର ଲଗାଇବାକୁ ଦାବୀ ହୋଇ ଆସୁଥିଲା l ଗତ ଜାନୁୟାରୀ ମାସରେ ସରଣ୍ଡାର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ସମୟରେ ଆଉ ଏକ ଟ୍ରାନ୍ସଫରମର ମନ୍ଦିର ପାଖ ଜାତୀୟ ରାଜପଥ କଡ଼ରେ ବସାଯାଇଥିଲା l ଫଳରେ ଉପଭୋକ୍ତାଙ୍କ ଦୁର୍ଦ୍ଦଶା ଦୂର ହେଲା ବୋଲି ଲୋକେ ଭାବି ନେଇଥିଲେ l ତେବେ ଗତ ମାର୍ଚ୍ଚ ମାସ ୨୦ ତାରିଖ ଦିନ ସେହି ନୂତନ ଟ୍ରାନ୍ସଫରମରକୁ ଏକ ଆସ୍ ହାଇୱା ଧକ୍କା ଦେଇ ସେହିଠାରେ ଓଲଟି ପଡିବାରୁ ଭାଙ୍ଗି ଚୁରମାର ହୋଇଯାଇଥିଲା l ସେହିଠାରେ ପୂର୍ବରୁ ଥିବା ଅନ୍ୟ ଏକ ୨୫ କେଭିଏ ର ଟ୍ରାନ୍ସଫର୍ମର ବି ଭାଙ୍ଗି ଚୁରମାର ହୋଇଯାଇଥିଲା l ଦୁର୍ଘଟଣା ପରେ ପୁରୁଣା ୧୦୦ କେଭିଏ ଟ୍ରାନ୍ସଫରମର ଉପରେ ସମସ୍ତ ଲୋଡ଼ ଦିଆଯାଇଛି l ସେହି ଦିନରୁ ଅଞ୍ଚଳର ଉପଭୋକ୍ତା କ୍ଷଣିକେ କ୍ଷଣି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି l ଏଭଳି ସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଲୋଡ଼ ବଡିବା ଫଳରେ ଗତ ମେ ‘ ମାସ ୩୦ ତାରିଖ ପୁରୁଣା ଟ୍ରାନ୍ସଫରମର ବି ପୋଡ଼ି ନଷ୍ଟ ହୋଇଗଲା l ତେବେ ସେହି ଦିନ ବିଦ୍ୟୁତ କର୍ମଚାରୀ ଦିନ ତମାମ୍ ହଇରାଣ ହରକତ ହୋଇ କଷ୍ଟେ ମଷ୍ଟେ ନୂତନ ୧୦୦ କେଭିଏ ର ଟ୍ରାନ୍ସଫରମର ଚାର୍ଚ୍ଚ କରାଯାଇଥିଲା l ତଥାପି ଅତ୍ୟଧିକ ଲୋଡ଼ ଫଳରେ ଏଇ ସପ୍ତାହକ ମଧ୍ୟରେ ଏପରି କୌଣସି ଦିନ ନାହିଁ ଯେଉଁ ଦିନ କି ବିଦ୍ୟୁତ ବିଭ୍ରାଟ ହୋଇ ନାହିଁ l ସରଣ୍ଡା ମନ୍ଦିର ଛକରେ ଲାଗିଥିବା କେବୁଲ ଲୋଡ଼ କଣ୍ଟ୍ରୋଲ କରି ନ ପାରି ଗୁରୁବାର ପୋଡ଼ି ନଷ୍ଟ ହୋଇଯାଇଛି l ଗ୍ରାମବାସୀ ବାରମ୍ବାର ଉପରିସ୍ଥ ବିଦ୍ୟୁତ ଅଧିକାରୀଙ୍କୁ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ କମସେ କମ୍ ୨୫୦ କେଭିଏ ର ଟ୍ରାନ୍ସଫରମର ଦେବାକୁ ଦାବୀ କରୁଥିବା ବେଳେ କେହି କର୍ଣ୍ଣପାତ କରୁ ନାହାଁନ୍ତି l ଲୋକଙ୍କ ତଥା ଉପଭୋକ୍ତାଙ୍କ ଖଜଣାରୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଲକ୍ଷାଧିକ ଟଙ୍କା ମାସକୁ ଦରମା ନେଉଥିବା ବେଳେ ସେମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ସମୟ ବିତାଉଥିବା ବେଳେ ସାଧାରଣ ଉପଭୋକ୍ତା ଗରମରେ ଆଉଟୁପାଉଟୁ ହେଉଥିବା କହିଛନ୍ତି l
ଏନେଇ ଅତାବିରା ବିଦ୍ୟୁତ ବିଭାଗ ଏସଡ଼ିଓଙ୍କୁ ପଚାରିବାରୁ, ଆମେ ଚାଉଁଛୁ ସମସ୍ତ ବିଦ୍ୟୁତ ଗ୍ରହକଙ୍କୁ ସେବା ଦେବା ପାଇଁ l ତେବେ ସରଣ୍ଡା ଅଞ୍ଚଳରେ ଥିବା ଟ୍ରାନ୍ସଫରମରକୁ ପୁନଃ ୨୫୦ କେଭିଏ ଦେବାକୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ l
