ପଦ୍ମପୁର ଜିଲ୍ଲା ଦାବି ଜୋର ଧରିଲା : ଆଜିଠୁଁ ଉପ- ଜିଲ୍ଲାପାଳ ଅଫିସରେ ଧାରଣା, ୫ରୁ ସରକାରୀ ଅଫିସରେ ପଡିବ ତାଲା

ପଦ୍ମପୁର,1/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ପୁଣି ତେଜିଛନ୍ତି ପଦ୍ମପୁରବାସୀ l ରାଜ୍ୟ ସରକାରଙ୍କ ଦୃଢ ପ୍ରତିଶ୍ରୁତି ସତ୍ତ୍ବେ ପଦ୍ମପୁର ଜିଲା ଘୋଷଣା ହେଲାନାହିଁ । ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହାର ପ୍ରତିବାଦ କରିଛି ମିଳିତ କ୍ରିୟାନୁଷ୍ଠାନ କୋର କମିଟି। ଫେବୃୟାରୀ ୧ ତାରିଖ ଅର୍ଥାତ ଆଜି ଗୁରୁବାରଠାରୁ କମିଟି ପକ୍ଷରୁ ପଦ୍ମପୁର ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ। ରାଜାଜୀ ଟାଉନ ହଲରେ ଆବାହକ ସନ୍ତୋଷ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କୋର କମିଟିର ଏକ ଜରୁରୀ ବୈଠକରେ ଏହା ସ୍ଥିର କରାଯାଇଛି। ପାଇକମାଳ, ଝାରବନ୍ଧ, ପଦ୍ମପୁର ବ୍ଲକର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ଦାବି ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହ ଫେବୃୟାରୀ ୫ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ l ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସ୍ବାସ୍ଥ୍ୟ, ଶିକ୍ଷା, ପୋଲିସ, ଅଗ୍ନିଶମ କାର୍ଯ୍ୟାଳୟ ଖୋଲା ରହିବ। ଏତଦ୍ ବ୍ୟତୀତ ପ୍ରତ୍ୟେକ ଗ୍ରାମରେ ସଙ୍ଗଠନକୁ ସୁଦୃଢ କରିବାକୁ ଜନସଚେତନ କରାଯିବ। ଶେଷରେ ଏକ ବିରାଟ ସମାବେଶ କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଅବସରରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସଂଯୋଜକ ଅଜିତ ଶତପଥୀ, ସମ୍ପାଦକ ଚିନ୍ମୟ ପଣ୍ଡା, ରାମଚନ୍ଦ୍ର ତ୍ରିପାଠୀ, ଗୋବର୍ଦ୍ଧନ ଭୋଏ, ରୋହିତ ପ୍ରଧାନ, ରଘୁନାଥ ପୁରୀ, ବୀରଦୈତ୍ୟ ସାହୁ, ମନୋଜ ବାରିକ, ମନୋରଞ୍ଜନ ସିଂ ବରିହା, ପ୍ରତାପ ମିଶ୍ର, ବିଜୟ ସାହୁ, ମନୋଜ ତ୍ରିବେଦୀ, ବିନୋଦ କାଲିଆ, ନିରୋଜ ଦୋରା, ଜୟନାରାୟଣ ତ୍ରିବେଦି ପ୍ରମୁଖ ଉପସ୍ଥିତ ଥିଲେ।