ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଆଜି ଗଡିବ ଟ୍ରେନ

0

ସୋନପୁର,୩।୨(ସଂସ୍କୃତି ମିଡ଼ିଆ ): ପାତାଳି ଶ୍ରୀକ୍ଷେତ୍ର ସୋନପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଆଜି ଗଡିବ ଟ୍ରେନ l ସୋନପୁର ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମା ପାତାଳି ଶ୍ରୀକ୍ଷେତ୍ର ସୋନପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ୍‌ ଗଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲିରୁ ସୋନପୁର ଷ୍ଟେଶନ ମଧ୍ୟରେ ନୂଆ ରେଳ ଲାଇନ୍‌ ଓ ସୁବର୍ଣ୍ଣପୁର ରେଳ ଷ୍ଟେଶନର ଲୋକାର୍ପଣ କରିବେ। ସେହିପରି ସୋନପୁରରୁ ଟ୍ରେନ୍‌ ସେବାକୁ ଶୁଭାରମ୍ଭ କରିବେ। ଏଥିପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସୋନପୁରରେ ପହଞ୍ଚିଛନ୍ତି । ଷ୍ଟେଶନକୁ ସୁନ୍ଦର ଭାବେ ସଜାଯାଇଛି। ଏକ ଟ୍ରେନ୍‌ ମଧ୍ୟ ଟ୍ରାଏଲ ପାଇଁ ରହିଛି। ପାସେଞ୍ଜର ଟ୍ରେନ୍‌ ଗଡିବା ପୂର୍ବରୁ ବାରମ୍ବାର ଟ୍ରାଏଲ ହୋଇଥାଏ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ଓ ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତ ରହିବେ ବୋଲି ଜଣାପଡିଛି। ରେଳ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଶନିବାର ଏକ ଟ୍ରେନ୍‌ ପରୀକ୍ଷାମୂଳକ ଭାବେ ଗଡିବ। ସୋନପୁରରୁ ପୁରୀକୁ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ସାପ୍ତାହିକ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଗୁରୁବାର ଟ୍ରେନ୍‌ ପୁରୀରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ଓ ବଲାଙ୍ଗୀର ଦେଇ ସୋନପୁର ଆସିବ। ପୁଣି ଶୁକ୍ରବାର ଟ୍ରେନ୍‌ ସୋନପୁରରୁ ପୁରୀ ଫେରିବ। ସେହିପରି ରେଳ ବିଭାଗର ପ୍ରସ୍ତାବ ଅନୁଯାୟୀ ପ୍ରତ୍ୟହ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ବଲାଙ୍ଗୀର-ବିଛୁପାଲି ମଧ୍ୟରେ ଚାଲୁଥିବା ୨ଟି ପାସେଞ୍ଜର ଟ୍ରେନ୍‌ ସୋନପୁର ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଦୈର୍ଘ୍ୟ ୩୦୧ କିଲୋମିଟର। ସେଥିମଧ୍ୟରୁ ଖୋର୍ଦ୍ଧାରୋଡ୍‌ରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋମିଟର ଓ ବଲାଙ୍ଗୀର ପଟୁ ୫୧କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।


Leave a Reply

Your email address will not be published. Required fields are marked *

error: Content is protected !!