ଓବିସି ସଂଗ୍ରାମୀ ସୁବାସ ନାୟକ ସାଂସଦ/ବିଧାୟକ ପ୍ରାର୍ଥୀ ହେବେ ! କିଂତୁ କେଉଁ ଦଳରୁ ?

ସମ୍ବଲପୁର,୧୬/୨ (ସଂସ୍କୃତି ମିଡିଆ)-ଓଡିଶା ଓବିସି ମଞ୍ଚ ଗଠନକରି ଏହାର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଭାବରେ ଅହରହ ଦିବାରାତ୍ର ସଂଗ୍ରାମ କରି ଆସୁଥିବା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଆଗାମୀ ସାଧାରଣ ନିର୍ବାଚନରେ ସାଂସଦ କିମ୍ବା ବିଧାୟକ ପଦବୀ ପାଇଁ ପ୍ରାର୍ଥୀ ହେଉଥିବା ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ସମେତ ତାଙ୍କ ସହ ସମ୍ପୃକ୍ତ ଗଣ ସଂଗଠନମାନେ ଘୋଷଣା କରିଛନ୍ତି। କିନ୍ତୁ କେଉଁ ଦଳରୁ କିମ୍ବା ସ୍ୱାଧୀନ ଭାବରେ ଲଢ଼ିବେ କଳ୍ପନା, ଜଳ୍ପନା ଲାଗିରହିଛି। ଶ୍ରୀ ନାୟକ ଜଣେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଅଟନ୍ତି। ଏହା ପୂର୍ବରୁ ଛାତ୍ର ରାଜନୀତିରେ ସାମିଲ ହୋଇ ୧୯୮୦ ଛାତ୍ର ଆନ୍ଦୋଳନରେ ୧୮ ଦିନ ପାଇଁ ଜେଲ ଯାଇଥିଲେ। ପରେ ପରେ ଜନତା ଦଳ ସହିତ ସାମିଲ ହୋଇ ନିର୍ବାଚନ ମଣ୍ଡଳୀ ସଭାପତି, ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦୁଇ ଥର ସାଧାରଣ ସମ୍ପାଦକ ଓ ଥରେ ରାଜ୍ୟ କୃଷକ ଜନତାର ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ ।ଏପରିକି ବିଜେଡ଼ି ଗଠନ ହେବା ପରେ ଜିଲ୍ଲା ବିଜେଡ଼ି ର ଥରେ ନିର୍ବାଚନ ଅଧିକାରୀ ଓ ଦୁଇଥର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ ଥିଲେ। ବର୍ତ୍ତମାନର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ସମ୍ବଲପୁର ଓ ଦେବଗଡ ଜିଲ୍ଲା ପରିଷଦର ଆଠଗୋଟି ଆସନରେ ପ୍ରାର୍ଥୀ ଦେବା ସହ ନିଜେ ମଧ୍ୟ ପ୍ରାର୍ଥୀ ରହି ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିଛନ୍ତି। ସେବା ନିବୃତ ହେବା ପରେ ସମଗ୍ର ପଶ୍ଚିମ ଓଡିଶା ବିଶେଷ କରି ଅବିଭକ୍ତ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ନିଜସ୍ୱ ସଂଗଠନ କରିବା ସହ ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ବର୍ତ୍ତମାନ ମଧ୍ୟ ରତ ଅଛନ୍ତି। ତିନି ଥର ପ୍ରକୃତି ବନ୍ଧୁ ଓ ଦୁଇ ଥର ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଓ ନ୍ୟାୟ ଯାତ୍ରାରେ ଝାରସୁଗୁଡାରେ ସାମିଲ ହୋଇଛନ୍ତି। ପୂର୍ବରୁ ବାଲଗୋପାଳ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଦୁଇ ଗୋଟି କୋଶଲ ରଥ ପରିକ୍ରମା ଓ ଏବେ ବିଶିଷ୍ଟ ଅଭିନେତାଙ୍କ ସହ ମଧ୍ୟ ଭାଷା, ସଂସ୍କୃତି ଯାତ୍ରାରେ ସାମିଲ ହୋଇଥିଲେ। ଏବେ ଉଭୟେ କଂଗ୍ରେସ ଶିବିରରେ ଅଛନ୍ତି । ଛାତ୍ର ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବରେ ଝାରସୁଗୁଡା ଓ କୁଚିଣ୍ଡାରେ ବିଭିନ୍ନ ଶିକ୍ଷା ସମସ୍ୟା ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ଏହି ସବୁ କାରଣ ନେଇ ସେ ସମ୍ବଲପୁର ଲୋକସଭା କିମ୍ବା ଝାରସୁଗୁଡା ବିଧାନ ସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋରଧରିଛି। ନିକଟରେ ଝାରସୁଗୁଡା ଓ ସମ୍ବଲପୁର ଥରେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇ ଦଳ ପକ୍ଷରୁ ଶ୍ରୀ ନାୟକଙ୍କୁ ଯେ କୋଣସି ଗୋଟିଏ ସ୍ଥାନରେ ପ୍ରାର୍ଥୀ ହେବାକୁ ଆମନ୍ତ୍ରଣ ହୋଇଥିବା ଚର୍ଚ୍ଚା ଜୋରଧରିଛି । କୁଚିଣ୍ଡା ଶ୍ରମିକ ଭବନରେ ଦଳର ପ୍ରତିଷ୍ଠାତା କାଂଶୀରାମଙ୍କ ଜୟନ୍ତୀରେ ଶ୍ରୀ ନାୟକ ନେତୃତ୍ୱ ନେଇ ତିନୋଟି ଜିଲ୍ଲାର ଆମ୍ବେଦକର ପନ୍ଥୀଙ୍କୁ ସେ ଏକାକାର କରିପାରିଥିବାରୁ ଚର୍ଚ୍ଚାରେ ସତ୍ୟତା ଥିବା କୁହାଯାଉଛି। ଠିକ୍ ସେଇପରି କଂଗ୍ରେସ ପକ୍ଷରୁ ତାଙ୍କ ନାମକୁ ଲୋକସଭା ପାଇଁ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି। ତାଙ୍କ ପାଇଁ ଜିଲ୍ଲା କମିଟି ସୁପାରିଶ କରିଥିବା କୁହାଯାଉଛି। ଅନ୍ୟ ପକ୍ଷରେ ବିଜେଡ଼ିର ଦୁଇଜଣ ପର୍ଯ୍ୟବେକ୍ଷକ କୁଚିଣ୍ଡା ଗସ୍ତରେ ଆସିଥିବା ବେଳେ ଦଳର ଜଣେ ପ୍ରତିଷ୍ଠାତା ସଭ୍ୟ ଭାବରେ ତାଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିବା ପୁରୁଣା ନେତାମାନେ କହୁଛନ୍ତି। ଏହି ସବୁ କାରଣ ନେଇ ଶ୍ରୀ ନାୟକ କେଉଁ ଦଳରୁ କେଉଁ ପଦବୀ ପାଇଁ ପ୍ରାର୍ଥୀ ହେଉଥିବା ଆଲୋଚନା ଚାଲିଥିବା ବେଳେ ସେ ଯେ ଲୋକସଭା/ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ବିଜୟରେ ନିର୍ଣ୍ଣୟାକ ଭୂମିକା ନେବେ ବୋଲି ରାଜନୀତି ବିସାରଦ ଗଣ ଆକଳନ କରୁଛନ୍ତି।