ପରିବେଶ ସଚେତନତା ବାର୍ତ୍ତା ନେଇ ଦେଢ଼ ବର୍ଷରେ ୨୮ ରାଜ୍ୟ ସାଇକେଲ ଯାତ୍ରା କରି ଫେରିଥିବା ନନ୍ଦିଘୋଷ ଖମାରୀଙ୍କୁ ନିଜ ଜିଲା ସୀମାରେ ଭବ୍ୟ ସମ୍ବର୍ଦ୍ଧନା

ସରଣ୍ଡା,5/3(ସଂସ୍କୃତି ମିଡ଼ିଆ )-ପରିବେଶ ସଚେତନତା ଲକ୍ଷ୍ୟ ରଖି ଦେଢବର୍ଷ ତଳେ ବରଗଡ ଜିଲା ଭଟଲି ବ୍ଲକର ନୂଆଗଡରୁ ବାହାରିଥିବା ନନ୍ଦିଘୋଷ ଖମାରୀ ଏହା ଭିତରେ ୨୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରି ସାରି ଘର ବାହୁଡ଼ାରେ ମଙ୍ଗଳବାର ନିଜ ବରଗଡ଼ ଜିଲାକୁ ପହଞ୍ଚିଛନ୍ତି। ତାଙ୍କର ସାଇକେଲ ଯାତ୍ରା ଭିତରେ ସେ ବୁଲିଛନ୍ତି ୨୮ଟି ରାଜ୍ୟ l ଦେଶଭ୍ରମଣ କରି ମଙ୍ଗଳବାର ନନ୍ଦିଘୋଷ ନିଜ ଜିଲା ସୀମାରେ ପହଞ୍ଚିଥିବା ଅବସରରେ ତାଙ୍କୁ ପ୍ରଥମେ ଗୋଡ଼ଭଗା ପରେ ଅତାବିରା, ଲଦେରପାଲି, ଲାଇନ୍ସ କ୍ଳବ ଅତାବିରା, ରେଙ୍ଗାଲିକେମ୍ପ ଛକ ଆଦି ବହୁ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
ଗୋଡଭଗା ଅଞ୍ଚଳର ମା ଦୁର୍ଗା କମିଟିର ସଭାପତି କୁଳମଣି ପ୍ରଧାନ, ସାଧାରଣ ସମ୍ପାଦକ ରମକିସନ ଅଗ୍ରୱାଲ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାଵ) ତଥା ଆକାଶବାଣୀ ଶ୍ରୋତା ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଏନୟୁଜେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଟ ଖବରଦାତା ସୁରେଶ ଦାଶ, ବୁଲୁ ଅଗ୍ରୱାଲ, ଲାୟନ୍ସକ୍ଲବ ର ଦେବବ୍ରତ ରଥ, ମନୋଜ ଶର୍ମା,ପ୍ରଦୀପ କର୍ଣ୍ଣ ତଥା ଲହଣ୍ଡା ଗ୍ରାମର ବିଭିନ୍ନ ଅନୁଷ୍ଠାନର ଯୁବକ ମାନେ ନନ୍ଦିଘୋଷଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକାନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଗୋଡ଼ଭଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନଗୁରୁଜି ଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ଗୁରୁଜୀଗୁରୁମା ନନ୍ଦିଘୋଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ଏହି ସମାବେଶରେ ସମସ୍ତଙ୍କୁ ନିଜ ନିଜ ଜନ୍ମଦିନ ରେ ଗଛଟିଏ ଲଗାଇବା ପାଇଁ ନନ୍ଦିଘୋଷ ଖମାରୀଙ୍କ ଆହ୍ୱାନ ରେ ସମସ୍ତେ ଶପଥ ନେଇଥିଲେ l ବିଦ୍ୟାଳୟ ର ୨ ଜଣ ଛାତ୍ର ଙ୍କ ଆଜି ଜନ୍ମଦିନ ଥିବାରୁ ସେ ଦୁହିଁଙ୍କୁ ଆଶୀର୍ବାଦ ଦେଇ ଦୁଇଟି ଚାରା ରୋପଣ କରିବାକୁ ଉପହାର ଦେଇଥିଲେ l
ସେହିପରି ଅତାବିରା ଦୁର୍ଗା ମନ୍ଦିରରେ ମାଁ ଦୁର୍ଗାଙ୍କୁ ନନ୍ଦିଘୋଷ ପୂଜାଅର୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ପରେ ସେଠାରେ କୋଶଲ ସେନା, ବଜରଙ୍ଗ ଦଳ, ଦୁର୍ଗା ମନ୍ଦିର କମିଟି, କୃଷକ ମୋର୍ଚ୍ଚା, ଏବିଭିପି, ବିଜେପି, ବିଦ୍ୟୁତ ସଂଘ ଆଦି ଅନୁଷ୍ଠାନ ପକ୍ଷରୁ ସ୍ବାଗତଂ ସମ୍ବର୍ଦ୍ଧନା ଦିଆଯାଇଥିଲା l
ଦୁର୍ଗା ମନ୍ଦିରରୁ ବାହାରି ଲଦେରପାଲି ରାମଚଣ୍ଡୀ ମନ୍ଦିରକୁ ନନ୍ଦିଘୋଷ ଯାଇ ମାଁ ଙ୍କ ଦର୍ଶନ କରିଥିଲେ l ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଭୁତପୁର୍ବ ସୈନିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲଦେରପାଲି ସ୍ଵାତି ଟିଭିଏସ ଠାରେ ଲାଇନ୍ସ କ୍ଲବ ରେ ସଭାପତି ବଳରାମ ପ୍ରଧାନ, ସମ୍ପାଦକ ବିନୟ କୁମାର ଦାଶ, କୋଶାଧ୍ୟକ୍ଷ ସୋମନାଥ ପଟ୍ଟନାୟକ, ଦେବେନ୍ଦ୍ର ରଥ, ଅମିତ ଗୁପ୍ତା, ଶିବଶଙ୍କର ତ୍ରିପାଠୀ, ଜୟକୃଷ୍ଣ ଛୁରିଆ ମାନପତ୍ର, ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ରେଙ୍ଗାଲିକେମ୍ପ ଛକରେ ସୁବାଷ ପ୍ରଧାନଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ନନ୍ଦିଘୋଷ ଖମାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
ଏହି ଅବସରରେ ନନ୍ଦିଘୋଷ ତାଙ୍କର ଦେଢବର୍ଷର ସାଇକେଲ ଯାତ୍ରାର ଅଭିଜ୍ଞତା ବିଷୟରେ କହିଥିଲେ। ସାଇକେଲର ଅଧିକ ବ୍ୟବହାର ପରିବେଶ ସହ ମଣିଷକୁ ମଧ୍ୟ ସୁସ୍ଥ ରଖିବ ବୋଲି ସେ କହିଥିଲେ।ନନ୍ଦିଘୋଷଙ୍କ ବାପା ତପୋଧନ ଖମାରୀ ଜଣେ କ୍ଷୁଦ୍ର ଚାଷୀ ଏବଂ ମା’ ଦ୍ରୌପଦୀ ଖମାରୀ ଜଣେ ଗୃହିଣୀ। ତିନି ଭାଇ ଭଉଣୀ ଭିତରେ ସବା ସାନ ନନ୍ଦିଘୋଷ ସାଇକେଲରେ ଦେଶ ଭ୍ରମଣ କରିବା ସ୍ବପ୍ନ ପୂରଣ କରିବାକୁ ୨୦୨୨ସେପ୍ଟେମ୍ବର ୫ରେ ବରଗଡ଼ ଜିଲା ଭଟଲି ବ୍ଲକ ନୂଆଗଡ଼ ଗାଁରୁ ବାହାରିବା ସମୟରେ କେବେ ଘରକୁ ଫେରିବେ ତାହା ଜାଣି ନ ଥିଲେ। ତେବେ ନିଜର ସଂକଳ୍ପ ବଳରେ ସେ ଦେଢବର୍ଷ ହେବ ବିଭିନ୍ନ ରାଜ୍ୟ ବୁଲି ପରିବେଶ ସଚେତନତାର ବାର୍ତ୍ତା ପ୍ରଚାର କରିପାରିଛନ୍ତି। ନିଜର ଯାତ୍ରା ଭିତରେ ସେ ବିଭିନ୍ନ ଥାନା, ସ୍କୁଲ, ମନ୍ଦିର, ମସଜିଦ ଗୀର୍ଜାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିଥିବା କହିଥିଲେ। ବିଶେଷକରି ମହାରାଷ୍ଟ୍ରରେ ସାଇକେଲ ପ୍ରତି ଅଧିକ ଆଗ୍ରହ ରହିଥିବା ବେଳେ ଭାରତର ଚାରିଆଡେ ସମ୍ବଲପୁରୀ ଗୀତ ଏବଂ ନାଚ ପ୍ରତି ଲୋକଙ୍କ ଆଗ୍ରହ ରହିଥିବା ନନ୍ଦିଘୋଷ କହିଛନ୍ତି। ଲୋକେ ସମ୍ବଲପୁରୀ ଭାଷା ବୁଝି ନ ପାରିଲେ ମଧ୍ୟ ସମ୍ବଲପୁରୀ ଭାଷା ଏବଂ ବଜାକୁ ବେଶ ଉପଭୋଗ କରୁଥିବା ସେ କହିଛନ୍ତି। ଖରା, ବର୍ଷା, ଶୀତ ବର୍ଷର ସବୁ ସମୟରେ ସେ ସାଇକେଲ ଚଳାଇ ନିଜ ଯାତ୍ରାକୁ ଆଗକୁ ବଢାଇ ଆସିଛନ୍ତି। ପ୍ରତି ରାଜ୍ୟରେ ପ୍ରାୟ ପନ୍ଦର ଦିନ ସମୟ ରହିବା ସହ ସେଠାକାର ଖାଦ୍ୟପେୟ, ଭାଷା, ସଂସ୍କୃତି ବିଷୟରେ ଅବଗତ ହୋଇପାରିଥିବା କହିଛନ୍ତି। ୨୬ ବର୍ଷୀୟ ନନ୍ଦିଘୋଷ ୨୮ଟି ରାଜ୍ୟ ଭ୍ରମଣ ସମୟରେ ପରିବାରଠାରୁ ଦେଢବର୍ଷ ହେବ ଦୂରରେ ରହିଛନ୍ତି। ତେବେ ସେ ନିଜ ଅଭିଯାନକୁ ଆଗକୁ ବଢାଇବା ସହ ବହୁ ଯୁବକ ପାଇଁ ପ୍ରେରଣା ପାଲଟିଛନ୍ତି।