ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ପୀଠର ଶୋଭା ବଢାଇବ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

0

ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ରହିଛି ବାବା ବିଶ୍ୱେଶ୍ୱରଙ୍କ ପୀଠ l ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବପୀଠ ମଧ୍ୟରେ ବାବା ବିଶ୍ୱେଶ୍ୱରଙ୍କ ପୀଠର ମହିମା ସ୍ବତନ୍ତ୍ର ।

ପୁଣି 2023 ନଭେମ୍ବର ମାସ 24 ତାରିଖ ଦିନ ଏହି ପୀଠରେ ଦେଶର ବିଭିନ୍ନ ପ୍ରାନ୍ତରରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପ୍ରତିକୃତିରେ ୧୨ ଟି ମନ୍ଦିର ଏକାଠି କରି ରତ୍ନମୁଦ ସମ୍ପୂର୍ଣ୍ଣ କରାଯାଇଛି l ଯାହାକି ବିଶ୍ୱେଶ୍ୱର ପୀଠର ମହିମା ଓ ଶୋଭାକୁ ଦ୍ଵିଗୁଣିତ କରିଛି l ଏହି ପୀଠରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବ ପାଳନ କରାଯାଏ । ହେଲେ ମହାଶିବରାତ୍ରି ମେଳା ତାଙ୍କର ପ୍ରମୁଖ ପର୍ବ ତଥା ଯାତ୍ରା ମହୋତ୍ସବ । ଏହି ଦିନ ବାବାଙ୍କ ଦର୍ଶନ ପାଇଁ ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ସନ୍ଧ୍ୟା ୫ରୁ ଉଜାଗର ଥିବା ଭକ୍ତ ମାନସିକ ଦୀପ ଜାଳି ଚାରି ପ୍ରହର ପୂଜାପାଠ ସହ ଆଳତି କରିଥାନ୍ତି। ମହାଦୀପ ମନ୍ଦିର ଚୂଡ଼ାକୁ ଉଠିଲା ପରେ ଭକ୍ତମାନେ ଉଜାଗର ଶେଷ କରନ୍ତି । ଏହି ଉପଲକ୍ଷେ ଆୟୋଜିତ ମେଳାରେ ନାନା କିସମର ପସରା ଖୋଲନ୍ତି ବ୍ୟବସାୟୀ। ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କ ଦର୍ଶନ ସହିତ ମେଳାର ମଜା ଉଠାଇଥାନ୍ତି। ଏହି ଅବସରରେ ଏକ ସ୍ବତନ୍ତ୍ର ଉପସ୍ଥାପନା ।

@- ♦ଇତିହାସ ଆଇନା

ଅବିଭକ୍ତ ସମ୍ବଲପୁରର ପ୍ରଥମ ରାଜା ଥିଲେ ପାଟଣା ରାଜବଂଶୀୟ ବଳରାମ ଦେବ । ୧୫୫୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଜ୍ୟେଷ୍ଠ ଭ୍ରାତା ନରସିଂହ ଦେବଙ୍କଠାରୁ ଭାଗସୂତ୍ରରେ ସେତେବେଳେ ସେ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିବା ଜନଶ୍ରୁତିରୁ ଜଣାପଡ଼େ। ସେହି ସମୟରେ ବରଗଡ଼ ଥିଲା ତାଙ୍କ ପ୍ରମୁଖ ସାମରିକ କେନ୍ଦ୍ର । ପରବର୍ତୀ ସମୟରେ ଚୌହାନମାନଙ୍କ ଆଗମନରୁ ସମ୍ପୃକ୍ତ ଅଞ୍ଚଳରେ କଳା, ସ୍ଥାପତ୍ୟର ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିଲା। ଯଦିଓ ବୌହାନ ରାଜାମାନେ ଦେବୀ ମା’ ସମଲେଇଙ୍କୁ ପୂଜା କରୁଥିଲେ, ପରେ ବିଭିନ୍ନ ସ୍ଥାନରେ ଶିବ ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଲୋକକଥାରୁ ଜଣାପଡ଼ିଛି l ଏଭଳି ଭାବେ ପଶ୍ଚିମ ଓଡ଼ିଶାରେ ଅଷ୍ଟଶମ୍ଭୁ ପୀଠ ସମ୍ବଲପୁର ଜିଲା ହୁମାର ବାବା ବିମଳେଶ୍ବର, ମାନେଶ୍ବରର ମାନଧାତା ବାବା, ବରଗଡ଼ ଜିଲା ସରଣ୍ଡାର ବିଶ୍ୱେଶ୍ଵର, ସୋର୍ଣ୍ଣାର ସ୍ଵପ୍ନେଶ୍ଵର , ଗାଇସୀମାର ବରାଡ଼ ବାଲୁଙ୍କେଶ୍ୱର, ନୀଳଜୀର ନୀଳକଣ୍ଠେଶ୍ୱର, ଅମ୍ବାଭୋନାର କେଦାରନାଥ ଏବଂ ଦେଓଗାଁର ବୈଦ୍ୟନାଥ ବାବାଙ୍କ ମନ୍ଦିର ଗଢ଼ି ଉଠିଥିଲା ।

@-♦ ମନ୍ଦିର ନିର୍ମାଣ

ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ହୁମାର ବିମଲେଶ୍ୱର ବାବା ଶିବ ମନ୍ଦିର ସମ୍ବଲପୁର ରାଜା ବଳିଆର ସିଂହଙ୍କ ଦ୍ବାରା ଖ୍ରୀଷ୍ଟାବ୍ଦ ୧୬୧୭ରୁ ୧୬୫୭ ମସିହା ମଧ୍ୟରେ ନିର୍ମାଣ ହୋଇଥିଲା। ସରଣ୍ଡାର ବିଶ୍ଵେଶ୍ଵର ଶୈବପୀଠ ସହ ବାକି ୭ଟି ମନ୍ଦିର ୧୬୯୫ରୁ ୧୭୬୬ ଖ୍ରୀଷ୍ଟାଦ୍ଦ ମଧ୍ୟରେ ରାଜାଙ୍କ ଦେୱାନ ଦକ୍ଷିଣ ରାୟଙ୍କ ଦ୍ବାରା ନିର୍ମାଣ ହୋଇଥିଲା l ଯାହାକି ଶିବପ୍ରସାଦ ଦାଶଙ୍କ ଦ୍ବାରା ରଚିତ ସମ୍ବଲପୁର ଇତିହାସ ୧୯୬୨ମସିହା ସଂସ୍କରଣର ୨୭୨ପୃଷ୍ଠାରେ ଉଲ୍ଲେଖ ରହିଛି।

@-♦ ପରିବେଶ

ବିଶ୍ଵେଶ୍ଵର ବାବାଙ୍କ ମନ୍ଦିର ପରିବେଶ ଅବର୍ଣ୍ଣନୀୟ। ପ୍ରାୟ ୧୧ ଡେସିମିଲ ପରିମିତ ଜମି ଅଞ୍ଚଳରେ ଗଢି ଉଠିଥିବା ଏହିମ ନ୍ଦିରକୁ ଘେରି ରହିଛି ସବୁଜ ବନାନୀ। ପାଖରେ ରହିଥିବା ପୁଷ୍କରିଣୀ (ଦେଉଳ ବନ୍ଧ ଓ କଟା ) ଓ ଜାତୀୟ ରାଜପଥ ମନ୍ଦିର ଆକର୍ଷଣକୁ ଦ୍ବିଗୁଣିତ କରୁଛି l ତେବେ ମନ୍ଦିର ପରିସରରେ ଥିବା କନିଅର, ଚମ୍ପା ଫୁଲର ମହକରେ ମହକୁ ଥିବା ମନ୍ଦିର ପରିସର ଏବେ ଉନ୍ନୟନ କାର୍ଯ୍ୟ ସକାଶେ ନିରବୀ ଯାଇଛି ହେଲେ କାରୁକାର୍ଯ୍ୟ ଏବେ ଅନ୍ୟ ମନୋରମ ଭରି ଦେଇଛିବ l ଭାରତର ବିଭିନ୍ନ ପ୍ରାନ୍ତରରେ ଥିବା ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପ୍ରତିକୃତିରେ ରତ୍ନମୁଦ ସରିଛି ୧୨ ଟି ମନ୍ଦିରର l ଖୁବ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ବିଶ୍ୱେଶ୍ୱର ପୀଠରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ l ଯାହାକି ଦେଶରେ ଗୋଟିଏ ସ୍ଥାନରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନର ସୁଯୋଗ ପ୍ରଥମ କରି ଏଠାରେ ମିଳିବ l ତେବେ ଏହି ଶୈବ ପୀଠରେ ଥିବା ମୁଖ୍ୟ ମନ୍ଦିରଟି ୩ ଭାଗରେ ବିଭକ୍ତ। ମୁଖ୍ୟ ମନ୍ଦିର ବିମାନ, ଦ୍ୱିତୀୟ ଜଗମୋହନ ଏବଂ ତୃତୀୟ ନାଟ ମନ୍ଦିର ଅର୍ଥାତ୍ ମୁଖଶାଳା ପ୍ରାରମ୍ଭରେ ଦେବଦେବ ମହାଦେବଙ୍କ ବାହନ ବୃଷଭଙ୍କ ମୂର୍ତ୍ତି ଅବସ୍ଥାରେ ଦଣ୍ଡାୟମାନ ରହିଛି। ସେହିପରି ମନ୍ଦିରର ସାମ୍ନାରେ ଗରୁଡ଼ ସ୍ତମ୍ଭ ରହିଥିବା ବେଳେ ଡାହାଣରେ ମା ‘ ପାର୍ବତୀ, ବାମରେ ବାବା ଭୈରବ, ଦୁଇଟି ବୀର ବଜରଙ୍ଗୀ ରାମଭକ୍ତ ହନୁମାନ ମନ୍ଦିର ଗଢି ଉଠିଛି l ମନ୍ଦିରର ଏଭଳି ମିଳନ ଅବସ୍ଥିତି ଭିନ୍ନ ଆକର୍ଷଣ ସୃଷ୍ଟି କରୁଛି l

@ ♦ ଜନଶ୍ରୁତିରେ ରାଜାଙ୍କ ଘୋଡା

ବିଶ୍ଵେଶ୍ଵର ମନ୍ଦିର ନିର୍ମାଣ ସମୟରେ ଯାନବାହନ ଚଳାଚଳ ନ ଥିଲା l ଘୋଡ଼ା ସବାରରେ ତତ୍କାଳୀନ ରାଜା ପାଟଣା ଯାତାୟାତ କରୁଥିଲେ l ଦିନେ ତତ୍କାଳୀନ ଚୌହାନ ବଂଶୀୟ ରାଜା ପାଟଣାରୁ ସମ୍ବଲପୁର ଫେରୁଥିବା ସମୟରେ ହଠାତ୍ ଘୋଡ଼ାଟି ବର୍ତ୍ତମାନ ଶିବ ଲିଙ୍ଗ ରହିଥିବା ସ୍ଥାନରେ ଅଟକି ଯାଇଥିଲା l ଯାହା ଚେଷ୍ଟା କଲେ ବି ଘୋଡ଼ାଟି ଆଗକୁ ନ ବଢ଼ିବାରୁ ରାଜା ଆଚସ୍ମିତ ହୋଇ ସେହି ସ୍ଥାନ ଖୋଳିବା ପରେ ସେଠାରେ ଶିବଲିଙ୍ଗ ଆବିର୍ଭାବ ହୋଇଥିଲା l ଖୋଲିବା ସମୟରେ ଶିବଲିଙ୍ଗ ଟି କୋଦାଳରେ ବାଜି କ୍ଷତାକ୍ତ ହୋଇଥିଲା l ଯାହାକି ଏବେ ବି ଶିବଲିଙ୍ଗରେ କୋଦାଳ ବାଜି କ୍ଷତାକ୍ତ ହୋଇଥିବା ଚିହ୍ନଟି ବାରିହୋଇ ପଡୁଛି l ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଲୌକିକ ଦୈବଶକ୍ତି ତଥା ଶିବଭକ୍ତି ଭାବ ଜାଗ୍ରତ ହୋଇଥିଲା ବୋଲି ଜନଶ୍ରୁତିରୁ ଜଣାପଡ଼େ। ଏପରିକି ତତ୍କାଳୀନ ରାଜାଙ୍କୁ ସ୍ବପ୍ନାଦେଶ ହେବାରୁ ସେ ମଧ୍ୟ ଏଠାରେ ମନ୍ଦିର ନିର୍ମାଣ କରିଥିଲେ ବୋଲି ଲୋକକଥାରୁ ଜଣାପଡ଼େ l

@ ♦ପର୍ବପର୍ବାଣୀ

ଏଠାରେ ମହାଶିବରାତ୍ରି ମୁଖ୍ୟ ପର୍ବ l ହେଲେ ଏଠି ବାରମାସରେ ତେରପର୍ବ ପାଳନ କରାଯାଏ। ନିୟମିତ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଶ୍ରାବଣ ମାସରେ ବୋଲବମ ଭକ୍ତଙ୍କ ଲମ୍ବାଧାଡ଼ିରେ ମନ୍ଦିର ଏକ ଭିନ୍ନ ପରିବେଶ ମଧ୍ୟରେ ରହିଥାଏ। ବୋଲବମ ଧ୍ୱନିରେ କମ୍ପିଉଠେ ମନ୍ଦିର ପରିସର। କାର୍ତ୍ତିକ ମାସରେ ମହିଳା ଭକ୍ତମାନେ ମାସ ଯାକ ହବିଷ କରି ପାହାନ୍ତିଆରୁ ପୂଜାପାଠ କରିଥାନ୍ତି। ମହାଶିବରାତ୍ରି ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସାମୂହିକ ଦୀପରେ ମନ୍ଦିର ଝଲସି ଉଠିଥାଏ।ଏହା ସହିତ ମାଘ, କାର୍ତ୍ତିକ ପୂର୍ଣ୍ଣମୀ ପାଳନ ସହିତ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ତେବେ ଶ୍ରାବଣ ମାସର ପ୍ରତ୍ୟେକଟି ଦିନ ଏଠାରେ ଭକ୍ତମାନେ ଜଳାଭିଷେକ, ରୁଦ୍ରାଭିଷେକ ହୋମ ଯଜ୍ଞ ଚାଲିଥାଏ l ଏଥିପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ l

@♦ବର୍ଷକୁ ଦିନେ ବାହାରନ୍ତି ବାବା ଚନ୍ଦ୍ରଶେଖର

ବର୍ଷକୁ ଦିନକ ପାଇଁ ବିଶ୍ୱେଶ୍ୱର ଶୈବ ପୀଠରୁ ବାବା ଚନ୍ଦ୍ରଶେଖର ବାହାରକୁ ବାହାରି ସବୁ ଘର ସମ୍ମୁଖରେ ପୂଜା ପାଆନ୍ତି ଆଉ ଦର୍ଶନ ଦିଅନ୍ତି l ବାବା ଚନ୍ଦ୍ରଶେଖର ଶିବରାତ୍ରି ଦିନ ହିଁ ଗୋଟିଏ ବେଳ ସରଣ୍ଡା ଗ୍ରାମ୍ୟ ନଗର ପରିକ୍ରମାରେ ବିଜେ କରନ୍ତି lଶିବରାତ୍ରି ଦିନ ସକାଳ ୧୧ଟାରୁ ବାବା ଚନ୍ଦ୍ରଶେଖରଙ୍କୁ ଏକ ସ୍ବତନ୍ତ୍ର ସୁସଜ୍ଜିତ ରଥରେ ଆସୀନ କରାଇ ଶୋଭାଯାତ୍ରାରେ ନିଆଯାଏ l ବାବା ଚନ୍ଦ୍ରଶେଖରଙ୍କୁ ସରଣ୍ଡା, କଟାପାଲି, ମୁରଲିଟିକ୍ରା ଆଦି ସ୍ଥାନକୁ ନିଆଯାଏ। ପ୍ରତି ଘର ସମ୍ମୁଖରେ ଲିପାପୋଛା, ଝୋଟି, କଳସ ସ୍ଥାପନ କରି ବାବାଙ୍କ ଗୋଡ଼ଧୁଆ ସହ ପୂଜାର୍ଚ୍ଚନା ଦୃଶ୍ୟରେ ଭଗବାନ ଓ ଭକ୍ତଙ୍କ ଅନାବିଳ ପ୍ରେମ ପରିଲକ୍ଷିତ ହୁଏ l

କିଏ କଣ କୁହନ୍ତି

ସମସ୍ତଙ୍କ ପାଇଁ ଭୋଗର ବ୍ୟବସ୍ଥା

 

ଆମ ଏହି ମନ୍ଦିରଟି ଶୋଡ଼ଷ ଖ୍ରୀଷ୍ଟାବ୍ଦ ରୁ ତିଆରି ହୋଇଛି l ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଥିବାରୁ ଶିବରାତ୍ରି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ l ଏହା ଅଷ୍ଟଶମ୍ଭୁ ମଧ୍ୟରୁ ଅନ୍ୟତମ l ଏଠାରେ ଭକ୍ତମାନଙ୍କୁ ସକାଳ 5 ଟାରୁ ଖିଚିଡି ଭୋଗ ଓ ମଧ୍ୟାହ୍ନରେ ଅନ୍ନ ଭୋଗ ଦେବାର ବ୍ୟବସ୍ଥା କରାଯାଇଛି l

ବିନୋଦ ମେହେର, ସମ୍ପାଦକ, ମନ୍ଦିର ପରିଚାଳନା କମିଟି

ବାବାଙ୍କ ପୀଠକୁ ସରକାର ଦୃଷ୍ଟି ଦେଲେ

 

ବିଶ୍ଵେଶ୍ଵର ବାବାଙ୍କ ମହିମା ସର୍ବବିଦିତ | ପ୍ରତ୍ୟହ ଏଠାକୁ ଜିଲ୍ଲା ତଥା

ଜିଲା ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ | ଏହି ଶୈବପୀଠ ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡି ନ ଥିଲେ ବି ଏଥୁପ୍ରତି ରାଜ୍ୟ ସରକାର, ଜନପ୍ରତିନିଧୁମାନେ ଦୃଷ୍ଟି ଦେଇ 5ଟି ଅଧ୍ୟକ୍ଷ ଙ୍କ ଗସ୍ତରେ ଆମ ଦାବିର କିଛିକାଂଶ ପୂରଣ ହୋଇଛି l ବିରାଟ କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇଛି l ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ କାର୍ଯ୍ୟ ବି ଖୁବ ଶୀଘ୍ର ଶେଷ ହୋଇଯିବ l ଫଳରେ ଭକ୍ତଙ୍କ ପାଇଁ ଥିବା ଆବଶ୍ୟକତା ଦୂର ହେବ l

ସଚ୍ଚିଦାନନ୍ଦ ମିଶ୍ର, ସଭାପତି, ମନ୍ଦିର ପରିଚାଳନା କମିଟି, ସରଣ୍ଡା

 

ପର୍ଯ୍ୟଟନସ୍ଥଳୀର ମାନ୍ୟତା ଆଶା

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ବିଶ୍ୱେଶ୍ୱର ବାବାଙ୍କ

ପୀଠ ଅନ୍ୟତମ । ମନ୍ଦିରରେ ଉନ୍ନୟନ ପାଇଁ ବହୁ ଅନୁଦାନ ସରକାର 5ଟି ମାଧ୍ୟମରେ ଯୋଗାଇଛନ୍ତି l ହେଲେ ବର୍ତ୍ତମାନ ସୁଦ୍ଧା ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ପାରି ନାହିଁ l ଏହା କିଭଳି ମିଳିପାରିବ ସେହି ଆଶାରେ ଅଛୁଁ । ସରକାର ଏଥିପ୍ରତି ମଧ୍ୟ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ଆଶା କରୁଛି l

ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ, ମନ୍ଦିର ପରିଚାଳନା କମିଟି, ସରଣ୍ଡା

 

ବାବାଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରୁରେ ଚାଲିଛି

ବାବା ବିଶ୍ଳେଶ୍ୱରଙ୍କ କୃପା ଅପରା l ୩ଶହ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା

ବିଶ୍ଵେଶ୍ବର ଆସ୍ଥା ଓ ବିଶ୍ବାସର ଦେବତା ପାଲଟିଛନ୍ତି l ଏହି ପୀଠକୁ ଯିଏ

ଆସିଛି, ସିଏ ଭଲ ଅନୁଭୂତି ନେଇ ଫେରିଛି l ବାବାଙ୍କ ଆଶୀର୍ବାଦରୁ

ସବୁକିଛି ସୁରୁଖୁରୁରେ ଚାଲିଛି l

ମନୋଜ ମହାପାତ୍ର, ସଭ୍ୟ ପୂଜା କମିଟି, ସରଣ୍ଡା

 

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଜନ ସହଯୋଗ ଲୋଡ଼ା

 

ସରଣ୍ଡାର ବିଶ୍ୱେଶ୍ୱର ବାବା ଏବଂ ସୋର୍ଣ୍ଣାର ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ମହାଶିବରାତ୍ରି ବେଳେ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳାରେ ଭକ୍ତଙ୍କ ଦର୍ଶନ ଓ ମେଳାର ସଫଳ ସମାପନ ପାଇଁ ସ୍ବତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ଜନସାଧାରଣ ଓ ଭକ୍ତ ଏ ଦିଗରେ ସହଯୋଗ କରିବେ ବୋଲି ଆଶା କରୁଛି l ଉଭୟ ମନ୍ଦିରରେ ଜଣେ ଏସ. ଆଇ ଙ୍କ ନେତୃତ୍ୱରେ ଗୋଟିଏ ଲେଖାଏଁ ସେକ୍ସନ ଫୋର୍ସ ମୁତୟନ କରାଯାଇଛି l

ସୁକୁମାର ତ୍ରିପାଠୀ, ଆଇଆଇସି, ଅତାବିରା ଥାନା, ଅତାବିରା

 

 

 

ଉପସ୍ଥାପନା: ଯୁଧୁଷ୍ଠିର ମହାପାତ୍ର, ସରଣ୍ଡା, ଅତାବିରା ବ୍ଲକ, ବରଗଡ଼

 

 


Leave a Reply

Your email address will not be published. Required fields are marked *

error: Content is protected !!