କାମ ନାଇଁ ତ ଭୋଟ ନାଇଁ // ଶ୍ରମ ଦାନ କରି ରାସ୍ତା ମରାମତି କରିବା ପରେ ଭୋଟ ବର୍ଜନ ପାଇଁ ନିଲେଇପାଲି ଗ୍ରାମବାସୀଙ୍କ ଚେତାବନୀ

0

ସରଣ୍ଡା,16/3(ସଂସ୍କୃତି ମିଡ଼ିଆ)- ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଜନତା l ସରକାର ଯୋଜନା ପରେ ଯୋଜନା କରୁଛନ୍ତି l ଉନ୍ନୟନ କାମ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ବିଗତ 57 ବର୍ଷ ଧରି ପ୍ରଶାସନ ସହ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଆଦି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଦାବି କରି ଆସୁଥିବା ସତ୍ତ୍ୱେ କାର୍ଯ୍ୟ ହାସଲ ହୋଇ ନ ପାରିବାରୁ ଶନିବାର ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିବାକୁ ପଡିଛି l

ସେଥିପାଇଁ ସେମାନେ 2024 ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି l ଆମେ କହୁଛୁଁ ବରଗଡ଼ ଜିଲା ଅତାବିରା ବ୍ଲକ ଲହଣ୍ଡା ଗ୍ରାମ ପଞ୍ଚାୟତର ନିଲେଇପାଲି ଗ୍ରାମବାସୀଙ୍କ କଥା l

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଏହି ନିଲେଇପାଲି ଗ୍ରାମର ନବେ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି l ଧାନ ଚାଷ ସହ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି l ଏଠାରୁ ମାଉଲିଭାଗ ଦେଇ ଗୋଡ଼ଭଗା ଓ ଲଡ଼ୁଖାଇ ହୋଇ 53 ନମ୍ବର ସମ୍ବଲପୁର- ବରଗଡ଼ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଘିଡ଼ଘିଡା ରାସ୍ତା ଯାଇଛି l ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ହେକ୍ଟର ଚାଷ ଜମି ରହିଛି l ବିଶେଷ କରି ଚାଷ କାମରେ ଗ୍ରାମର ଚାଷୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି l ଏହି ରାସ୍ତା ଦେଇ ଚାଷ କ୍ଷେତ୍ରକୁ ସାର ଔଷଧ ହଲ ବଳଦ ଧରି ଧାନ ରୋପଣ ଠାରୁ ଅମଳ ଯାଏଁ ସବୁ କାର୍ଯ୍ୟରେ ଯାତାୟାତ କରିଥାନ୍ତି l ହେଲେ ଏହି ରାସ୍ତାର ଅବସ୍ଥା ଯେପରି ହୋଇଛି ଚାଲି ଚାଲି ଯିବା କଷ୍ଟ ସାଧ୍ୟ ହୋଇ ପଡେ l

ତେବେ ଗ୍ରାମର ସମସ୍ତ ଚାଷୀ ଏହି ରାସ୍ତା ଦେଇ ଚାଷ ସାମଗ୍ରୀ ନେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି l ଏହି ଅସୁବିଧା ପାଇଁ ବିଗତ 57 ବର୍ଷ ଧରି ଗ୍ରାମବାସୀ ଏହି ରାସ୍ତାର ନିର୍ମାଣ ପାଇଁ ପ୍ରଶାସନ ଠାରୁ ରାଜନୈତିକ ପ୍ରତିନିଧିଙ୍କ ଠାରେ ଦାବି କରି କରି ହାଲିଆ ହୋଇଯାଇଛନ୍ତି ହେଲେ କେହି କର୍ଣ୍ଣପାତ କରି ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି l ତେବେ ଗ୍ରାମବାସୀ ଶନିବାର ସମସ୍ତେ ଏକଜୁଟ ହୋଇ ନିଜ ନିଜ ଶ୍ରମ ଦାନ ସହ କିଛି କିଛି ଆର୍ଥିକ ସହଯୋଗ କରି ରାସ୍ତା ଯଥା ସମ୍ଭବ ନିର୍ମାଣ କରିଛନ୍ତି l ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ନିର୍ମାଣ ସରକାର ନ କରିବା ଏବଂ ଶେଷରେ ନିଜେ ନିଜେ ରାସ୍ତା ନିର୍ମାଣ କରିବାକୁ ପଡିଥିବାରୁ ଭୋଟ ଦେବାର କିଛି ମୂଲ୍ୟ ରହିଲା ନାହିଁ ବୋଲି ଅଭିଯୋଗ କରି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଗ୍ରାମର ପାରେଶ୍ୱର ଭୋଇ କହିଛନ୍ତି l ସେହିପରି ତ୍ରିବିକ୍ରମ ଭୋଇ କହିଛନ୍ତି ଯେ, ଆମେ ଆମର କ୍ଷେତ୍ରକୁ ଯିବା ରାସ୍ତା ଖରାପ ହୋଇଛି ବୋଲି ଆମେ ଇଟା ନିଜେ ଚାନ୍ଦା ଆଦାୟ କରି କରି ତିଆରି କରୁଛୁଁ l ଯେନଟା କି ନିଲେଇପାଲି ଗାଁ ଆମେ ପ୍ରାୟ 1300 ଭୋଟର ଅଛୁ l ଆଉ ପାଖ ପାଖି 80% ଆମର ଗ୍ରାମର ସମସ୍ତେ ଚାଷୀ ପରିବାର ଆଉଁ କହିଲେ ଚଲେ l ଆଉ ସମସ୍ତେ ସବୁ ସେ ଚାଷୀ ପରିବାର ସମସ୍ତଙ୍କର ଚାଷ ଜମି ଏହି ରାସ୍ତା ଉପରେ ଅଛି l ଯେଉଁଟା କି ଏହି ରାସ୍ତା ହେଲେ ଆମେ ସୁବିଧା ପାଇବୁ l ସରପଞ୍ଚ ନୁଁ ନେଇ କରି ଏମପି ଏମ ଏଲ ଏ ତକ ଗୁହାରି କଲୁନ ହେଲେ ଫଣ୍ଡ ବେଶୀ ଲାଗିବା ବୋଲି କହି ଆମ ରାସ୍ତା କାମ ନାଇଁ କରିବାର, ତ ଆମେ ଭୋଟ କାଏଁଜେ ଦେମୁ ଇ ଥର ଭୋଟ ବର୍ଜନ କରମୁଁ l ସୁବାଷ ପ୍ରଧାନ କହିଛନ୍ତି ଯେ, ଆମେ ଆଜି ସମସ୍ତେ ଏକତ୍ରିତ ହୋଇ ଆମ କ୍ଷେତ୍ରକୁ ଯିବା ମୁଖ୍ୟ ଘିଡ଼ଘିଡ଼ି ରାସ୍ତା କେ ମରାମତି କରିବାକୁ ଆଗେଇ ଆସିଛୁଁ l ଇଲେକ୍ସନ ହେଲା ବେଳେ ଇ ରାସ୍ତା କେ ମରାମତି କରାଯିବା ବୋଲି କହି ଆମର ଠାନୁଁ ଭୋଟ ଆଦାୟ କରାଯାଏଁସି, ହେଲେ ଭୋଟ ସରି ଗଲେ ଏହାକୁ ସମସ୍ତେ ଅଣଦେଖା କରି ଦେସନ l ତ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେସୁ l ଧାନ ଅମଳ ବେଳେ ଟୁକନ ଆସିଯାଇଥିସି ହେଲେ ଆମେ ଆମର ଧାନ କ୍ଷେତେ ପକେଇ ରଖିଥିସୁ l ଗାଡି ମୋଟର ନାଇଁ ଆସି ପାରେ ବଲି ଧାନ କ୍ଷେତେ ପଡି ଥିସି l ପ୍ରଶାସନ କି ସରକାର ର ଆଉ ଆଶା ନାଇଁ କରିକି ଆମେ ନିଜେ ନିଜେ ରାସ୍ତା ନିର୍ମାଣ କରୁଛୁଁ l ତ ଆମେ ସରକାରଙ୍କ କିଛି ସୁବିଧା ନାଇଁ ପାଇପାରିବାର ଲାଗି ଆମେ ଭୋଟ ବର୍ଜନ କରିବାର କେ ବି ଆଗେଇ ଆସିଛୁଁ l ଧନୁଞ୍ଜୟ ଭୋଇ କହିଛନ୍ତି ଯେ ଏହି ରାସ୍ତା ଉପରେ 99% ଲୋକ ନିର୍ଭର କରୁଛୁଁ l ହେଲେ ସରକାର ଏଥିପତି ଦୃଷ୍ଟି ନାଇଁ ଦେଲେ ବୋଲି ଗ୍ରାମବାସୀ ଏକ ଜୁଟ ହୋଇ ନିଜେ ନିଜେ ମରାମତି କରୁଛୁଁ l ଆମେ ନିଜେ ପଇସା ଚାନ୍ଦା କରି ଯଦି ରୋଡ଼ ବନେଇ ପାରୁଛୁଁ ତ ଭୋଟ କାହିଁକି ଦେବୁ? ଭୋଟ ବର୍ଜନ କରିବୁ l ଏହିପରି ଅନେକ ଗ୍ରାମବାସୀ ଏପରି କୋହ ଭରା ପ୍ରତିକ୍ରିୟା ବି ରଖିଥିଲେ l

ତେବେ ଆଗାମୀ ଦିନରେ ବରଗଡ଼ ଜିଲ୍ଲାପାଳ ତଥା ପ୍ରଶାସନ କିଭଳି ପଦକ୍ଷେପ ନେଉଛନ୍ତି ଯାହା ଦ୍ୱାରା ଏହି ରାସ୍ତାର ନିର୍ମାଣ ରେ ସହାୟକ ହେବ ଏବଂ ଗ୍ରାମବାସୀ ଭୋଟ ବର୍ଜନ ରୁ ନିବୃତ ରହିବେ ତାହା ଦେଖିବାକୁ ବାକି ରହିଲା l ଏଥିରେ ତ୍ରିବିକ୍ରମ ଭୋଇ, ପରମେଶ୍ବର ଭୋଇ, ବିଦ୍ୟାଧର ପ୍ରଧାନ, ଧନଞ୍ଜୟ ଭୋଇ, ଦାସ ସାହୁ, ସାଧୁ ଭୁଏ, ଯୋଗେଶ୍ୱର ଭୋଇ, ମେଘନାଦ ଭୋଇ, ଆର୍ତ୍ତତ୍ରାଣ ପ୍ରଧାନ, ହୃଦାନନ୍ଦ ଭୋଇ, ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଙ୍କ ସମେତ ସମସ୍ତ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!