ସମୟର ସଦୁପଯୋଗ କଲେ ପ୍ରଦୀପ // ପୈତୃକ ଗାଁ ଗାଇସିଲେଟରୁ ପ୍ରଚାର ଆରମ୍ଭ କଲେ ବିଜେପି ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ

ବରଗଡ଼,୨୯।୩( ସଂସ୍କୃତି ମିଡ଼ିଆ ): ପ୍ରଦୀପ ପୁରୋହିତଙ୍କୁ ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି। ବିଜେଡ଼ି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା ଏ ଯାଏଁ କରି ନାହାନ୍ତି l ଏହାର ସୁଯୋଗ ନେଇଛନ୍ତି ପ୍ରଦୀପ ପୁରୋହିତ l ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ତାଙ୍କ ପୈତୃକ ଗାଁ ଗାଇସିଲେଟରୁ ଶୁକ୍ରବାର ପ୍ରଦୀପ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାଥୀ ପତ୍ର ଦାଖଲ କରିବା ପୂର୍ବରୁ ସେ ଆରମ୍ଭ କରିଦେଇଛନ୍ତି ଭୋଟ ପ୍ରଚାର l ଗାଇସିଲେଟରେ ପହଞ୍ଚି ବୟଷ୍କ ବ୍ୟକ୍ତିଙ୍କଠାରୁ ପ୍ରଥମେ ଆଶୀର୍ବାଦ ନେଇଥିଲେ।
ପରେ ସେ ଗାଁ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଵା ସହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଶତାଧିକ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ବିଜେପି ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଅନ୍ୟପକ୍ଷେ ପ୍ରଦୀପଙ୍କ ପ୍ରାର୍ଥୀତ୍ୱକୁ ନେଇ କର୍ମୀ ଏବଂ ଗାଁ ଲୋକେ ମଧ୍ୟ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନରେ ପ୍ରଦୀପଙ୍କୁ ବିପୁଳ ସମର୍ଥନ ଦେଖି ବିରୋଧି ଚକିତ ହୋଇ ପଡିଛନ୍ତି l ଅନ୍ୟ ଦଳରୁ କିଏ କିଏ ଟିକେଟ ପାଇବେ ତାହା ଘୋଷଣା ହେବା ପରେ ଜଣାପଡିବ l ବିଜେପି ଆଗୁଆ ପ୍ରାର୍ଥୀ ଚୟନ କରିଥିବାରୁ ପ୍ରଚାରରେ ଅଧିକ ସମୟ ପାଇ ତାର ସଦୁପଯୋଗ କରୁଛନ୍ତି ପ୍ରଦୀପ l
(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡିଆ ବ୍ୟୁରୋ )