ତୃତୀୟ ପାଳି ପାଇଁ ଟିକେଟ ପାଇବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ସଂସ୍କୃତି ମିଡ଼ିଆ ): ଟିକେଟ ପାଇବା ପରେ ବରଗଡ଼ ବିଧାନସଭା ଆସନର ବିଜୁ ଜନତା ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି l ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଦେବେଶ ଗତ ୨ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି l ତେବେ ଆସନ୍ତା 2024 ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ବରଗଡ଼ ନିର୍ବାଚନ ମଣ୍ଡଳୀରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ବରଗଡ଼ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦେବେଶ ଶୁକ୍ରବାର ଭୁବନେଶ୍ୱର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେଶଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ନବୀନ ନିବାସରୁ ଆଶୀର୍ବାଦ ନେଇ ଫେରିବା ପରେ ସେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲି ଆଶା କରାଯାଉଛି l ଏହି ଆସନ ପାଇଁ ଅନ୍ୟ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା ଏ ଯାଏଁ କରି ନାହାଁନ୍ତି l
(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡିଆ ବ୍ୟୁରୋ )