ଅତାବିରା ,9/4(ସଂସ୍କୃତି ମିଡ଼ିଆ )- ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତାବିରା ବିଧାନସଭା କ୍ଷେତ୍ରରେ କିଛି ନୀରବ ଅସନ୍ତୁଷ୍ଟ ବିଧାୟକ ଟିକେଟ ଆଶାୟୀଙ୍କୁ ମଙ୍ଗଳବାର ମନାଇବାରେ ସଫଳ ହୋଇଛି ଭାଜପା l ଅତାବିରା ବ୍ଲକ ଲରାସରା ଗ୍ରାମ ପଞ୍ଚାୟତର କର୍ମୀଟିକ୍ରା ରେ ମଙ୍ଗଳବାର ଅନୁଷ୍ଠିତ ମହାସମାବେଶରେ ଭାଜପା ଦେଖାଇଛି ଏକତା l
ଦୀପକ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏକତା ସମାବେଶ ରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ନୀରବ ଅସନ୍ତୁଷ୍ଟ ମିଳନ ସେଠ୍, ରଞ୍ଜନ ସେଠ୍, ଯଶୋବନ୍ତ ସେଠ୍ ଏବଂ କୁଶ କୁମ୍ଭାର ପ୍ରମୁଖଙ୍କୁ ଗୋଟିଏ ମଞ୍ଚରେ ବସଯାଇଥିଲା l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ, ଦଳର ପୁରୁଖା ନେତା ରାଧାଚରଣ ବାରିକ, ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି ପ୍ରମୁଖ ମଞ୍ଚାସିନ ଥିଲେ l ତେବେ ଖବରଦାତା ସମ୍ମିଳନୀ କରି ଭାଜପା ଅତାବିରା ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ଇଂ ଭରତ ବେହେରା, ଉର୍କୃଲୁ ତାଣ୍ଡି ଓ ସୁନନ୍ଦା ମେହେରଙ୍କୁ ସମାବେଶରେ ଦେଖିବାକୁ ମିଳି ନ ଥିଲା l
ଏହି ଅବସରରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଭାଜପା କର୍ମୀ ଓ ସମର୍ଥକଙ୍କ ଗହଣରେ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବ ପୀଠକୁ ପହଞ୍ଚି ପୂଜାଅର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ l
ସେଠାରୁ ଏକ ରାଲିରେ ଖଇରପାଲି ଗ୍ରାମକୁ ପହଂଚିଥିଲେ l ଖଇରପାଲି ଗ୍ରାମରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖି ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ଖଇରପାଲି ଗ୍ରାମ୍ୟ ପରିକ୍ରମା କରିବା ପରେ କର୍ମୀଟିକ୍ରାରେ ରାଲି ପହଞ୍ଚି ଥିଲା l ସେଠାରେ ହନୁମାନ ମନ୍ଦିରରେ ଦର୍ଶନ କରି କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହିନ୍ଦୁ ନବବର୍ଷ ପାଳନ କାର୍ଯ୍ୟକ୍ରମ ଉଭୟ ପ୍ରାର୍ଥୀ ଯୋଗ ଦେଇଥିଲେ l ହିନ୍ଦୁ ନବବର୍ଷ ପାଳନ ପରେ ଏକତା ମହାସମାବେଶରେ ପ୍ରଦୀପ ଏବଂ ନିହାର କର୍ମୀଙ୍କୁ ଉଦବୋଧନ ଦେଇଥିଲେ l “ଭାରତୀୟ ଜନତା ପାର୍ଟିରେ ନିହାର ରଞ୍ଜନ ମହାନନ୍ଦ ପ୍ରାର୍ଥୀ ହେବା ପରେ କିଛି ଲୋକଙ୍କ ମନରେ କଷ୍ଟ ହୋଇଛି ଯେହେତୁ ସେମାନେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ l ଆଜି ଏକତା ସମାବେଶରେ ସମସ୍ତେ ଏକ ହୋଇଛନ୍ତି l ସମସ୍ତେ ସଂକଳ୍ପ କରିଛନ୍ତି ଯେ ଦଳକୁ ଏଥର ଏକତ୍ରିତ ହୋଇ ନିଶ୍ଚୟ ବିଜୟୀ କରିବେ” ବୋଲି ପ୍ରଦୀପ ପୁରୋହିତ ଏକ ପ୍ରଶ୍ନର ଉତ୍ତର ଦେଇ ଗଣମାଧ୍ୟମକୁ କହିଛନ୍ତି l କର୍ମୀଟିକ୍ରାର କୋଶଳୀ କବି କିଶୋର ଚନ୍ଦ୍ର ପାତ୍ର ଙ୍କ “ଭାରତ ମାଁର୍ ପୁଓ ମୋଦୀ କେ ” ଉନ୍ମୋଚନ କରାଯାଇଥିଲା l ଶେଷରେ ଦଳର ପୂର୍ବତନ ଅତାବିରା ବିଧାୟକ ପ୍ରାର୍ଥୀ ମିଳନ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ l
(ପ୍ରସ୍ତୁତି :- ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )