ବୀର ହନୁମାନଙ୍କ ସହ ମାଁ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଅତାବିରାରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲା ବିଜେଡ଼ି

ଅତାବିରା ,13/4(ସଂସ୍କୃତି ମିଡ଼ିଆ )- ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି ଅତାବିରାରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି l ଭାଜପା ପରେ ଶନିବାର ବିଜୁ ଜନତା ଦଳ (ବିଜେଡ଼ି ) ପକ୍ଷରୁ ଅତାବିରା ସ୍ଥିତ ବୀର ହନୁମାନ ଓ ମାଁ ଦୁର୍ଗାଙ୍କଠାରେ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେବା ପରେ ପ୍ରଚାର ଆରମ୍ଭ କରିଛନ୍ତି l ବିଜେଡ଼ି ଦଳର ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥୀନୀ ପରିନୀତା ମିଶ୍ର ଏବଂ ଅତାବିରା ବିଧାନସଭା ବିଧାୟକ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକ ତଥା କର୍ମୀମାନଙ୍କ ସହ ଶନିବାର ମଧ୍ୟାହ୍ନରେ ଅତାବିରା ପହଂଚିବା ପରେ ପ୍ରଥମେ ହସ୍ପିଟାଲ ଛକ ସ୍ଥିତ ବୀର ହନୁମାନ ମନ୍ଦିରରେ ପୂଜା ପାଠ କରି ଆଶୀର୍ବାଦ ନେଇଥିଲେ l ସେଠାରେ ଉପସ୍ଥିତ ଥିବା ସମର୍ଥକ ଓ କର୍ମୀମାନେ ଉଭୟ ନେତ୍ରୀଙ୍କୁ ପୁଷ୍ପ ମାଲ୍ୟ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ସେଠାରୁ ଶତାଧିକ ମହିଳା, କର୍ମକର୍ତ୍ତା, କର୍ମୀ ଓ ଜନସାଧାରଣଙ୍କ ସହ ଏକ ପଦଯାତ୍ରାରେ ଥାନା ଛକ ସ୍ଥିତ ମାଁ ଦୁର୍ଗା ମନ୍ଦିରରେ ପହଞ୍ଚି ମାଁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ l ଦୁର୍ଗା ମନ୍ଦିର ସନ୍ନିକଟ ଏକ କଲ୍ୟାଣ ମଣ୍ଡପରେ ନିର୍ବାଚନୀ ସଭା ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ଦଳର ସାଂସଦ ପ୍ରାର୍ଥୀନୀ ପରିନୀତା ମିଶ୍ର ଏବଂ ଅତାବିରା ବିଧାୟକ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ l ଅନ୍ୟତମ ବକ୍ତା ଭାବେ ସାଂସଦ ପ୍ରାର୍ଥୀନୀ ପରିନୀତା ମିଶ୍ରଙ୍କ ସ୍ୱାମୀ ତଥା ଭଟଲି ବିଧାନସଭାରୁ ଟିକେଟ ନ ପାଇ ଭାଜପା ଛାଡି ବିଜେଡ଼ିରେ ଯୋଗଦେଇ ଥିବା ଶୁଶାନ୍ତ ମିଶ୍ର ‘ ବିଜେଡ଼ି ସୁପ୍ରିମୋ 33% ମହିଳାଙ୍କୁ କିଭଳି ସୁଯୋଗ ଦେଇ ହାଣ୍ଡିଶାଳରୁ ପାର୍ଲାମେଣ୍ଟ ପଠେଇବାକୁ ପ୍ରାର୍ଥୀ କରିଛନ୍ତି’ ତାକୁ ଜୋର ଦେଇ କହିଥିଲେ l ନିଜ ସପକ୍ଷ ରେ ଭୋଟ ଦେଇ ତାଙ୍କୁ ଜିତାଇବାକୁ ନିବେଦନ କରିବା ସହ ” ବିରୋଧୀ କଳା ଚଷମା ହଟାଇ ଦେଖନ୍ତୁ ଅତାବିରାରେ କଣ ବିକାଶ ହୋଇଛି ଯେ ଜାଣିପାରିବେ, ଯେଉଁଠି ଦେଖିବେ ବିକାଶର ଫଳକରେ ନବୀନ ପଟ୍ଟନାୟକ ଏବଂ ସ୍ନେହାଙ୍ଗିନୀ ଛୁରିଆ ବିଜେଡ଼ି ବୋଲି ଲେଖା ହୋଇଛି ବୋଲି ନିଜେ ଛୁରିଆ ପ୍ରକାଶ କରିଥିଲେ l ସେହିପରି ” ମୁଁ ନୁଆଁ ହେଲେ ବି ବରଗଡ଼ ତଥା ଅତାବିରାରେ ମୋର ପୁରୁଣା ସମ୍ପର୍କ ରହିଛି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଲୋକେ ବହୁ ସମର୍ଥନ ଦେଉଛନ୍ତି ବିଜେଡ଼ିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ବିଜୟୀ ହେବେ ବୋଲି ଏମପି ପ୍ରାର୍ଥୀନୀ ପରିନୀତା ମିଶ୍ର ଦୃଢୋକ୍ତି ପ୍ରକାଶ କରିଥିଲେ l