ଶଙ୍ଖ ଛାଡିଥିବା ପୂର୍ବତନ ସାଂସଦ ଡ଼. ପ୍ରଭାସ ପଦ୍ମ ଧରିଲେ, ଅନ୍ୟ ପଟେ ହାତ ଛାଡିଲେ ପୂର୍ବତନ କଂଗ୍ରେସ ଭଟଲି ବିଧାୟକ ପ୍ରାର୍ଥୀ ସରୋଜ // ଗତି କୁଆଡେ

ବରଗଡ଼,୧୫।୪(ସଂସ୍କୃତି ମିଡ଼ିଆ): ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରହିଥିବା ସରୋଜ କୁମାର ମହାପାତ୍ର ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି । ଫଳରେ ବରଗଡ଼ ଜିଲ୍ଲାରେ କଂଗ୍ରେସକୁ ଏକ ଝଟକା ଲାଗିଛି। ତାଙ୍କ ସହିତ ନିର୍ବାଚନ ମଣ୍ଡଳୀ ଭଟଲି, ସୋହେଲାର ଏବଂ ଅମ୍ବାଭୋନା ବ୍ଲକର ଦଳୀୟ ସଭାପତି ମଧ୍ୟ ଦଳ ଛାଡିଛନ୍ତି ବୋଲି ମହାପାତ୍ର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଦଳର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇଥିବା ମହାପାତ୍ର ସୂଚନା ଦେଇଛନ୍ତି। ତେବେ ମହାପାତ୍ର ହାତ ଛାଡିବା ପରେ ସମର୍ଥକଙ୍କ ସହ ତାଙ୍କ ଗତି କୁଆଡେ ବୋଲି ଚର୍ଚ୍ଚା ଜୋର ଧରିଲାଣି l ଶାସକ ବିଜେଡ଼ି କୁ ଯିବେ ନାଁ ମୋଦୀ ଲହରରେ ପଦ୍ମ ଧରିବେ l
ପଦ୍ମ କଥା ସାମ୍ନାକୁ ଆସିଲା ବେଳେ ଜିଲ୍ଲାର ଆଉ ଏକ ଘଟଣା ଉଲ୍ଲେଖ କରିବାକୁ ଆମେ ପଛାଇବୁ ନାହିଁ l ନିକଟରେ ଟିକେଟ ନ ପାଇ ବିଜେଡି ଦଳର ପୂର୍ବତନ ସାଂସଦ ତଥା କିଛି ମାସ ପୂର୍ବେ ବରଗଡ଼ ବିଜେଡ଼ି ସଭାପତି ଦାୟିତ୍ୱ ନିର୍ବାହ କରୁଥିବା ଡ଼. ପ୍ରଭାସ ସିଂ ଦଳ ଛାଡିଥିଲେ l ତେବେ ଆଜି ସୋମବାର ବିଜେପିରେ ସାମିଲ ହୋଇଛନ୍ତି l ଶଙ୍ଖ ଛାଡିବା ପରେ ପଦ୍ମ ଧରିବାକୁ ପସନ୍ଦ କରିଛନ୍ତି ଡ଼. ପ୍ରଭାସ l ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ ଏମ୍ପି ପ୍ରଭାସ ନିକଟରେ ବିଜେଡି ଛାଡ଼ିଥିଲେ ଏ କଥା ସମସ୍ତଙ୍କୁ ଜଣା l
(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )