ବିଜେପି ସରକାର ହେଲେ ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍‌ଏସ୍‌ପି ମିଳିବ, ପିଏମ ମୋଦୀ

0

ଫୁଲବାଣୀ/ବଲାଙ୍ଗୀର/ବରଗଡ଼:(ସଂସ୍କୃତି ମିଡ଼ିଆ )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଆସି ପ୍ରଥମେ ଫୁଲବାଣୀ ପରେ ବଲାଙ୍ଗୀର ଓ ଶେଷରେ ଦିନ ୧ ଟା ୪୫ ମିନିଟରେ ବରଗଡ଼ ପହଞ୍ଚି ତିନୋଟି ଯାକ ନିର୍ବାଚନୀ ସଭା ତଥା ବିଜେପି ବିଜୟ ସଂକଳ୍ପ ସମାବେଶରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି l ଏହି ଅବସରରେ ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ପଦ୍ମ ଚି଼ହ୍ନରେ ମତଦାନ କରି ଭୋଟ ମାଗିଥିଲେ l ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚିଠା ନ ଧରି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ କହିପାରିବେ କି?‌ ୧୦ଟି ଗାଁ ନାଁ ପଚାରନ୍ତୁ। କହିପାରିବେ? ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାର ନାଁ କହି ପାରିବେନି, ସେ ଓଡ଼ିଶାବାସୀଙ୍କ ଦୁଃଖ କ’ଣ ବୁଝିବେ? ଏଥର ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ନିଶ୍ଚିତ। ଓଡ଼ିଶାରେ ବିଜେଡି ସରକାର ଯିବାର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡ଼ିୟମ୍‌, ବଲାଙ୍ଗୀରର ପଥରଚେପା ଓ ବରଗଡ଼ ବରାହଗୁଡ଼ା ବିକାଶ ଭିନଟେଜ୍‌ ପଡ଼ିଆରେ ଆୟୋଜିତ ପୃଥକ୍‌ ପୃଥକ୍ ତିନିଟି ସଭାକୁ ସମ୍ବୋଧିତ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଶବ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗର୍ଜିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାମ ନନେଇ ଅସନ୍ତୋଷ ଝାଡ଼ିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ଭ୍ରଷ୍ଟାଚାର ନୀତି ଆପଣେଇଛି। ମୁଁ ଆଜି ବିଜେପି ପାଇଁ ଭୋଟ ମାଗିବାକୁ ଆସିନି। ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି। ଓଡ଼ିଶାର ଶାସନ ଆଉ ନିର୍ବାଚିତ ପ୍ରତିନିଧିଙ୍କ ହାତରେ ନାହିଁ। ଏଠାରେ ଜଣେ ସିଏମ୍‌ଙ୍କ ଉପରେ ସୁପର୍‌ ସିଏମ୍‌ ହୋଇଗଲେଣି। ଓଡ଼ିଶାକୁ ରକ୍ଷା କରିବା ଦାୟିତ୍ୱ ଆପଣମାନଙ୍କର। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ସରକାର କିଏ ଚଳାଉଛି? ଯିଏ ଓଡ଼ିଶାକୁ ଜାଣିନି, ସେ ହାତରେ ଓଡ଼ିଶା ସୁରକ୍ଷିତ କି? ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟାଇପାରିନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ବାହାର ଲୋକ ଆସି ଓଡ଼ିଶାକୁ କବ୍‌ଜା କରିଛନ୍ତି। ଓଡ଼ିଶାରେ ନେତୃତ୍ୱ ନେବା ଲୋକ ନାହାନ୍ତି କି? ବିଜେଡି ସରକାର ଚାଷୀଙ୍କ ଭାତହାଣ୍ଡିକୁ ଖାଲି କରିଦେଲାଣି। ନେତାଙ୍କ ଟ୍ରେଜେରିକୁ ଚାଷୀଙ୍କ ହକ୍‌ ଟଙ୍କା ଯାଇଛି। ଓଡ଼ିଶାକୁ ବରବାଦ କରିଥିବା ବିଜେଡି ଏଠାରେ ଶାସନ କରିବାର ଅଧିକାର ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଲୋକେ ସଂକଳ୍ପ କଲେ ଗୋଟିଏ ମିନିଟ୍‌ ବି ଏ ସରକାର ରହିପାରିବନି। ଏବେଠୁ ବିଜେଡି ସରକାରର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ଓଡ଼ିଶାର ପ୍ରତିଟି ସ୍ଥାନରେ ଡବଲ୍‌ ଇଞ୍ଜିନ୍‌ ସରକାର ପାଇଁ ସଙ୍କେତ ମିଳୁଛି। ଓଡ଼ିଆ ସଂସ୍କୃତି ହଜାର ବର୍ଷ ପୁରୁଣା। କିନ୍ତୁ ଓଡ଼ିଶାର ଛବିକୁ କଂଗ୍ରେସ କେବଳ ‘ଗରିବ’ ଭାବେ ପ୍ରଦର୍ଶିତ କଲା। ବିଜେଡି ଗରିବୀକୁ ରୋକିପାରିଲା ନାହିଁ କି କଂଗ୍ରେସର ପ୍ରୟାସକୁ ଅଟକାଇ ପାରିନାହିଁ। ମୁଁ ପ୍ରଭୁ ଜଗନ୍ନାଥଙ୍କ ପୁଅ ଭାବେ ଓଡ଼ିଶାର ଗୌରବମୟ ଧରୋହରକୁ ସର୍ବଶ୍ରେଷ୍ଠ ଆଭୂଷଣ ମାନୁଛି। ଇତିମଧ୍ୟରେ ପଶ୍ଚିମ ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି। ଜି-୨୦ରେ କୋଣାର୍କ ଚକ ସମ୍ମୁଖରେ ବିଶ୍ବର ତୁଙ୍ଗ ନେତାଙ୍କୁ ଡାକି ଫଟୋ ଉଠାଇଛି। ଓଡ଼ିଶାର ଇତିହାସ ଏବଂ ପରମ୍ପରା ବିଶ୍ବର କୋଣ ଅନୁକୋଣକୁ ସ୍ପର୍ଶ କରିଛି। ପାଇକ ସଂଗ୍ରାମକୁ ବିଜେପି ସରକାର ସ୍ବୀକୃତି ଦେଇଛି। ଓଡ଼ିଶାର ଜଣେ ଆଦିବାସୀ ଝିଅ ଏବେ ରାଷ୍ଟ୍ରପତି। ଯିଏ ତିନି ସେନାର ନେତୃତ୍ବ ନେଉଛନ୍ତି। କିନ୍ତୁ ବିଜେଡି ସରକାର ଓଡ଼ିଆ ଅସ୍ମିତା ସହ ସାଲିସ୍‌ କରିଛି। ଓଡ଼ିଆ ସଂସ୍କୃତି ଏବେ ସଙ୍କଟରେ। ଓଡ଼ିଆ ଅସ୍ମିତା ଏବେ ବନ୍ଧା ପଡ଼ିଛି। ବିଜେପି ଏହି ସଙ୍କଟରୁ ଓଡ଼ିଶାକୁ ଉଦ୍ଧାର କରିବାକୁ ଗ୍ୟାରେଣ୍ଟି ଦେଉଛି ବୋଲି ମୋଦୀ କହିଥିଲେ। କେବଳ ସେତିକି ନୁହେଁ, ଜୁନ୍‌ ୧୦ ତାରିଖ ବାସ୍ତବରେ ଜଗନ୍ନାଥଙ୍କ ସେବା କରିଥିବା ବ୍ୟକ୍ତିଟିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଶପଥ ନେବ ବୋଲି ମୋଦୀ ଦୋହରାଇଥିଲେ। ମୋଦୀ ନିଜ ବକ୍ତବ୍ୟରେ ଓଡ଼ିଶାର ଅର୍ଥନୈତିକ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଓଡ଼ିଶା ଧନୀ ରାଜ୍ୟ ହେଲେ ବି ଏଠାରେ ସବୁଠୁ ଅଧିକ ଗରିବ ରହୁଛନ୍ତି। ପ୍ରାକୃତିକ ସମ୍ପଦ ଭରପୂର ଥିଲେ‌ ହେଁ ଏହାକୁ ବିଜେଡି ବରବାଦ୍‌ କରିଛି। ଦାଦନ ଏବଂ ପଳାୟନ ଏହାର ଉଦାହରଣ। ଏହି ସରକାରକୁ ବାଜାବଜାଇ ବିଦା କରିବାକୁ ସେ ଆହ୍ବାନ ଦେଇଥିଲେ। ସେ ଆହୁରି କହିଥିଲେ, ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିଗଲା। ୪୫ ବର୍ଷ ବର୍ଷ ତଳେ ରତ୍ନଭଣ୍ଡାରର ମୂଲ୍ୟାଙ୍କନ କରାଯାଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିନାହିଁ। ଛଅ ବର୍ଷ ହେଲା ରତ୍ନଭଣ୍ଡାର ଚାବି ହଜିଯାଇଛି, ଆଜି ଯାଏ ମିଳୁନି। ଚାବି କେମିତି ହଜିଲା? ଚାବି କୁଆଡ଼େ ଗଲା? ପୁଣି ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ୍‌ ଚାବି ମିଳିଲା। ଡୁପ୍ଲିକେଟ୍‌ ଚାବି କାହିଁକି ତିଆରି ହେଲା? ଚାବି ହଜିବା ଏବଂ ଡୁପ୍ଲିକେଟ୍‌ ଚାବି ତିଆରି ହେବା, ଏହା ସମଗ୍ର ଘଟଣାକୁ ଅଧିକ ରହସ୍ୟମୟ କରିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ କମିସନ୍‌ ବସିଲା। କିନ୍ତୁ କମିସନ୍‌ ରିପୋର୍ଟ ସାର୍ବଜନୀନ କରାଗଲାନି। ଏଭଳି ଅମୂଲ୍ୟ ରତ୍ନଭଣ୍ଡାର ଚାବିକୁ କିଭଳି ଓଡ଼ିଶା ସରକାର ସମ୍ଭାଳି ରଖିପାରୁନି?

ନବୀନ ସରକାର କ’ଣ ଏଥିପାଇଁ ଭୟଭୀତ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାର ନାଁ କହି ପାରିବେନି, ସେ ଓଡ଼ିଶାବାସୀଙ୍କ ଦୁଃଖ କ’ଣ ବୁଝିବେ? ଓଡ଼ିଶାର ବିଜେଡି ସରକାର ଗରିବୀ ଦୂର ପାଇଁ କିଛି କରିନାହାନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରୁ ନାହାନ୍ତି। ଓଡ଼ିଶାବାସୀ ଆୟୁଷ୍ମାନ ଯୋଜନାରୁ କାହିଁକି ବଞ୍ଚିତ ହେବେ? ଏହା ଓଡ଼ିଶାବାସୀଙ୍କ ପାଇଁ ଅନ୍ୟାୟ। ମୋଦୀ କହିଥିଲେ, ସାରା ଭାରତବର୍ଷରେ ଚାଷୀଙ୍କ ପାଇଁ ଦିନରାତି ପରିଶ୍ରମ କରୁଛି। ତାଳଚେରରେ ୟୁରିଆ ସାର କାରଖାନା କାମ ଚାଲିଛି। ଚାଷୀଙ୍କୁ କମ୍‌ ଦରରେ ୟୁରିଆ ମିଳିବ। ପିଏମ୍‌ କିଷାନ ସମ୍ମାନ ନିଧିର ସହାୟତା ଚାଷୀ ପାଇଛନ୍ତି। ଏଠାରେ ଚାଷୀ ଧାନର ମୂଲ୍ୟ ୧୬୦୦ରୁ ୧୭୦୦ ଟଙ୍କା ପାଉଛନ୍ତି। ଆଗକୁ ବିଜେପି ସରକାର ହେଲେ ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍‌ଏସ୍‌ପି ମିଳିବ। ରାସ୍ତାଘାଟ, ରେଳଲାଇନ, ଏୟାରପୋର୍ଟ ଆଦି କ୍ଷେତ୍ରରେ ଅନେକ ବିକାଶ ଆମ ସରକାର କରିଛି। ଓଡ଼ିଶାରେ ବିଜେପି ସରକାର ଆସିଲେ କନ୍ଧମାଳ ହଳଦୀର ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ କରାଯିବ। କନ୍ଧମାଳରେ ଏକ ମସଲା ପାର୍କ ନିର୍ମାଣ କରାଯିବ। ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅନ୍ତୁ। ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବିଜେପି ୫ ବର୍ଷ ଶାସନରେ ରହିଲେ ଓଡ଼ିଶାକୁ ୧ ନଂ ରାଜ୍ୟ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ମନସ୍ଥ କରି ସାରିଛନ୍ତି। ଏଣୁ ଚାଷୀଙ୍କ ପାଇଁ ସେ ଉପହାର ନେଇ ଆସିଛନ୍ତି। ଆଉ ପ୍ରଧାନମନ୍ତ୍ରୀଙ୍କୁ ଧନୁଯାତ୍ରା ଓ ଧାନ ଭୂମିରେ ସ୍ୱାଗତ କରୁଛୁ ବୋଲି କହିଥିଲେ। ବିଶେଷ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଏବଂ ଭିକ୍ଷାବୃତ୍ତି କରି ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଥିବା ତୁଳା ବେହେରାଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ପାଦ ଛୁଇଁ ଆଶୀର୍ବାଦ କାମନା କରିଥିଲେ। ଏହି ଦୁଇଜଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଥାରେ ହାତ ରଖି ଆଶୀର୍ବାଦ କରିଥିଲେ। ଏସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବୁ ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!