ଆସନ୍ତା 28 ରେ ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ

0

 

ହୀରାକୁଦ, 25/7(ସଂସ୍କୃତି ମିଡ଼ିଆ )-ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ମଧ୍ୟପ୍ରଦେଶ ଓ ଛତିଶଗଡ ଅଂଚଳରେ ପୂଷ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ହୀରାକୁଦର ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଗତ ଦିନକ ମଧ୍ୟରେ ୧୧.୨୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୧୪ ହଜାର ୭୪୨ଘନଫୁଟ ଜଳ ପ୍ରବେଶ କରୁଛି l ଏହାଦ୍ଵାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬୦୫.୯୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଲକ୍ଷାଧ‌ିକ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖ୍ ଆସନ୍ତା ୨୮ ତାରିଖରେ ହୀରାକୁଦର ଗେଟ୍ ଖୋଲାଯିବ । ଏହିଦିନ ପୂର୍ବାହ୍ନ ୯ଟାରେ ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡା ଯିବ। ରୁଲ୍‌କର୍ଭକୁ ଆଖ୍ ଆଗରେ ରଖି ଏହି ନିଷ୍ପତି ନିଆଯାଇଛି । ଆସନ୍ତା ୩ଦିନ ବର୍ଷାର ସ୍ଥିତି ଓ ଜଳସ୍ତରକୁ ଦୃଷ୍ଟିରେ ରଖି କେତୋଟି ଗେଟ୍ ଖୋଲାଯିବ ତାହା ସ୍ଥିର କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ. ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ଜଳ ନିଷ୍କାସନ ପୂର୍ବରୁ ମହାନଦୀର ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ମହାନଦୀ ତଳିଆ ଅଂଚଳରେ ୨ ଦିନ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ କରାଯିବ । ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସୁଧୁରିଛି । ଗତ ୨୩ତାରିଖ ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୦.୯୭ଫୁଟ୍ ରହିଥିଲା । ଏହାପରେ ଛତିଶଗଡ ଆଦି କ୍ଷେତ୍ରରେ ପ୍ରବଳ ବର୍ଷା ହୋଇଥିଲା । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅତ୍ୟଧିକ ଜଳ ପ୍ରବେଶ କରିଥିଲା । ଫଳରେ ଗତ ୨ଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l ଅପରପକ୍ଷେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୩୭ ହଜାର ୮୨୦ ଘନଫୁଟ୍ ଜଳ ବିଭିନ୍ନ କେନାଲ ଓ ପାଓ୍ବାର ଚେନାଲ ଦେଇ ନିଷ୍କାସିତ ହେଉଛି । ପାଓ୍ବାର ଚେନାଲକୁ ୩୪ ହଜାର ୨୫ ଘନଫୁଟ୍, କଳକାରଖାନାକୁ ୨୭୫ ଘନଫୁଟ୍ ଓ କେନାଲକୁ ୩ହଜାର ୫୨୦ ଘନଫୁଟ୍ ଜଳ ନିଷ୍କାସିତ ହେଉଥ‌ିବା ଜଣାପଡିଛି । ହୀରାକୁଦ ଗେଟ୍ ଖୋଲାଥ‌ିବା ସମୟରେ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ବାରଣ କରାଯାଇଥିବା ଯୋଗୁଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ବନ୍ଧ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି ।

ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଅଟେ । ହୀରାକୁଦ ନଦୀବନ୍ଧରେ ଜଳ ନିଷ୍କାସନ ପାଇଁ ୯୮ଟି ଗେଟ୍ ରହିଛି । ସେଥ୍ ମଧ୍ୟରୁ ୬୪ଟି ସୁଇସ୍ ଓ ୩୪ଟି କ୍ରାଷ୍ଟ୍ ଗେଟ୍ ଅଟେ । ତେବେ ପୂଜାର୍ଚ୍ଚନା ପରେ ବିଦ୍ଧି ମୁତାବକ କ୍ରେନ୍ ଯୋଗେ ପ୍ରଥମେ ୭ନମ୍ବର ଗେଟ୍ ଖୋଲା ଯାଇଥାଏ । ଜଳସ୍ତର ବୃଦ୍ଧିକୁ ଦେଖ୍ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ଆସନ୍ତା ୨୮ତାରିଖରେ ଛଡାଯିବ । ଗତ ବର୍ଷ ଅର୍ଥାତ 2023ରେ ଜୁଲାଇ ୨୩ ତାରିଖ ଦିନ ୬୧୩ଫୁଟ୍ ଥ‌ିବାବେଳେ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା ।

ସେହିପରି ୧୮ ଜୁଲାଇ, ୨୦୨୨ରେ ୬୧୩.୭୧ ଫୁଟ୍, ୧୧ ଜୁଲାଇ ୨୦୨୧ରେ ୬୦୯.୪୫ଫୁଟ, ୨୫ଜୁନ୍ ୨୦୨୦ରେ ୬୧୮.୧୦ଫୁଟ୍, ୧୪ ଅଗଷ୍ଟ ୨୦୧୯ରେ ୬୧୮.୬୯ ଫୁଟ, ୨୪ ଜୁଲାଇ ୨୦୧୮ରେ ୬୧୮ଫୁଟ, ୨୩ଜୁଲାଇ ୨୦୧୭ରେ ୬୦୭.୬୫ ଫୁଟ, ୫ ଅଗଷ୍ଟ ୨୦୧୬ରେ ୬୧୫.୬୫ ଫୁଟ, ୧୩ଜୁଲାଇ ୨୦୧୫ରେ ୬୧୫.୭୫ ଫୁଟ୍ ଓ ୨୪ ଜୁଲାଇ ୨୦୧୪ରେ ୬୧୯.୧୭ଫୁଟ୍ ଜଳସ୍ତର ଥିବାବେଳେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା ।

ଏହି ଜଳଭଣ୍ଡାର ଉପରେ ସମ୍ବଲପୁର, ବରଗଡ ଓ ସୁବର୍ଣ୍ଣପୁର ଜିଲ୍ଲା ସମେତ ଅବିଭକ୍ତ କଟକ ତ୍ରିକୋଣ ଭୂମିର ଚାଷଜମି ଜଳସେଚିତ ହୋଇଥାଏ । ଫଳରେ ଏସବୁ ଅଂଚଳ ଶସ୍ୟଶ୍ୟାମଳା ହୋଇଥାଏ । ଏଥୁସହ ହୀରାକୁଦ୍ ଜଳରୁ ବିଦ୍ୟୁତ୍ ଉତ୍ପାଦନ ଓ ଶିଳ୍ପକୁ ଜଳଯୋଗାଣ ହୋଇଥାଏ ।

(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର,( ସଂସ୍କୃତି ମିଡ଼ିଆ ବ୍ୟୁରୋ ହେଡ଼ )


Leave a Reply

Your email address will not be published. Required fields are marked *

error: Content is protected !!