‘ଚନ୍ଦ୍ର ର ସ୍ପର୍ଶ ହିଁ ଜୀବନର ସ୍ପର୍ଶ’- ଭାରତର ମହାକାଶ ଯାତ୍ରା: ପାଳିତ ହେଲା ଜାତୀୟ ମହାକାଶ ଦିବସ

ଜାତୀୟ ମହାକାଶ ଦିବସ ପାଳିତ
ଆମେ ବି ଚେଷ୍ଟା କଲେ ମହାକାଶରେ ପାଦ ଥାପି ପାରିବୁ
ଭଟଲି,୨୩।୮(ସଂସ୍କୃତି ମିଡ଼ିଆ )-ଚେଷ୍ଟା କଲେ ସବୁ କିଛି ସମ୍ଭବ । ଆମେ ମଧ୍ୟ ଯଦି ଆଜିଠୁ ପରିଶ୍ରମ କରିବା ଧ୍ୟାନ ସହକାରେ ପଢ଼ିବା ତେବେ ଚନ୍ଦ୍ରୟାନ ୩ ର ସଫଳତା ପାଇବା ଭଳି ନିଶ୍ଚିତ ଭାବେ ମହାକାଶରେ ପାଦ ଥାପିବାର ସଫଳତା ହାସଲ କରି ପାରିବ । ତେଣୁ କଠିନ ଅଧ୍ୟବସାୟ ଫଳରେ ସମସ୍ତ ସମସ୍ୟା ର ସମାଧାନ ହୋଇପାରେ । ଏହି ବ୍ରତକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ ବୋଲି ବରଗଡ଼ ଜିଲ୍ଲା ଭଟଲି ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମତ ପ୍ରକାଶ ପାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ବକୃତା, ଡ୍ରଇଂ, କୁଇଜ୍, ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ ବିଦ୍ୟାଳୟର ମୋଟ ୧୭୭ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ଭାରତ ଅନ୍ ଦି ମୁନ୍ ପୋର୍ଟାଲ ରେ ୩୦ ଜଣ ଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ଜାତୀୟ ମହାକାଶ ଦିବସ ପାଳନର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଋଷଭ ମେହେର, ଶିକ୍ଷୟିତ୍ରୀ ଇନ୍ଦିରା ଖମାରୀ, ଜ୍ୟୋତ୍ସ୍ନାମୟୀ ପଧାନ, ସୌଦାମିନୀ ପ୍ରଧାନ, ଗୋବିନ୍ଦ ବାରିକ ଓ ସଞ୍ଜୀବ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସେହିପରି ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପରଦେଶୀ ବୁଧିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗଜାନନ ବେହେରା, ଆନନ୍ଦ ସାହୁ, ସୌମ୍ୟା ସ୍ୱରୂପା ସାହୁ, ଡଲି ସରାଫ, ଜୁଲି ସରାଫ ପ୍ରମୁଖ ଯୋଗଦାନ କରି ମହାକାଶ ବିଜ୍ଞାନରେ ମନୁଷ୍ୟର ଉପଲବ୍ଧି ଓ ନୂତନ ଜ୍ଞାନ କୌଶଳ ଆହରଣ ଉପରେ ବକ୍ତବ୍ୟ ରଖିଥିଲେ । ପରେ ଛାତ୍ରୀ ଅଲିଭା ପ୍ରଧାନ, ନିହାରିକା ଖମାରୀ, କଳ୍ପନା ସାହୁ ଓ ପୂଜା ସା ଭାରତର ଚନ୍ଦ୍ର ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତା ଧାରାର ବିକାଶ ପାଇଁ ଉଦ୍ୟମ କରିବାକୁ ମତ ପ୍ରକାଶ ପାଇଥିଲା । ଶେଷରେ ଗଜାନନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସେହିପରି ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ ରହି ମହାଜାଗତିକ ଯାନ ଜୀବନ ଉପରେ ଆଲୋଚନା କରିଥିଲେ। ଲରମ୍ଭା କଲେଜର ଛାତ୍ର ଧର୍ମେନ୍ଦ୍ର ବେହେରାଙ୍କ ଚନ୍ଦ୍ରଯାନ-୩ ର ସଫଳ ରୂପାୟନ ପାଇଁ ସହଯୋଗ ସହ ମହାକାଶ ପାଇଁ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ଉପରେ ଆଲୋକପାତ କରାଯାଇଥିଲା । ଏଥିସହ ଭାରତର ଐତିହାସିକ ଓ ଆଧୁନିକ ଗବେଷଣାର ଜ୍ଞାନକୈାଶଳ ଶ୍ରାବ୍ୟଦୃଶ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।ପରେ ଅଧ୍ୟାପକ ମୁକେଶ ଧାନୁକା ଡଃ ସୁବଳ ରଂଜନ ସାହୁ ଓ ସତ୍ୟବ୍ରତ କର୍ଣ୍ଣ ଙ୍କ ତତ୍ତ୍ବାବଧାନରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଅଧ୍ୟାପକ ହେମନ୍ତ ପ୍ରଧାନ, ଅଧ୍ୟାପିକା ରୁଚିତା ମାଝି ଯୋଗଦେଇ ଗଗନ, ପ୍ରଜ୍ଞାନ ଓ ବିକ୍ରମ ଦଳକୁ ବିଜେତା ଘୋଷଣା କରିଥିଲେ । ଏଥି ସହ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଅଛି । ଶେଷରେ ଅଧ୍ୟାପିକା ଚାନ୍ଦିନୀ ସା ଧନ୍ୟବାଦ ଦେଇଥିବା ବେଳେ ବିଦେଶୀ ଛନ୍ଦ ସହଯୋଗ କରିଥିଲେ।