ଟାଟା ପାୱାରର ସ୍ମାର୍ଟ ମିଟର ବିରୋଧରେ ତାତିଲେ ଅତାବିରା ଚାଷୀ

ଅତାବିରା , 29/8(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଚାଷୀ ଟାଟା ପାୱାରର ସ୍ମାର୍ଟ ମିଟର ବିରୋଧରେ ତାତିଛନ୍ତି l ବୁଧବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଆହ୍ୱାନ କ୍ରମେ ଶହ ଶହ ଚାଷୀ ଓ ଉପଭୋକ୍ତା ଏକତ୍ରିତ ହୋଇ ସ୍ମାର୍ଟ ମିଟର ବିରୋଧରେ ଶୋଭାଯାତ୍ରା କରିଛନ୍ତି l ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବିଦ୍ୟୁତ ବିଭାଗ ଏସଡ଼ିଓ ଅଫିସକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି l ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ତୃତୀୟା ପ୍ରଧାନ, କ୍ଷୀରସିନ୍ଧୁ ବାଗ, ସୁବାଷ ବିଶ୍ୱାଳ, ପ୍ରଦୀପ ପ୍ରଧାନ, ସୁବ୍ରତ ସାହୁ, ଦଶରଥ ଭୋଇ, ବୁଦ୍ଧଦେବ ନନ୍ଦ ପ୍ରମୁଖ ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ଓ ସ୍ମାର୍ଟ ମିଟରରେ ଥିବା ତ୍ରୁଟି ଆଦି ଉପସ୍ଥାପନ କରିଥିଲେ l ଶେଷରେ ବରଗଡ଼ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତାବିରା ଉପଖଣ୍ଡ ବିଦ୍ୟୁତ ଅଧିକାରୀ ରବିନାରାୟଣ ମହାନ୍ତିଙ୍କୁ ଏକ ୫ ଦଫା ଦାବୀ ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏଥିରେ ଅତାବିରା ବ୍ଲକରେ ଲାଗିଥିବା ସମସ୍ତ ସ୍ମାର୍ଟ ମିଟରକୁ ତୁରନ୍ତ ହଟାଯିବା ଓ ନୂତନ ସ୍ମାର୍ଟ ମିଟର ସଂଯୋଗୀକରଣ ବନ୍ଦ କରିବା, ବକେୟା ବିଦ୍ୟୁତ ବିଲ ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରାଯିବା, ଚାଷକାର୍ଯ୍ୟ ପାଇଁ ବ୍ୟବହୃତ ବିଦ୍ୟୁତ ବିଳକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବା, ଅତାବିରା ଏନଏସି ଅନ୍ତର୍ଗତ ସମସ୍ତ ଉଠାଜଳସେଚନ ପ୍ରକଳ୍ପ ତଥା ବୋଲୱେଲକୁ ବାଣିଜ୍ୟକିକରଣ ବିଲ ବନ୍ଦ କରାଯିବା, ଟାଟା ପାୱାର କମ୍ପାନୀକୁ ରାଜ୍ୟରୁ ହଟାଇ ସରକାର ନିଜେ ବିଦ୍ୟୁତ ବିତରଣର ଦାୟୀତ୍ୱ ନେବା ଆଦି ଦାବୀ କରାଯାଇଛି l ଆଗାମୀ ସେପ୍ଟେମ୍ବର 30 ତାରିଖ ସୁଦ୍ଧା ଉପରୋକ୍ତ ଦାବୀଗୁଡିକ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରନଗଲେ ଅତାବିରାବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ଲାଇବା ସହ ନିଜ ନିଜ ମିଟର ବିଦ୍ୟୁତ ବିଭାଗରେ ଜମା ଦେବାକୁ ବାଧ୍ୟ ହେବୁ ବୋଲି ସଭାପତି ବୀରେନ୍ଦ୍ର କର ରୋକଠୋକ ଭାବେ କହିବା ସହ ଲିଖିତଭାବେ ଏସଡ଼ିଓ ଙ୍କୁ ଜଣାଇଥିବା କହିଛନ୍ତି l
ପ୍ରକାଶ ଯେ ବର୍ତ୍ତମାନ ବରଗଡ ଜିଲ୍ଲାରେ ବିଦ୍ୟୁତ ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ଟାଟା ପାୱାର ହାତରେ ରହିଛି ଓ ତାହାର ମନମୂଖୀ କାର୍ଯ୍ୟକଳାପ ଯୋଗୁଁ କେବଳ ଅତାବିରା ନୁହେଁ ସବୁ ଅଞ୍ଚଳର ଚାଷୀ ତଥା ବିଦ୍ୟୁତ ଉପଭୋକ୍ତାମାନେ ଅତିଷ୍ଠ ହୋଇଗଲେଣି ଯେଉଁ ଅଞ୍ଚଳ ଟାଟା ପାୱାର ଅଧିନରେ ରହିଛି । ଏବେ ପ୍ରତ୍ୟେକ ଉପଭୋକ୍ତାକୁ ସ୍ମାର୍ଟ ମିଟର ସଂଯୋଗ କରି ବିଦ୍ୟୁତ ବିତରଣ କରାଯାଉଛି ଓ ଏହି ସ୍ମାର୍ଟ ମିଟର ବାଧ୍ୟତାମୂଳକ ସଂଯୋଗ କରାଯାଉଛି ଯାହାର ବିଦ୍ୟୁତ ବିଲ ପୂର୍ବରୁ ଲାଗିଥିବା ମିଟର ଅପେକ୍ଷା ବହୁତ ବେଶୀ । ଯଦ୍ୱାରା ଚାଷୀ ତଥା ଉପଭୋକ୍ତାମାନେ ବିଦ୍ୟୁତ ବିଲ ପୈଠ କରିବାକୁ ଅକ୍ଷମ ହେଉଛନ୍ତି । ତେଣୁ ବୁଧବାର ଅଞ୍ଚଳର ଶହ ଶହ ଚାଷୀ ତଥା ଉପଭୋକ୍ତା ଏକତ୍ରିତ ହୋଇ ନିଜର ସ୍ମାର୍ଟ ମିଟର ଖୋଲି ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଫେରାଇ ଦେଇଥିଲେ ଏବଂ ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ଯେପରିକି ବାରାମ୍ୱାର ବିଦ୍ୟୁତ ବିଚ୍ଛିନ୍ନ, ଲୋଭୋଟେଜ ଇତ୍ୟାଦିକୁ ନେଇ ଟାଟା ପାୱାର ଉପରେ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି ବିଗତ ତିନି ଚାରି ଦିନ ତଳେ ବରଗଡ ଜିଲ୍ଲା ବିଭିନ୍ନ ଗ୍ରାମର ଉପଭୋକ୍ତାମାନେ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଥିବାର ଦେଖାଯାଇଥିଲା। ଏହି ବିକ୍ଷୋଭ ସମାବେଶରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସମସ୍ତ ସଦସ୍ୟଙ୍କ ସମେତ ଅତାବିରା ଅଞ୍ଚଳର ବହୁ ଚାଷୀ ଓ ବିଦ୍ୟୁତ ଉପଭୋକ୍ତା ଉପସ୍ଥିତ ଥିଲେ l
ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ