ଗୁରୁ ଆଶୀର୍ବାଦ ହିଁ ଶିକ୍ଷାର୍ଥୀ ପାଇଁ ସର୍ବଶ୍ରେଷ୍ଠ // ଭଟଲି ରେ ବ୍ଲକ୍ ସ୍ତରୀୟ ଗୁରୁଦିବସ ପାଳିତ

0

ଭଟଲି,୫।୯-(ସଂସ୍କୃତି ମିଡ଼ିଆ )-ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ରାମାୟଣ ପୌରାଣିକ ଗାଥାରେ ମହର୍ଷି ବିଶ୍ଵାମିତ୍ରଙ୍କ ଚରିତ୍ର, ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭୂମିକା ଯୁଗେ ଯୁଗେ ପୂଜନୀୟ । ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁ ପୂଜାକୁ ପାସୋରି ପାରିନାହୁଁ । ସର୍ବଭାରତୀୟସ୍ତରରେ ସେପ୍ଟେମ୍ବର ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଓ ଦ୍ଵିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଦେଶର ପ୍ରତ୍ୟେକ ପ୍ରାନ୍ତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ । ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ସତିହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପରେଶ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ଗଡତିଆ, ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଭିରାମ ସେଠ୍, ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଯୋଗେଶ୍ୱର ପଧାନ, ସମ୍ପାଦକ ସୁଶାନ୍ତ ସୁନା, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଢ଼ାଲେଶ୍ୱରି ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ । ସେହି ଅବସରରେ ଅତିଥି ମାନଙ୍କ ପକ୍ଷରୁ ଗୁରୁ ମାନଙ୍କ ଭୂମିକା ଶିକ୍ଷାର୍ଥୀ ମାନଙ୍କ ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରତିପାଦନ କରିବା ସହିତ ନିଜେ ଆଜି ଯେଉଁ ଆସନରେ ଅଧିଷ୍ଠିତ ହୋଇଛନ୍ତି ତାହା କେବଳ ଗୁରୁ ମାନଙ୍କ ଦ୍ଵାରା ହିଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ।

ପରେ ଗତ ଶିକ୍ଷା ବର୍ଷରେ ଶିକ୍ଷକତା ବୃତ୍ତି ରୁ ଅବସର ଗ୍ରହଣ କରିଥିବା ଏବିଇଓ ଜାରା ବାରିକ, ଶିକ୍ଷକ ପ୍ରମୋଦ ପଣ୍ଡା, ଅଶୋକ ଆଚାର୍ଯ୍ୟ, ଜାଦବାନନ୍ଦ ଭୋଇ, ସୁବାଷ ଚନ୍ଦ୍ର ଭୋଇ, ଗଜରାଜ୍ ହୋତା, ସୁଭାଷିନୀ ଦେବତା ଓ ଚନ୍ଦ୍ରକାନ୍ତି ତ୍ରିପାଠୀ ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମର୍ଦ୍ଧିତ କରାଯାଇଥିଲା । ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ପରେ ଶିକ୍ଷକ ବୈରାଗୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!