ଭଟଲି ଚକ୍ର ପୁଷ୍କରିଣୀରେ ସାମୁହିକ ତିଳ ତର୍ପଣ

ଭଟଲି,୨।୧୦: (ସଂସ୍କୃତି ମିଡ଼ିଆ )-ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପୂଣ୍ୟ ଧାମ ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ ଚକ୍ର ପୁଷ୍କରିଣୀରେ ପବିତ୍ର ମହାଳୟା ଅବସରରେ ରବିବାର ଦିନ ସାମୁହିକ ତିଳ ତର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଦଧିବାମନ ମନ୍ଦିରରୁ ଭକ୍ତମାନେ ଘଣ୍ଟ, ଶଙ୍ଖ ନାଦ ହରିବୋଲ ହୁଳହୁଳି ସହ ଏକ ଶୋଭା ଯାତ୍ରାରେ ବାହାରି ଶ୍ରୀ ଦଧିବାମନଙ୍କ ଆବିର୍ଭାବ ସ୍ଥଳ ଚକ୍ର ପୁଷ୍କରିଣୀରେ ପହଞ୍ଚିଥିଲେ । ପରେ ପଣ୍ଡିତମାନଙ୍କ ମନ୍ତ୍ର ଉଚ୍ଚାରଣ ସହ ପୁର୍ଣ୍ଣ ରୀତି ନୀତି ଅନୁସାରେ ସମସ୍ତେ ନିଜନିଜ ପିତୃ ପୁରୁଷଙ୍କ ନାମ ସ୍ମରଣ କରି ଚକ୍ର ପୁଷ୍କରିଣୀର ଜଳରେ ତିଳ ତର୍ପଣ କରିଥିଲେ । ଇତିହାସରୁ ଜଣାଯାଏ ଯେ ଅଷ୍ଟାଦଶ ଶତାବ୍ଦୀର ଲିଖିତ ତାଲପତ୍ର ପୋଥି “ସଦାବରତ ବୋଲି” ଏକ ଅଧ୍ୟୟନର ସମୀକ୍ଷା ଗ୍ରନ୍ଥରୁ ପ୍ରମାଣିତ ଯେ ବିଭୁ ଭକ୍ତ ପରମାନନ୍ଦ ତାଙ୍କ ବାସଗୃହରେ ବହୁ ପୁରାତନ କାଳରୁ ତାଙ୍କ ବଂଶଜମାନଙ୍କ ଦ୍ୱାରା ପରମ୍ପରା କ୍ରମେ ପୂଜାସେବା ହୋଇ ଆସୁଥିବା ମହାପ୍ରଭୁ ଦାରୁବ୍ରହ୍ମଙ୍କ ସ୍ୱପ୍ନାଦେଶ କ୍ରମେ ନିଜ ବାସଗୃହର ଏକ ମୃଣ୍ମୟ କକ୍ଷରେ ସାର୍ବଜନୀନ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନା କରିଥିଲେ । ତାଙ୍କ ପୁତ୍ରବଧୁ କମଳା ଥିଲେ ଭକ୍ତିମୟୀ,ସେ ସବୁବେଳେ ଚାହୁଥିଲେ ତାଙ୍କୁ ପ୍ରଭୂଙ୍କ ତଳେ କିପରି ଆଶ୍ର ମିଳୁ । ପ୍ରଭୂଙ୍କ ମହିମା ଅପାର । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଥିବା ମଧ୍ୟାହ୍ନ ସମୟରେ କମଳାଙ୍କ କାନରେ ବାଜିଲା ତ୍ରାହି ତ୍ରାହି ତ୍ରାହି ବୋଲି ଏକ ଶୁନ୍ୟ ବାଣୀ । କମଳା ଯାଇଦେଖିଲା ବେଳକୁ ତାଙ୍କ ବାସ ଭବନ ନିକଟକୁ ଲାଗିଥିବା ବିଭୁ ମନ୍ଦିରରେ ନିଆଁଲାଗି ଯାଇଛି । ସେ ପ୍ରଭୂଙ୍କୁ ଉଦ୍ଧାର କରିବାକୁ ଯାଇ ଜ୍ୱଳନ୍ତାନଳରେ ପଶି ନିଜ ବାହୁ ଯୁଗଳରେ ପ୍ରଭୂୁ ବିଗ୍ରହକୁ ଆବୋରି ଧରି ପକାଇଥିଲେ ଏବଂ ବିଗ୍ରହଙ୍କ ସହ ନିଜେ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ । ଉକ୍ତ ଦୁର୍ଘଟଣା ଦିନଠାରୁ ଭକ୍ତ ପରମାନନ୍ଦ ଦୁଃଖରେ ଭାଙ୍ଗି ପଡି ପ୍ରଭୁଙ୍କୁ ଆକୁଳ ନିବେଦନ ସହ ତାଙ୍କର ପୂଜାର୍ଚ୍ଚନା ଓ ଦର୍ଶନ ଚାହୁଁଥିଲେ । ଭକ୍ତର ମନକୁ ଜାଣିପାରି ଦିନେ ରାତ୍ରର ଚତୁର୍ଥ ପ୍ରହରରେ ଭଗବାନ ନିଜେ ପରମାନନ୍ଦକୁ ଶୁନ୍ୟବାଣୀ ଦେଲେ ଯେ କମଳା ମୋ ଦେହରେ ଲୀନ ହୋଇଯାଇଛି । ମୁଁ ପବିତ୍ର ଚକ୍ର ପୁଷ୍କରିିଣୀରେ ଉଭା ହେବି । ମୁଁ ଦଧିବାମନ ନାମରେ ଏହି ପୂଣ୍ୟ ପୀଠରେ ପୂଜା ପାଇବି । ଏହି ଆବିର୍ଭାବ କ୍ଷେତ୍ର ହେବ ଚକ୍ରତୀର୍ଥ । ଏହି ଭଟଲି ପୀଠ ହେବ ପବିତ୍ର ଦଧିବାମନ ଶ୍ରୀକ୍ଷେତ୍ର । ଏଣୁ ସମସ୍ତଙ୍କ ବିଶ୍ୱାସ ଯେ ଏହି ମହାନ ପୂଣ୍ୟ ପୀଠ ଶ୍ରୀ ଦଧିବାମନଙ୍କ ଆବିର୍ଭାବ ସ୍ଥଳରେ ତିଳ ତର୍ପଣ କଲେ ପିତୃ ପୁରୁଷଗଣ ସନ୍ତୁଷ୍ଟ ହୋଇ ଶୁଭ ଫଳ ପ୍ରଦାନ କରିଥାନ୍ତି । ଏଣୁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଦଧିବାମନ ପ୍ରେମୀ ଭକ୍ତ ତିଳ ତର୍ପଣରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ତିଳ ତର୍ପଣରେ ମୁଖ୍ୟ ପଣ୍ଡିତ ପଞ୍ଚମ ପୁରୋହିତ ଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ ବଂଶଜ ସରୋଜ ସାହୁ କାର୍ଯ୍ୟ ତୁଳାଇଥିଲେ। ମନ୍ଦିର ପୂଜକ ପଣ୍ଡିତ ଗୈାରଚନ୍ଦ୍ର ରଥ, ସତ୍ୟ ନାରାୟଣ ମିଶ୍ର, ବାଙ୍କାବିହାରୀ ମିଶ୍ର, ବ୍ୟଙ୍ଗକବି ବାଙ୍କାବିହାରୀ ସାହୁ, ଗୋପି ନାଏକ, ଭୀମସେନ ବାରିକ, ଦୁର୍ବାଦଲ ନାଏକ, ପ୍ରତାପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।