ଲାଦେରପାଲି ସ୍ଥିତ ପ୍ରସିଦ୍ଧ ମାଁ ରଣେଶ୍ୱରୀ ରାମଚଣ୍ଡୀଙ୍କ ଶୋଡ଼ଶ ପୂଜାରମ୍ଭ

0

ଅତାବିରା, 4/9(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦେରପାଲି ସ୍ଥିତ ପ୍ରସିଦ୍ଧ ମାଁ ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ନବମ ତମ ଶାରଦୀୟ ଷୋଡ଼ଶ ପୂଜା ମହା ସମାରୋହରେ ଆରମ୍ଭ ହୋଇଯାଇଛି । ଏହି ପୂଜା ପାଇଁ ମହାଳୟା ଦିନ ଶତାଧିକ ମହିଳା ଓ ପୁରୁଷ ଭବ୍ୟ ସମାରୋହରେ କଳସ ଶୋଭାଯାତ୍ରା ବାହାରି ବାବା ମଠ ରେ ପହଞ୍ଚି ସେଠାରେ ଥିବା ପୁଷ୍କରିଣୀ ରୁ ପୂଜାର୍ଚ୍ଚନା ପରେ ମନ୍ତ୍ରୀତ ପବିତ୍ର ଜଳପୂର୍ଣ୍ଣ କଳସ ଧରି ମନ୍ଦିର କୁ ଫେରିଥିଲେ । ମନ୍ଦିରରରେ କଳସ ସ୍ଥାପନ କରି ଶାରଦୀୟ ଷୋଡଶ ପୂଜା ନିମନ୍ତେ ମାନସିକ ଧାରୀ ମାନେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ ।
ଚଳିତ ବର୍ଷ କର୍ତ୍ତା ରୂପେ ସୋଢାପାଳି ନିବାସୀ ପର୍ଶୁରାମ ପ୍ରଧାନ ଓ ତାଙ୍କ ସହଧର୍ମିଣୀ ପଦ୍ମାଳୟା ପ୍ରଧାନ,ପୁଝାରୀ ରୂପେ ପଣ୍ଡିତ ଜୟ କୁମାର ଦାସ ଓ ସାଥୀ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟ ଦେବୀ ପୀଠ ମାନଙ୍କରେ ନବରାତ୍ର ପୂଜା ନଅ ଦିନ ଧରି ହୋଇଥିବା ବେଳେ ଏହି ମନ୍ଦିରରେ ମହାଳୟା ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ଧରି ଚାଲିଥାଏ ଯାହା ଏହି ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ । ପ୍ରତିଦିନ ରୀତିନୀତି ସହ ହୋମ ଆଦି ଷୋଡଶ ପୂଜା କରାଯାଏ। ସକାଳେ ବାଳଭୋଗ, ମଧ୍ୟାହ୍ନ ରେ ଜାଉ ,ଅନ୍ନଭୋଗ ଓ ସନ୍ଧ୍ୟାରେ କାକରା ପିଠା ମାଁ ଙ୍କୁ ଭୋଗ ଆଦି ଲାଗିଥାଏ ।
ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମାଁ ଙ୍କ ର ନଅ ଟି ବେଶ କରାଯାଏ । ନୂତନ ଭାବେ ଗଠିତ ହୋଇଥିବା ପୂଜା କମିଟିର ସଭାପତି ସଦାନନ୍ଦ ପ୍ରଧାନ ( ମିଳୁ) ଙ୍କ ତତ୍ତ୍ଵାବଧାନରେ ଏହି ସମସ୍ତ ପୂଜା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେଉଛି । ପ୍ରତିଦିନ ଶତାଧିକ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଉଛି । ଏହି ପୀଠରେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ତେଣୁ ଦିନକୁ ଦିନ ଶ୍ରଦ୍ଧାଳୁ ଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ମାଁଙ୍କ ପୀଠକୁ ଆଖପାଖ ଗ୍ରାମ ମାନଙ୍କରୁ ଜୁଗାର ଆସିଥାଏ । ଜୁଗାରଗୁଡ଼ିକ ପ୍ରତିଯୋଗିତା ମୂଳକ ଭାବରେ ତିଆରି କରାଯାଇ ସେହି ଅନୁରୂପେ ଆତସବାଜି ସହ ଭବ୍ୟ ଶୋଭାଯାତ୍ରା ମଧ୍ୟ ହୋଇଥାଏ , ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମି ରହିଥାଏ l ଜୁଗାର ଯାତ୍ରା ଏହି ପୀଠର ଅନ୍ୟ ଏକ ଆକର୍ଷଣୀୟ ବା ବିଶେଷତ୍ଵ ଭାବରେ ରହିଆସିଛି । ପୂଜା କମିଟିର ସଭାପତି ଶ୍ରୀ ପ୍ରଧାନ ଚଳିତ ବର୍ଷ ଏହି ପୂଜାକୁ ଆକର୍ଷଣୀୟ କରିବା ସହ ପୂଜା ପଦ୍ଧତି ସମ୍ପୂର୍ଣ ରୀତି ନୀତି ସହକାରେ କରାଯିବା ସହ ପ୍ରତ୍ୟେକ ଶ୍ରଦ୍ଧାଳୁ କିପରି ସୁବିଧାରେ , ଶାନ୍ତି ଶୃଙ୍ଖଳା ସହ ମାଁ ଙ୍କ ର ଦର୍ଶନ କରିପାରିବେ ସେଥିପାଇଁ ବିଶେଷ ଗୁରୁତ୍ବ ଦିଆଯାଉଥିବା ପ୍ରକାଶ କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!