ବରଗଡ଼ରେ ନୀଳକଣ୍ଠ ଷଡଙ୍ଗୀ ବଂଶର ମହାମିଲନ ଉତ୍ସବ

0

ପାରିବାରିକ ସ୍ନେହଶ୍ରଦ୍ଧାର ସନ୍ଦେଶ ଦେଲେ ଷଡଙ୍ଗୀ ପରିବାର

ପୀଢ଼ି ପରେ ପୀଢ଼ି ଭୁଲିବାର ନୁହେଁ ବରଂ ମିଳନର ଆବଶ୍ୟକତା ରହିଛି

ବରଗଡ଼ରେ ନୀଳକଣ୍ଠ ଷଡଙ୍ଗୀ ବଂଶର ମହାମିଲନ ଉତ୍ସବ

ବରଗଡ଼,୧୧।୧୧(ସଂସ୍କୃତି ମିଡ଼ିଆ )-ସାଂପ୍ରତିକ ପରିସ୍ଥିତିରେ ଆମେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ସାମାନ୍ୟ ସ୍ବାର୍ଥ ହାସଲ କରିବା ପାଇଁ ଅଣଦେଖା କରୁଛୁ । ଯାହା ପୂର୍ବଜ ମାନଙ୍କ ସମୟରେ ନ ଥିଲା । କେବଳ ପରିବାର କାହିଁକି ପଡୋଶୀ, ସଖା ସହୋଦର, ବନ୍ଧୁ ବାନ୍ଧବ, ଗ୍ରାମବାସୀ ସମସ୍ତେ ପରସ୍ପର ପରସ୍ପରର ସୁଖଦୁଃଖରେ ସାମିଲ ହେଉଥିଲେ । ବୟୋଜ୍ୟେଷ୍ଠ ଙ୍କୁ ସମ୍ମାନ ଦେବାସହିତ ଛୋଟ ମାନଙ୍କୁ ସ୍ନେହ ଦେଇ ନିଜର ସମ୍ପର୍କକୁ ନିବିଡ଼ କରିପାରୁଥିଲେ । ମାତ୍ର ପରିସ୍ଥିତି ବଦଳିଛି ଏବେ କେହି କାହାରି ନୁହନ୍ତି, ନିଜ ସୁଖ ପାଇଁ କାମ କରିବା ଦରକାର ନ୍ୟାୟରେ ସମସ୍ତେ ବ୍ୟସ୍ତ ବିବ୍ରତ । ଏଭଳି ସମୟରେ ପୀଢ଼ି ପୀଢ଼ି ଧରି ସମ୍ପର୍କ ପୁନର୍ଗଠନ କରିବା ପାଇଁ ରବିବାର ଅଁଳାନବମୀ ଅବସରରେ ବରଗଡ଼ ସ୍ଵୟଂସିଦ୍ଧା ଭବନରେ ଆୟୋଜିତ ହୋଇଥିଲା ନୀଳକଣ୍ଠ ଷଡଙ୍ଗୀ ବଂଶର ମହାମିଲନ ଉତ୍ସବ ।

ଏହି ଅବସରରେ ତାଙ୍କର ବଂଶଜ ଚିଚିଣ୍ଡା ବାସିନ୍ଦା ଖଗେଶ୍ବର ଷଡ଼ଙ୍ଗୀଙ୍କ ନେତୃତ୍ବରେ ସହସ୍ରାଧିକ ପରିବାର ସଦସ୍ୟ ସଦସ୍ୟା ଯୋଗଦେଇଥିଲେ । ଏହାସହିତ ସମସ୍ତଙ୍କ ଝିଅ, ଜ୍ବାଇଁ, ଭଣଜା, ଭାଣଜୀ ମଧ୍ୟ ନିମନ୍ତ୍ରିତ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଷଡଙ୍ଗୀ ପରିବାରର ସଦସ୍ୟ ମାନଙ୍କ ଦ୍ଵାରା ଜ୍ବାଇଁ ଭଣଜାଙ୍କ ପଦଧୌତ କରାଯାଇଥିଲା । ପରେ କିଭଳି ସମସ୍ତେ ଏକତାର ରାଜ୍ଜୁରେ ବାନ୍ଧି ହୋଇ ସମାଜର ହିତ ପାଇଁ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତେ ଆଗାମୀ ଦିନରେ ନିଜର, ନିଜ ପରିବାର ସମେତ ସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଷଡ଼ଙ୍ଗୀ ବଂଶଜଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ସାମାଜିକ ମୂଲ୍ୟବୋଧ ଆମର ନୈତିକତା ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଅବସରରେ ପ୍ରାୟ ୫ ପୀଢ଼ିର ଦାୟଦ ମାନେ ପରସ୍ପରକୁ ଚିହ୍ନିବା ସହିତ ଭାବ ଆଦାନପ୍ରଦାନର ସୁଯୋଗ ପାଇଥିବାରୁ କାର୍ଯ୍ୟକ୍ରମଟି ସମସ୍ତଙ୍କର ଆସ୍ଥାଭାଜନ ହୋଇପାରିଥିଲା। ତେବେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ସମାଜର ହିତ ଦୃଷ୍ଟିରେ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!