କ୍ରୀଷ୍ଣା ବିକାଶରେ ବାର୍ଷିକୋତ୍ସବ ଇଲେକ୍ଟ୍ରା ୨୦୨୪-୨୫ ଅନୁଷ୍ଠିତ

0

ବରଗଡ଼ 2/12(ସଂସ୍କୃତି ମିଡ଼ିଆ) ବରଗଡ଼ କ୍ରୀଷ୍ଣା ବିକାଶର ୨୨ତମ ବାର୍ଷିକୋତ୍ସବ ଇଲେକ୍ଟ୍ରା ୨୦୨୪-୨୫ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଅତିଥିଗଣ ପ୍ରଥମେ ମଙ୍ଗଳଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍ଘାଟନ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ସିନିୟର୍ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ଏବଂ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ ବାର୍ଷିକ ବିବରଣୀ ପାଠ କରିବା ସହିତ ସର୍ବ ଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନେ କିପରି କୃତୀତ୍ୱର ସହ ସଫଳତା ଅର୍ଜନ କରିଥିଲେ ତଥା ଶିକ୍ଷା ବ୍ୟତିରେକ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠ ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ସେ ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ ।


କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଜେପୁର ବିଧାୟକ ଶ୍ରୀ ସନତ ଗଡ଼ତିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ସମଗ୍ର ଭାରତରେ ବରଗଡ଼ର ପ୍ରସିଦ୍ଧିରେ ସମ୍ବଲପୁରୀ ଶାଢ଼ୀ, ଧନୁଯାତ୍ରା ସହିତ କ୍ରୀଷ୍ଣା ବିକାଶ ବିଦ୍ୟାଳୟର ମଧ୍ୟ ଯଥେଷ୍ଟ ଅବଦାନ ଅଛି ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଭଟଲି ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ ଭାରତୀୟ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କ୍ରୀଷ୍ଣା ବିକାଶ ଅନୁଷ୍ଠାନର ଯୋଗଦାନ ପ୍ରଶଂସନୀୟ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ ଉତ୍ତମ ଶିକ୍ଷାବ୍ୟବସ୍ଥା ଯୋଗୁଁ ଆଜି କ୍ରୀଷ୍ଣା ବିକାଶ ବିଦ୍ୟାଳୟ ଶିକ୍ଷା ଓ କ୍ରୀଡ଼ାକ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଉଚ୍ଚପ୍ରଶଂସା କରିବା ସହିତ କଠିନ ପରିଶ୍ରମ, ଏକାଗ୍ରତା ଓ ସାଧୁତା ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ବୋଲି ମତପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ନର୍ଦେନ୍ ଡିଭିଜନ୍, ସମ୍ବଲପୁରର ଆର୍ଡିସି ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ନିଜର ମନ୍ତବ୍ୟରେ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ସଂସ୍କୃତିକୁ ଉଚ୍ଚପ୍ରଶଂସା କରିବା ସହିତ ଉତ୍ତମ ମାନର ଶିକ୍ଷାଦାନ ବିଷୟରେ ନିଜର ମତ ରଖିଥିଲେ । ସମ୍ମାନୀତ ଅତିଥି ବରଗଡ଼ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସାହାଇ ମୀନା ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଆଦର୍ଶ ସଭ୍ୟ ଭାରତୀୟ ସମାଜ ଗଠନ ପାଇଁ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅତିଥି ଭାବରେ ନର୍ଦେନ୍ ରେଞ୍ଜ, ସମ୍ବଲପୁରର ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ ଯୋଗଦେଇ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଶିକ୍ଷା ବ୍ୟତୀତ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଶିକ୍ଷାପ୍ରଦାନକୁ ଉଚ୍ଚପ୍ରଶଂସା କରିଥିଲେ ।
କ୍ରୀଷ୍ଣା ବିକାଶ ଗ୍ରୁପ୍ର ଚେୟାର୍ମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ଶିକ୍ଷାନୁଷ୍ଠାନର ସଫଳତା ବିଷୟରେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀମାନେ ଜେଇଇ, ନିଟ୍, ସିୟୁଇଟି, ସିବିଏସ୍ଇ କ୍ଲଷ୍ଟର୍, କଳା ଉତ୍ସବ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଶିକ୍ଷକମାନଙ୍କ ଏକନିଷ୍ଠ ସାଧନାର ଉଚ୍ଚ ପ୍ରଶଂସା କରିବା ସହିତ କ୍ରୀଷ୍ଣା ବିକାଶ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଥିବା ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକମାନଙ୍କ ଦ୍ୱାରା ପରିଚାଳିତ ମେଣ୍ଟରିଂ ପ୍ରୋଗ୍ରାମ ଓ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା କରି ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ନିଜର ସୁଚିନ୍ତିତ ମତପ୍ରଦାନ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ନିଜର ମନ୍ତବ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ କିଣ୍ଡର୍ କସ୍ମସ୍ର ଅଭୂତପୂର୍ବ ସଫଳତାର ପ୍ରଶଂସା କରିବା ସହିତ ଟେକ୍ନୋ ପ୍ରୋଗ୍ରାମ ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟସ୍ତର ପରୀକ୍ଷାରେ ସଫଳତା ହାସଲ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ପ୍ରଥମେ “ବିକାଶ ଭି ବିରାସତ୍ ଭି”ର ସ୍ଲୋଗାନ୍ ଦେଇ ସମଗ୍ର ଭାରତରେ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ସଫଳତା ବିକାଶ ମୁଖ୍ୟ ବିଦ୍ୟାଳୟ, ବରଗଡ଼ର ଯୋଗଦାନ ଓ ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣାଙ୍କ ମାର୍ଗଦର୍ଶନ ଅଛି ବୋଲି ମନ୍ତବ୍ୟ ଦେଇଥିଲେ ।
ସଭାକାର୍ଯ୍ୟ ପରେ ୧୭୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ୍ ୫୧ଟି ନୃତ୍ୟରେ ସମ୍ବଲପୁରୀ, ଓଡ଼ିଶୀ, ଲାଉଣୀ, ଗୁଜୁରାଟୀ, ତେଲୁଗୁ ତଥା ଲୋକନୃତ୍ୟ ପରିବେଷିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ସ୍ମୃତିଫଳକ ଓ ସାର୍ଟିଫିକେଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ସମସ୍ତ ଅତିଥିଗଣଙ୍କୁ କ୍ରୀଷ୍ଣା ବିକାଶର ପରିଚାଳନା କମିଟୀର ସଦସ୍ୟମାନେ ପୁଷ୍ପଗୁଚ୍ଛ, ସ୍ମୃତିଫଳକ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ସମସ୍ତ ଶିଶୁକଳାକାର, ତଥା ନୃତ୍ୟ ଶିକ୍ଷକ ଶ୍ରୀ ପ୍ରକାଶ ପଣ୍ଡା, ଶ୍ରୀ ଶିବାନନ୍ଦ ମହାନନ୍ଦ, ଶ୍ରୀ ଗୌତମ ରାଏ, ଶ୍ରୀ ପ୍ରିତମ୍ ପ୍ରଧାନ ଓ ସଙ୍ଗୀତ ଶିକ୍ଷକ ଶ୍ରୀ ନବକୁମାର ଦତ୍ତ, ଶ୍ରୀ ନିଗମ୍ ଦାସ, କୁମାରୀ ପ୍ରତିମା ସାହୁ ଓ କଳା ଶିକ୍ଷକ ଶ୍ରୀ ଅମୂଲ୍ୟ ସିକନ୍ଦର, ଶ୍ରୀ କିଶୋର କୁଅଁର, ଶ୍ରୀ କୁଶ ଭୂୟାଁ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ବିଭିନ୍ନ ଶାଖାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ପରିଶେଷରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!