ଗୀତା ହିଁ ଭବିଷ୍ୟତର ସୁନାଗରିକଙ୍କ ପଥ ପ୍ରଦର୍ଶନ କରିବ*

ବରଗଡ଼,୯/୧୨ (ସଂସ୍କୃତି ମିଡ଼ିଆ ) ଶ୍ରୀ ହରିହରାନନ୍ଦ ଗୀତା ପାଠଶାଳା, ବରଗଡ଼ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲଠାରେ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦ୍ଘାଟନୀ ସତ୍ରରେ ବରଗଡ଼ ଜିଲ୍ଲାର ପୂର୍ବ ଜିଲ୍ଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାଶ, ପରିବ୍ରାଜକ ସନ୍ନ୍ୟାସୀ ସ୍ବାମୀ ମୁକ୍ତିପ୍ରିୟାନନ୍ଦ ତଥା ଉତ୍ତର ପ୍ରଦେଶରୁ ଶିଶୁ କବି ପ୍ରଭାକର ସିଂହ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗୀତା ଛାତ୍ରଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା ଆଣିଥାଏ ବୋଲି ସୁବୋଧ କୁମାର ଦାଶ ନିଜ ବକ୍ତବ୍ୟରେ କହିଥିବା ବେଳେ ସ୍ବାମୀ ମୁକ୍ତିପ୍ରିୟାନନ୍ଦ ଗିରି ଅଭିଭାବକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ପିଲାମାନଙ୍କୁ ପଥଭ୍ରଷ୍ଟ ହେବାରୁ ଯଦି ରୋକିବାକୁ ହେଲେ ଆମକୁ ପ୍ରତିଦିନ ନିଜେ ଗୀତା ସ୍ବାଧ୍ଯାୟ କରିବା ସହ ସେଥିରେ ନିଜ ପିଲାମାନଙ୍କୁ ମଧ୍ଯ ସାମିଲ କରିବାକୁ ହେବ। ସେହିପରି ମୁଖ୍ୟ ବକ୍ତା ପ୍ରଭାକର ସିଂହ କହିଛନ୍ତି ଯେ ଗୀତା ହିଁ ଭବିଷ୍ୟତର ସୁନାଗରିକଙ୍କ ପଥ ପ୍ରଦର୍ଶନ କରିବ। ଉଦଘାଟନୀ ସତ୍ର ପରେ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଗୀତାର ଚତୁର୍ଥ ଅଧ୍ୟାୟ ବିଷୟକ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଅନୁଷ୍ଠିତ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗରେ ଗୀତା ଆବୃତ୍ତି କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ଥିବା ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରତିଯୋଗୀଙ୍କ ମୂଲ୍ୟାୟନରେ ସହଯୋଗ କରିଥିଲେ। ‘କ’ ବିଭାଗରେ ଆକୃତି ଭୋଇ, ସ୍ମୃତି ଅନ୍ବେଷା ପଣ୍ଡା, ଶ୍ରଦ୍ଧାରାଣୀ ସାହୁ, ସୁମନ ରଣା, ଅର୍ପିତା ସାହୁ; ‘ଖ’ ବିଭାଗରେ ସୁପ୍ରୀତି ଭୋଇ, ଅଙ୍କିତା ସାଗର, ମଧୁମିତା ମହାପାତ୍ର, ପ୍ରତିଜ୍ଞା ସାହୁ, ଶ୍ରଦ୍ଧା ପ୍ରଧାନ; ‘ଗ’ ବିଭାଗରେ ନିବେଦିତା ନାଏକ, ଅନ୍ମେଷା ସୁସାରୀ, ମୀତା ଦାଶ, ପ୍ରଣବ ପ୍ରଧାନ, ମୁକ୍ତାଦେଇ ଭୁଏ; ‘ଘ’ ବିଭାଗରେ ଦୀପ୍ତିମୟୀ ପ୍ରଧାନ, ଶିଖା ସାହୁ, ମାନସୀ ନାଏକ, ପାୟଲ ମହାରଣା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ସାନ୍ତ୍ଵନା ମୂଳକ ପୁରସ୍କାର ପାଇଛନ୍ତି।
ଉଦଯାପନୀ ସତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସ୍ବତନ୍ତ୍ର ଅଧିକାରୀ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ସହ ନିଦ୍ଦେର୍ଶକ ସମରେନ୍ଦ୍ର ଭୁତିଆ ତଥା ସାହିତ୍ଯିକ ଡ. ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୁତିଆ ପ୍ରତିଯୋଗିତାକୁ ପୁରସ୍କାର ପାଇବାର ମାଧ୍ୟମ ନ କରି ପ୍ରତିଯୋଗିତା ମାଧ୍ୟମରେ ଗୀତାର ଜ୍ଞାନକୁ ହୃଦୟଙ୍ଗମ କରି ଜୀବନରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଥିଲେ ଯେ ଗୀତା ମାଧ୍ୟମରେ ଆମେ ବିଷୟାନନ୍ଦରୁ ଊର୍ଦ୍ଧ୍ବକୁ ଯାଇ ପରମାନନ୍ଦର ଅନୁଭବ କଲେ ମାନବ ଜୀବନର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭଗବଦ୍ଗୀତା କଣ୍ଠସ୍ଥ କରିଥିବା ନବମ ଶ୍ରେଣୀର ଛାତ୍ର ସ୍ବରିତ ମିଶ୍ରଙ୍କୁ ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ର ସ୍ମୃତି ସମ୍ମାନ – ୨୦୨୪ ରେ ସମ୍ମାନିତ କରାଯାଇଥିଲା। ଏହା ସହ ଗୀତା ପାଠଶାଳାର ପଞ୍ଚମ ପ୍ରତିଷ୍ଠା ଦିବସରେ ଆୟୋଜିତ ଅନଲାଇନ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତା ପାଠଶାଳାର ଛାତ୍ରଛାତ୍ରୀ ସାଧନା, ସ୍ମୃତି, ପ୍ରୀତି, ସୁପ୍ରୀତି ଓ ସ୍ବରିତ “ଚଲୋ ଚଲେ ଗୀତା ପାଠଶାଳା” ଶୀର୍ଷକ ଏକ ହିନ୍ଦୀ ନାଟକ ପରିବେଷଣ କରିଥିଲେ ଓ ମୌସୁମୀ ଯୁବ ପୀଢିମାନଙ୍କୁ କାହିଁକି ଗୀତା ପଢିବା ଆବଶ୍ୟକ ସେ ବିଷୟରେ ନିଜ ଅନୁଭୁତି କହିଥିଲେ।
କାର୍ଯ୍ୟକ୍ରମର ଡ. ମୈତ୍ରୀ ପୁରୋହିତ ସଭା ପରିଚାଳନା କରିଥିବା ବେଳେ ପ୍ରିୟଙ୍କାରାଣୀ ବେଦବାକ୍, ରୁଚିସ୍ମିତା ଗହିର, ନିକିତା ଦାଶ, ରବିନାରାୟଣ ମିଶ୍ର, ଶାଶ୍ବତ ମିଶ୍ର, ଝରଣା ପଣ୍ଡା, ଦେବାଶିଷ ମହାପାତ୍ର ଓ ଗୀତା ପାଠଶାଳାର ସଦସ୍ୟମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗୀତା ଆରତି କରାଯାଇଥିଲା ଓ ଗୀତା ପାଠଶାଳାର ସଂଯୋଜକ ଶ୍ରୀ ରାଜବଲ୍ଲଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ ଯେ ପ୍ରତିଯୋଗୀଙ୍କ ପ୍ରତିଯୋଗିତା ଚାଲିଥିବା ବେଳେ ସ୍ବାମୀ ମୁକ୍ତିପ୍ରିୟାନନ୍ଦ ଗିରିଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଉପସ୍ଥିତ ଅଭିଭାବକମାନେ ସମ୍ପୂର୍ଣ୍ଣ ଗୀତା ଆବୃତ୍ତି କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ।