ଧାନ ଚୋରୀ ଅଭିଯୋଗରେ ୨ ଜଣଙ୍କୁ ବାନ୍ଧିଲେ ଗ୍ରାମବାସୀ, ଅନ୍ୟ ଜଣେ ଫେରାର, ଗୌଡ଼ଟିକ୍ରାର ପୁନଃରାବୃର୍ତ୍ତି ସିଲାଟରେ

0

ସରଣ୍ଡା, 28/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନରେ ଧାନ ଚୋରୀ ବଢ଼ିବାରେ ଲାଗିଛି l ଗତ ନଭେମ୍ବର ମାସ 27 ତାରିଖ ଏହି ଅଞ୍ଚଳର ଗୌଡ଼ଟିକ୍ରା ଗ୍ରାମରେ ୯ ଜଣ ଚୋର ଏକ ମିନିଟ୍ରକରେ ଧାନ ଚୋରୀ କରି ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡି ଜେଲ ଯାଇଥିବା ବେଳେ ଅନୁରୂପ ଭାବେ ଠିକ ମାସକ ପରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୨ ଜଣ ଧାନ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ବେଳେ କୌଶଳ କ୍ରମେ ଜୈନିକ ଚୋର ଫେରାର ମାରିଛି l ସେହିପରି ଚଳିତ ମାସ 16 ତାରିଖ ବିଳମ୍ବିତ ରାତ୍ରିରେ ଅତାବିରା ଥାନା ଭୋଇପାଲି ଗ୍ରାମର ଧ୍ରୁବ ଭୋଇଙ୍କ 26 ପ୍ୟାକେଟ ଧାନ ଭୋଇପାଲି ଛକ ପୁରୁଣା ଜାତୀୟ ରାଜପଥ ରେ ଶୁଖାଇ ବସ୍ତାରେ ଭର୍ତ୍ତି କରି ରଖିଥିବା ବେଳେ ଚୋରୀ ହୋଇଯାଇଥିଲା l ସୌଭାଗ୍ୟ ବଶତଃ ଟ୍ରଲି ଟେମ୍ପୁ ରେ ଆସିଥିବା ଚୋର ମାନେ ଭୋଇପାଲି ଛକରୁ ଧାନ ଧରି ଫେରାର ହୋଇଯାଇଥିଲେ l ଏ ନେଇ ଶ୍ରୀ ଧ୍ରୁବ ଅତାବିରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ତେବେ ଗତ ଶୁକ୍ରବାର ରାତ୍ରିରେ ସିଲାଟ ଗ୍ରାମରେ ଚାଷୀ ସଂସାର ମିର୍ଦ୍ଧା ବସ୍ତାରେ ଭର୍ତ୍ତି କରିଥିବା 35 ବସ୍ତା ଧାନ ଚୋରୀ ହୋଇଯାଇଥିବା ରାତ୍ର 11ଟାରେ ଜାଣିଥିଲେ l ଏହା ପରେ ଶ୍ରୀ ସଂସାର ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ l ଗ୍ରାମବାସୀ ଙ୍କ ସହାୟତାରେ ଚାଷୀ ସଂସାର ଧାନ ଶୁଖାଇ ଥିବା କେନାଲ ରାସ୍ତାରେ ଲୁଚି ଛପି ଚୋରଙ୍କୁ ଯୋଗିଥିଲେ l

ଶୁକ୍ରବାର ରାତ୍ରି ପ୍ରାୟ 1ଟାରେ ଚୋର ମାନେ ପୁଣି ଏକ ବାଇକ ନଂ ଓଡ଼ି 15 ୟୁ / 0427 ରେ ଆସି ଚାଷୀ ସଂସାର ଶୁଖାଇଥିବା ଧାନ ଭର୍ତ୍ତି କରିଥିଲେ l ଏହି ସମୟରେ ଆଗରୁ ପ୍ରସ୍ତୁତ ଥିବା ଚାଷୀ ଓ ଗ୍ରାମବାସୀ ଚୋର ମାନଙ୍କୁ ମାଡି ବସିଥିଲେ l ପାଖ ବଡ଼ମାଳ ଗ୍ରାମରୁ ଆସିଥିବା ଚୋର ମଧ୍ୟରୁ ଜଣେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଗ୍ରାମବାସୀ ଙ୍କ ଜାଲରେ ପଡି ଧରା ପଡିଯାଇଥିଲେ l ଉଭୟ ଚୋରଙ୍କୁ ଗ୍ରାମବାସୀ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ l ଗୋଡ଼ଭଗା ଫାଣ୍ଡି ପୋଲିସ ଶନିବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତ ଚୋର ଏବଂ ବାଇକକୁ ଜବତ କରି ଅତାବିରା ଥାନାକୁ ଆଣିଥିଲେ l ଏନେଇ ଅତାବିରା ଥାନାରେ ଏକ ଅଭିଯୋଗ ହୋଇଥିବା ଏବଂ ଏନେଇ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ଅତାବିରା ଆଇଆଇସି ସୁକୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!