ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0

ଅତାବିରା, 10/2(ସଂସ୍କୃତି ମିଡ଼ିଆ )-ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଓଡିଆ ଭାଷା ଓ ସାହିତ୍ୟର ବିଭାଗର ତପସ୍ଵିନୀ ଉଦ୍ୟାନରେ ଓଡ଼ିଶାର ଲୋକପ୍ରିୟ କବି ଗଙ୍ଗାଧର ମେହେରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରିବାର ବହୁ ପ୍ରତୀକ୍ଷିତ ଆଶା ପୂରଣ ହୋଇଛି । ବରଗଡ଼ର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଷଡଙ୍ଗୀ ଏବଂ ପଞ୍ଚାୟତ ମହାବିଦ୍ୟାଳୟ ଆଲୁମିନି ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରଭାତାଦିତ୍ୟ ମିଶ୍ରଙ୍କ କରକମଳରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ତେବେ ଏହା ମହାବିଦ୍ୟାଳୟ ପାଇଁ ଏକ ଗୈାରବାବହ ବିଷୟ ବୋଲି ମତ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ମହାବିଦ୍ୟାଳୟ ନିମନ୍ତେ ଏକ ଭିନ୍ନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ଛାତ୍ରଛାତ୍ରୀଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଶେଷନ ବିଶି ଓଡିଆ ବିଭାଗର ତପସ୍ଵିନୀ ଉଦ୍ୟାନରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ହେବବୋଲି ଅଭିମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଷଡ଼ଙ୍ଗୀ ତପସ୍ଵିନୀ ଉଦ୍ୟାନ ଓ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଭଳି ଆଗାମୀ ଦିନରେ ଅନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ବରୂପ ମହାବିଦ୍ୟାଳୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରୟାସ କରାଯିବ ବୋଲି ଉଦ୍ ବୋଧିତ କରିଥିଲେ । ଆଲୁମିନି ସଙ୍ଘ ସଭାପତି ଶ୍ରୀ ମିଶ୍ର ଓଡ଼ିଆ ବିଭାଗ ଭଳି ଅନ୍ୟ ବିଭାଗଗୁଡିକରେ ମଧ୍ୟ ଉଦ୍ୟାନଗୁଡିକ ନିର୍ମିତ ହେବା ବିକାଶର ସଙ୍କେତ ବୋଲି ନିଜ ପ୍ରତିକ୍ରିୟା ରଖିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ତପସ୍ଵିନୀ ଉଦ୍ୟାନରେ ସ୍ଥାପିତ ଲୋକପ୍ରିୟ କବି ଗଙ୍ଗାଧର ମେହେର ପ୍ରତିମୂର୍ତ୍ତି ଆଲୁମିନି ସଙ୍ଘ ତରଫରୁ ପ୍ରଦାନ କରାଯାଇଛି ଏବଂ ଏହାକୁ ବରଗଡ଼ ଜିଲ୍ଲା କପାସିରା ଗ୍ରାମର ସ୍ଥପତି ଶ୍ରୀ ଅମୂଲ୍ୟ ଭୋଇ ନିର୍ମାଣ କରିଛନ୍ତି । ଏହାଛଡା ତପସ୍ଵିନୀ କାବ୍ୟରେ ବର୍ଣ୍ଣିତ ବିଭିନ୍ନ ବୃକ୍ଷଲତା ତପସ୍ଵିନୀ ଉଦ୍ୟାନରେ ରୋପଣ କରାଯିବାର ପ୍ରଚେଷ୍ଟା କରାଯାଇଛି । ତେବେ ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ‘ଜ୍ୟୋତିପ୍ରଜ୍ଞା ‘ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ଏବଂ ଏହି ସାରସ୍ବତ ସମାବେଶରେ ଆଲୁମିନି ସଙ୍ଘର ଉପ ସଭାପତି ଶ୍ରୀ ପ୍ରଶାନ୍ତ ବେହେରା, ପ୍ରବକ୍ତା ଡକ୍ଟର ମାଧବ ସାହୁ, ଯୁଗ୍ମ ସମ୍ପାଦକ ବିରେନ୍ଦ୍ର ପ୍ରଧାନ, ତ୍ରିନାଥ ପ୍ରସାଦ ତ୍ରିପାଠୀ ପ୍ରମୁଖ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଛାତ୍ର ଚିରନ୍ତନ ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲାବେଳେ ସହକାରୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ସଭା ଶେଷରେ ଗଙ୍ଗାଧର ମେହେରଙ୍କ ଗୋଟିଏ କାବ୍ୟ ଆବୃତ୍ତିରେ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଓଡିଆ ବିଭାଗର ଅଧ୍ୟାପକଅଧ୍ୟାପିକା ବିଧାୟକ ଶ୍ରୀ ଷଡ଼ଙ୍ଗୀ ମହୋଦୟଙ୍କୁ ତପସ୍ଵିନୀ ଉଦ୍ୟାନ ନିମିତ୍ତ ଏକ ଭବ୍ୟ ଫାଟକ ନିର୍ମାଣ କରାଇଦେବା ସକାଶେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଲୁମିନି ସଙ୍ଘର ସଂଯୋଜକ ସହକାରୀ ପ୍ରଫେସର ଶ୍ରୀ ଅନିରୁଦ୍ଧ ରୋହିଦାଶ, ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ପ୍ରଶାସନିକ ମୁଖ୍ୟ ପ୍ରଫେସର ସୂର୍ଯ୍ୟକାନ୍ତି ସିକନ୍ଦର, ସହକାରୀ ପ୍ରଫେସର ଡକ୍ଟର ସ୍ମିତା ପାଣିଗ୍ରାହୀ, ଡକ୍ଟର ସୁନୀତା ବେହେରା, ଡକ୍ଟର ସୁରେଶ କୁମାର ମାଝୀ, ଡକ୍ଟର ଅନନ୍ତ ମେହେର, ଯୋଗେନ୍ଦ୍ର ମେହେର, ରୋଶିନୀ ତିର୍କି , ଅନନ୍ଦିତା ନନ୍ଦ, ଡକ୍ଟର ପ୍ରଜ୍ଞା ପାରମିତା ନାଏକ, ଝରଣା ବିଶ୍ବାଳ, କ୍ରିଷ୍ଣାରାଣୀ ସାସ୍ମଲ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପକ ଡକ୍ଟର ସୁରେଶ କୁମାର ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

( ଅତାବିରା ରୁ ସୁରେନ୍ଦ୍ର କଠାରଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ )


Leave a Reply

Your email address will not be published. Required fields are marked *

error: Content is protected !!