କ୍ରୀଷ୍ଣା ବିକାଶରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ଆୟୋଜିତ

ବରଗଡ଼,10 /2 (ସଂସ୍କୃତି ମିଡ଼ିଆ )- କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ରେ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ମହାସମାରୋହରେ ଆୟୋଜିତ ହୋଇଛି। ରବିବାର ସନ୍ଧ୍ୟାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ରଥ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ମାନବଜୀବନକୁ ଶୃଙ୍ଖଳିତ କରି ଗଢିତୋଳିବାରେ ସତସଙ୍ଗର ବିଶେଷ ମହତ୍ତ୍ଵ ରହିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସନ୍ତା ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିମିତ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଠାକୁରଙ୍କ ଭାବଧାରାଦ୍ବାରା ସକାରାତ୍ମକ ଚିନ୍ତାର ସ୍ଫୁରଣ, ଦିବ୍ୟ ଆଧ୍ୟାତ୍ମିକ ଚିନ୍ତାର ସଂଚାର କରିବା ସହିତ ଉତ୍ତମ ଚରିତ୍ର ଗଠନ କରିବା। ଏଥିରେ ସ୍ଥାନୀୟ ରିତିକ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ସଭା ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ସଞ୍ଜୀବ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନୀ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଦିବ୍ୟ ଭାବନାରେ ଉଦବୁଦ୍ଧ ହେବାପାଇଁ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ବରଗଡ଼ ଏବଂ ସମ୍ବଲପୁରରୁ ଆଗତ ଗୁରୁଭାଇଙ୍କ ସହଯୋଗରେ ଭଜନ କୀର୍ତ୍ତନର ଆୟୋଜନ ହୋଇଥିଲା ଯାହା ବିଦ୍ୟାଳୟର ସମଗ୍ର ପରିବେଶକୁ ମଧୁମୟ କରିଥିଲା । ଏହି ସଭାକୁ ପରିଚାଳନା କରିବା ପାଇଁ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା, ଶ୍ରୀ ଦେବାଶିଷ ଦାସ ଏବଂ ଶ୍ରୀ ସଚିନ ଚୌଧୁରୀ ପ୍ରମୁଖ ସାହାଯ୍ୟ କରିଥିଲେ। ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପସ୍ଥିତି ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲା।