ମାତୃଦିବସରେ ଭାରତର ବିଜୟ ସହ ଯବାନଙ୍କ ସୁରକ୍ଷା ପାଇଁ ଅତାବିରାରେ ହୋମ ଯଜ୍ଞ

ଅତାବିରା, 11/5(ସଂସ୍କୃତି ମିଡ଼ିଆ)- ସାଂପ୍ରତିକ ପରିସ୍ଥିତିରେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ପାକିସ୍ତାନୀ ଆତଙ୍କବାଦୀମାନେ ପେହେଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି । ଭାରତର ସହ ବୀର ଯବାନମାନଙ୍କ ବିଜୟ ପାଇଁ ମାତୃଦିବସରେ ଅତାବିରାର ମାଆ ମାନେ ହୋମ ଯଜ୍ଞର ଆୟୋଜନ କରିଥିଲେ ।
ଏଥିପାଇଁ ଅତାବିରା ହନୁମାନ ମନ୍ଦିର କମିଟି ଓ ଅଖିଲ ଭାରତୀୟ ହିନ୍ଦୁ ମହିଳା ମଞ୍ଚ ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିରରରେ ଦୂର୍ଗାପୁଜା ଓ ହୋମ ଯଜ୍ଞ କରାଯାଇଥିଲା । ଏହା ସହିତ ହନୁମାନ ଏବଂ ମାଁ ଦୁର୍ଗାଙ୍କ ଠାରେ ସମୂହ ଆହୂତି ସହ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅତାବିରାର ଅବସରପ୍ରାପ୍ତ ସୈନିକ ସଂଘ, ବଜରଙ୍ଗ ଦଳ, ପୂଜା କମିଟି, ବିଶ୍ୱ ହିନ୍ଦୁ ପରିଷଦ, ମାରୱାଡି ମହିଳା ସମିତି, ଜାଗୃତି ଶାଖା ସମେତ ବିଭିନ୍ନ ସଂଗଠନ ଯୋଗଦେଇଥିଲେ । ବର୍ତ୍ତମାନ ଭାରତ ପ୍ରାକ ଯୁଦ୍ଧରେ ସାମିଲ ହୋଇଥିବା ଯବାନ ଅତାବିରାର ଲଷ୍ମଣ ବାରିକଙ୍କ ପତ୍ନୀ ସୁଜାତା ବାରିକ, ଜଗଦୀଶ ପ୍ରଧାନଙ୍କ ମାଆ କହଁର ପ୍ରଧାନ, ଦୀପକ ସାହୁଙ୍କ ମାଆ ଗାୟତ୍ରୀ ସାହୁ, ସରଣ୍ଡାର ପ୍ରତାପ ମହାପାତ୍ରଙ୍କ ମାଆ ଜୟନ୍ତୀ ମହାପାତ୍ର ଏବଂ ରାଜୀବ ମହାପାତ୍ରଙ୍କ ମାଆ ସରୋଜିନୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ପେହେଲଗ୍ରାମରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ଏବଂ ଯୁଦ୍ଧ ସମୟରେ ସହୀଦ ଯବାନଙ୍କ ଆମର ଆତ୍ମାର ସତଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପୁରୋହିତ ପଣ୍ଡିତ ଗୌରୀଶଙ୍କର ଶତପଥି ପୂଜାର୍ଚ୍ଚନା କରିଥିଲେ । ଏଥିରେ ଅଖିଲ ଭାରତୀୟ ହିନ୍ଦୁ ମହିଳା ମଞ୍ଚର ସଂସ୍ଥାପିକା ଦର୍ଶନା ଅଗ୍ରୱାଲ, ସଭାନେତ୍ରୀ ସୁନିତା ଅଗ୍ରୱାଲ ଏବଂ ସମ୍ପାଦିକା ଶୁଭ୍ରାତା ପାଢ଼ୀ ନେତୃତ୍ୱ ନେଇଥିଲେ l